ଧର୍ମଶାଳା : କେଉଁ ପଛୁଆ ଅଞ୍ଚଳ ନୁହେଁ, ଯାଜପୁର ଜିଲ୍ଲାରେ ୭ ହଜାର ଟଙ୍କାରେ ବିକ୍ରି ହୋଇଛି ଶିଶୁ। ଧର୍ମଶାଳା ବ୍ଲକ କୋତପୁର ପଞ୍ଚାୟତ ସାନରାଇପଡ଼ା(ଭାବିଲ) ଗ୍ରାମରୁ ଏଭଳି ଶିଶୁ ବିକ୍ରି ଅଭିଯୋଗ ଉଠିଛି। ଉତ୍କଟ ଦାରିଦ୍ର୍ୟ କାରଣରୁ ଲାଳନପାଳନ କରିବାକୁ ଅସମର୍ଥ ଥିବା ବାପା ନଟବର ବେହେରା ନିଜର ଶିଶୁକନ୍ୟାକୁ ୭ହଜାର ଟଙ୍କାରେ ଅନ୍ୟ ହାତରେ ଟେକି ଦେଇଛନ୍ତି। ପତ୍ନୀ କାନଙ୍କ ଅନିଚ୍ଛା ସତ୍ତ୍ବେ ସ୍ୱାମୀ ନଟବର ସେହି ଗ୍ରାମର କାଳନ୍ଦୀ ଦାସଙ୍କ ମାଧ୍ୟମରେ ମହାକାଳପଡ଼ା ଅଞ୍ଚଳର ଜଣେ ବ୍ୟକ୍ତିଙ୍କୁ ପିଲା ବିକ୍ରି କରି ଦେଇଥିବା ଜଣାପଡ଼ିଛି। ଶିଶୁ ବିକ୍ରିକୁ କାଳନ୍ଦୀ ଦାନପତ୍ର ବୋଲି କହିବା ସହିତ ଔଷଧ ଆଦି ଖର୍ଚ୍ଚ ପାଇଁ ୫/୬ହଜାର ଟଙ୍କା ଦେଇଥିବା ସ୍ୱୀକାର କରିଛନ୍ତି। ନିଜ ପାଖରେ ଦୁଇ ପୁଅଝିଅ ଥିବାବେଳେ ପୂର୍ବରୁ ନଟ ତୃତୀୟ ଝିଅକୁ ଯାଜପୁର ଟାଉନ୍ ଅଞ୍ଚଳର ଜଣେ ସଂପର୍କୀୟଙ୍କୁ ଦେଇଛନ୍ତି। ଏନେଇ ଆବଶ୍ୟକ କାଗଜପତ୍ର ହୋଇଥିବା କୁହାଯାଇଛି। ଜ୍ୱାଇଁ ପିଲାକୁ ପୋଷି ପାରିବେ ନାହିଁ ବୋଲି ଟଙ୍କା ନେଇ କାହାକୁ ଦେଇ ଦେଇଥିବା ଶ୍ୱଶୁର ରାମଚନ୍ଦ୍ର ବେହେରା କହିଛନ୍ତି।
ଏହି ଦମ୍ପତିଙ୍କର ପୂର୍ବରୁ ୩ଟି ପିଲା ଥିବାବେଳେ ଗତ ୨୭ତାରିଖ ସକାଳେ ପତ୍ନୀ କାନ ଧର୍ମଶାଳା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଆଉ ଏକ ଶିଶୁକନ୍ୟା ଜନ୍ମ ଦେଇଥିଲେ। ପରେ ଡାକ୍ତରଖାନାରେ ମୂଲଚାଲ୍ କରି ଶିଶୁଟିକୁ ବିକ୍ରି କରି ଦିଆଯାଇଥିଲା ବୋଲି ସୂଚନା ମିଳିଛି। ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ଅଧିକାରୀ ସୁଧୀର କୁମାର ସାହୁ ଏହାକୁ ଅସ୍ବୀକାର କରିଛନ୍ତି। ସେମାନଙ୍କ ଅଗୋଚରରେ ଏହି ଘଟଣା ବାହାରେ ଘଟିଥାଇପାରେ ବୋଲି ଗଣମାଧ୍ୟମକୁ ସୂଚନା ଦେଇଛନ୍ତି। ନଟ ଜଣେ ଶ୍ରମିକ ଶ୍ରେଣୀୟ ଗରିବ ଲୋକ ହୋଇଥିବାରୁ ପୁଣି ଏକ ଶିଶୁକନ୍ୟାକୁ ପୋଷିବା ତାଙ୍କ ପାଇଁ କଷ୍ଟକର ହେବା ଆଶଙ୍କାରେ ସେ ବିକ୍ରି କରି ଦେଇଥିବା ସ୍ପଷ୍ଟ ହୋଇଛି। ବାପା ନଟ ବେହେରାକୁ କୋତପୁର ଫାଣ୍ଡିରେ ପଚରାଉଚରା କରାଯାଉଛି।
