ଡାକ୍ତରଖାନାରୁ ପିଲା ଚୋରି : ପାଟଣାଗଡ଼ ସହରରେ ଉତ୍ତେଜନା, ମୁଖ୍ୟ ରାସ୍ତା ଅବରୋଧ

ପାଟଣାଗଡ଼ : ବଲାଙ୍ଗୀର ଜିଲ୍ଲା ପାଟଣାଗଡ଼ ଉପଖଣ୍ଡ ଡାକ୍ତରଖାନାରୁ ବୁଧବାର ମଧ୍ୟାହ୍ନରେ ଏକ ଶିଶୁପୁତ୍ରକୁ କେହି ଜଣେ ଚୋରି କରି ଫେରାର ମାରିଥିବା ଅଭିଯୋଗ ହୋଇଛି। ଏହାକୁ ନେଇ ସହରରେ ଅଶାନ୍ତ ପରିବେଶ ସୃଷ୍ଟି ହୋଇଛି। ଏହାର ପ୍ରତିଦାଦରେ ଶିଶୁପୁତ୍ରର ପରିବାର ବର୍ଗ ପକ୍ଷରୁ ଡାକ୍ତରଖାନାର ମୁଖ୍ୟ ଫାଟକ ସମ୍ମୁଖ ପାଟଣାଗଡ଼–ବଲାଙ୍ଗୀର–କଣ୍ଟାବାଞ୍ଜି ମୁଖ୍ୟ ରାସ୍ତା ଅବରୋଧ କରାଯାଇଛି। ତେବେ ଏହି ସମୟରେ ଶିଶୁର ବାପାଙ୍କୁ ପୁଲିସ ମାଡ଼ ମାରି ନେଇ ଉତ୍ତେଜନା ବଢ଼ିଛି। ପୁଲିସ ଏ ନେଇ ତଦନ୍ତ ଚଳାଇଛି। ଚୋରି ବେଳର ସିସିଟିଭି ଫୁଟେଜ୍‌ ମଧ୍ୟ ମିଳିଥିବା ଜଣାପଡ଼ିଛି। ସେପଟେ ଶିଶୁର ବାପାକୁ ମାଡ଼ ମାରିଥିବା ପୁଲିସ ଏଏସଆଇ ଅନାଦି ମଟାରୀଙ୍କ ବିରୋଧରେ ମାମଲା ରୁଜୁ ହୋଇଛି। ସବିଶେଷ ରିପୋର୍ଟ ଅନୁସାରେ ଏଏସଆଇ ମାଟରୀଙ୍କୁ ଏସପି ନିଲମ୍ବନ କରିଥିବା ଡିଏସପିଙ୍କ ସୂଚନା ମିଳିଛି।

