୭ ହଜାର ଟଙ୍କାରେ ଶିଶୁ ବିକ୍ରି, ଥାନାରେ ଏତଲା ଦେଲେ ସିଡିପିଓ

ଦଶରଥପୁର : ଯାଜପୁର ଜିଲ୍ଲାର ଦଶରଥପୁର ବ୍ଲକ୍‌ରେ ୭ ହଜାର ଟଙ୍କାରେ ନବଜାତ ଶିଶୁକନ୍ୟାକୁ ବିକ୍ରି କରାଯାଇଛି। ନିଜେ ଶିଶୁ ବିକାଶ ପ୍ରକଳ୍ପ ଅଧିକାରୀ (ସିଡିପିଓ) ମଞ୍ଜୁଳା ରଥ ଏନେଇ ମଙ୍ଗଳପୁର ଥାନାରେ ଏତଲା ଦେଇଛନ୍ତି।

ଅଭିଯୋଗ ମୁତାବକ ଦଶରଥପୁର ପଞ୍ଚାୟତ ପ୍ରକଟପୁର ଅଞ୍ଚଳର ସୁରେଶ ଦାସଙ୍କ ପତ୍ନୀ ଲିଜାରାଣୀ ଦାସ ଗତ ମେ ମାସ ୧୭ ତାରିଖ ଦିନ ମଙ୍ଗଳପୁର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଏକ ଶିଶୁକନ୍ୟାକୁ ଜନ୍ମ ଦେଇଥିଲେ। ସୁରେଶ ଓ ଲିଜାରାଣୀଙ୍କର ପୂର୍ବରୁ ଦୁଇ ନାବାଳିକା କନ୍ୟା ଥିଲେ। ପରିବାରର ଆର୍ଥିକ ଅବସ୍ଥା ଅତ୍ୟନ୍ତ ଶୋଚନୀୟ। ଏହାକୁ ନେଇ ଦମ୍ପତି ନବଜାତ ଶିଶୁକନ୍ୟାର ଲାଳନପାଳନ ପାଇଁ ଅକ୍ଷମତା ପ୍ରକାଶ କରି ଏହି ବ୍ଲକ୍‌ର ଚମ୍ପେଇପାଳ ପଞ୍ଚାୟତ ବରିଣା ଅଞ୍ଚଳର ଦମ୍ପତି ସୁବାସ ପଲାଇ ଓ ମଧୁସ୍ମିତା ପଲାଇଙ୍କୁ ୭ ହଜାର ଟଙ୍କାରେ ବିକ୍ରି କରି ଦେଇଥିଲେ। ଏ ବିଷୟରେ ସ୍ଥାନୀୟ ଅଙ୍ଗନବାଡ଼ି କର୍ମୀଙ୍କଠାରୁ ସୂଚନା ପାଇବା ପରେ ଦଶରଥପୁର ସିଡିପିଓ ମଞ୍ଜୁଳା ରଥ ମଙ୍ଗଳପୁର ଥାନାରେ ଲିଖିତ ଅଭିଯୋଗ କରିଛନ୍ତି। ଶିଶୁକନ୍ୟାକୁ କିଣିଥିବା ବ୍ୟକ୍ତିଙ୍କ ନାଁରେ ସେ ଅଭିଯୋଗ କରିବା ସହିତ ତୁରନ୍ତ ଉଦ୍ଧାର କରିବାପାଇଁ ଥାନାର ଦ୍ବାରସ୍ଥ ହୋଇଛନ୍ତି। ମଙ୍ଗଳପୁର ପୁଲିସ୍ ଘଟଣାର ତଦନ୍ତ ଜାରି ରଖିଛି।

ଅନ୍ୟପଟେ ଆର୍ଥିକ ଅନଟନ କାରଣରୁ ସେମାନେ ଲାଳନପାଳନ ପାଇଁ ଅସମର୍ଥ ଥିବାରୁ ଶିଶୁକନ୍ୟାକୁ ଏକ ଦମ୍ପତିଙ୍କୁ ଦେଇଥିବା କହିଛନ୍ତି ଲିଜାରାଣୀ ଓ ସୁରେଶ।

ସମ୍ବନ୍ଧିତ ଖବର