ଏ ସଂପର୍କରେ ଖବର ପାଇ ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ନିରଂଜନ କର, କର୍ମଚାରୀ ରବୀନ୍ଦ୍ରନାଥ ସେଠୀ ଓ ପଦ୍ମଚରଣ ସାମନ୍ତରାୟ ସାନରାଇପଡ଼ା ଗାଁରେ ପହଞ୍ଚି ଘଟଣାର ତଦନ୍ତ ଆରମ୍ଭ କରିଛନ୍ତି। ଏ ଦିଗରେ ଆଇନଗତ କାର୍ଯ୍ୟାନୁଷ୍ଠାନ ନିମନ୍ତେ ଶିଶୁ ସୁରକ୍ଷା ବିଭାଗ ପୁଲିସର ସହାୟତା ଲୋଡ଼ିଛି। ଶିଶୁ ବିକ୍ରି ନେଇ ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ କୋତପୁର ଫାଣ୍ଡିରେ ଲିଖିତ ଅଭିଯୋଗ କରିଛନ୍ତି। ଏ ଘଟଣାକୁ ନେଇ ଦିନସାରା ହଟଚମଟ ହେବାରୁ ସଂପୃକ୍ତ ବ୍ୟକ୍ତି ଶିଶୁଟିକୁ ଆଣି ତା’ ମା’ ପାଖରେ ଛାଡ଼ିଥିବା ନେଇ କୋତପୁର ଫାଣ୍ଡି ଅଧିକାରୀ ନିରଂଜନ ବେଉରା ସୂଚନା ଦେଇଛନ୍ତି।
ନଟଙ୍କ ନିଜ ଘର ବରୀ ଆନନ୍ଦପୁର ଅଞ୍ଚଳରେ ହୋଇଥିବା ବେଳେ ପ୍ରାୟ ୧୦ବର୍ଷ ହେଲା ସେ କାନଙ୍କୁ ବିବାହ କରି ଶ୍ବଶୁରଙ୍କ ଘରେ ରହୁଛନ୍ତି। ପରିବାର ଚଳାଇବା ତାଙ୍କ ପକ୍ଷେ କଷ୍ଟକର ହୁଏ। ଭଙ୍ଗା କୁଡ଼ିଆରେ ରହୁଥିବା ନଟ ଦିନମଜୁରିଆ ଭାବେ ଏଠିସେଠି କାମ କରିଥାନ୍ତି। ସବୁଦିନେ ତାଙ୍କୁ ମୂଲମଜୁରି ମିଳି ନଥାଏ। ଏମିତି ଅଭାବନୀୟ ଘଟଣା ଲୋକଲୋଚନକୁ ଆସିବା ପରେ ପ୍ରଗତିର ପ୍ରୟୋଗଶାଳା କୁହାଯାଉଥିବା ଧର୍ମଶାଳାରେ ଆଉ ଏକ କଳଙ୍କିତ ଅଧ୍ୟାୟ ଯୋଡ଼ି ହୋଇଯାଇଛି। ଧର୍ମଶାଳାରେ ଶିଶୁ ବିକ୍ରି ଘଟଣା ନୂଆ ନୁହେଁ। ପୂର୍ବରୁ ମଧ୍ୟ ଆରୁହା ଅଞ୍ଚଳରେ ରହୁଥିବା ଆଦିବାସୀ ଶ୍ରମିକ ନିଜ ଜନ୍ମିତ ଶିଶୁକୁ ବିକି ଦେଇଥିବା ଘଟଣା ବେଶ୍ ଚର୍ଚ୍ଚା ସୃଷ୍ଟି କରିଥିଲା।