ପ୍ରକାଶ ଯେ, ବୁଧବାର ଦିନ ୧୧ରୁ ସାଢ଼େ ୧୧ଟା ସମୟ ମଧ୍ୟରେ ପାଟଣାଗଡ଼ ଉପଖଣ୍ଡ ଡାକ୍ତରଖାନାର ୬୭ ନମ୍ବର କେବିନରେ ଭର୍ତ୍ତି ହୋଇଥିବା ପ୍ରସୂତି ଜୟନ୍ତୀ ତାଣ୍ଡିଙ୍କ ପାଖକୁ ଜଣେ ଅଚିହ୍ନା ମହିଳା ଆସିଥିଲା। କେବିନ ପାଖ ବାରଣ୍ଡାରେ ଜୟନ୍ତୀଙ୍କ ମା’ ଓ ଶାଶୂ ନବଜାତକକୁ ଧରିଥିଲେ। ସେଠାରେ ଉକ୍ତ ଅଚିହ୍ନା ମହିଳା ଜଣକ ଜୟନ୍ତୀ ଓ ତାଙ୍କ ପରିବାର ବର୍ଗଙ୍କ ସହିତ କଥାବାର୍ତ୍ତା କରିଥିଲା। କଥାବାର୍ତ୍ତା ହେବା ବେଳେ ମହିଳା ଜଣକ ତା’ର ସମ୍ପର୍କୀୟଙ୍କୁ ପାଟଣାଗଡ଼ ଡାକ୍ତରଖାନାରେ ଭର୍ତ୍ତି କରିଥିବା କଥା କହିଥିଲା। ପରେ ଆସି ପିଲାଟି ସୁନ୍ଦର ହୋଇଛି ବୋଲି କହି ତାକୁ ଧରିବ ବୋଲି ଅନୁରୋଧ କରିଥିଲା। ଏହା ପରେ ଜୟନ୍ତୀଙ୍କ ପରିବାବର୍ଗ ଉକ୍ତ ମହିଳାଙ୍କୁ ୪ ଦିନର ଶିଶୁ ପୁତ୍ରକୁ ଧରାଇ ଦେଇଥିଲେ। କିଛି ସମୟ ମହିଳା ଜଣକ ଶିଶୁପୁତ୍ରକୁ ଧରିଥିଲା। ଏହି ସମୟରେ ଜୟନ୍ତୀଙ୍କ ଶାଶୂ ଓ ମା’ ଜୟନ୍ତୀଙ୍କ ୩ ବର୍ଷ ବୟସର ଝିଅକୁ ନେଇ ଗାଧୋଇବା ପାଇଁ ଡାକ୍ତରଖାନା ପରିସରରେ ଥିବା ଏକ ନଳକୂଅକୁ ଯାଇଥିଲେ। ଏହାର ସୁଯୋଗରେ ଉକ୍ତ ମହିଳା ଜଣକ ଶିଶୁପୁତ୍ରକୁ ନେଇ କୁଆଡ଼େ ଫେରାର ମାରିଥିଲା। ଏହା ଦେଖି ଜୟନ୍ତୀ ତା’ର ପିଛା କରିଥିଲେ। ହେଲେ ତାକୁ ଆଉ ଦେଖି ପାରି ନଥିଲେ।

ପିଲା ଚୋରି ପରେ ଏହି ଘଟଣାକୁ ନେଇ ଡାକ୍ତରଖାନାରେ ତୁମ୍ବି ତୋଫାନ ହୋଇଥିଲା। ଡାକ୍ତରଖାନା ପରିସର ଅଶାନ୍ତ ହୋଇ ପଡ଼ିଥିଲା। ଉତ୍ତ୍ୟକ୍ତ ଲୋକେ ହୋ-ହାହ୍ଲା କରିବା ସହ ଉପଖଣ୍ଡ ଡାକ୍ତରଖାନା ଅଧୀକ୍ଷକଙ୍କ ପ୍ରକୋଷ୍ଠରେ ଭଙ୍ଗାରୁଜା କରିଥିଲେ। ପିଲାକୁ ଉଦ୍ଧାର କରିବା ଦାବିରେ ପରିବାର ବର୍ଗ ପକ୍ଷରୁ ରାସ୍ତାରୋକ କରାଯାଇଥିଲା। ଅପରାହ୍ନରେ ପରିସ୍ଥିତି ଉଗ୍ର ରୂପ ଧାରଣ କରିଥିଲା। ପୁଲିସ ଓ ଜୟନ୍ତୀଙ୍କ ସ୍ବାମୀ ରୁଦ୍ରମଣିଙ୍କ ମଧ୍ୟରେ ତୁ ତୁ ମେ ମେ‌ ହୋଇଥିଲା। ଏଥିରେ ପୁଲିସ ରୁଦ୍ରମଣିଙ୍କୁ ମାଡ଼ ମାରିଥିବା ନେଇ ରୁଦ୍ରମଣି ଅଭିଯୋଗ କରିଛନ୍ତି। ରୁଦ୍ରମଣିଙ୍କୁ ପାଟଣାଗଡ଼ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି।

ସମ୍ବନ୍ଧିତ ଖବର