‌ମେଡ଼ିକାଲ ପରିସରରୁ ଶିଶୁ ଗାଏବ, ଥାନାର ଦ୍ବାରସ୍ଥ ହେଲେ ମା’

କୋରେଇ : ଯାଜପୁର ଜିଲ୍ଲା ଅନ୍ତର୍ଗତ କୋରେଇ ମେଡ଼ିକାଲ ପରିସରରୁ ଏକ ଶିଶୁପୁତ୍ର ନିଖୋଜ ହୋଇଯାଇଛି। କେହି ଦୁର୍ବୃତ୍ତ ଚୋରି କରି ନେଇଥିବା ସନ୍ଦେହ କରାଯାଉଛି। ମାତ୍ର, ଛଅ ଦିନର ଏହି ଶିଶୁକୁ କିଏ, କାହିଁକି ଚୋରାଇ(!) ନେଲା, ତାହାକୁ ନେଇ ଭାଳେଣି ପଡ଼ିଯାଇଛି। ବହୁ ଖୋଜାଖୋଜି କରିଥି‌େଲ ମଧ୍ୟ ଶିଶୁଟିର ମା’କୁ ନିରାଶ ହେବାକୁ ପଡ଼ିଛି। ଶେଷରେ, ସେ ନିରୁପାୟ ହୋଇ ଥାନାରେ ଅଭିଯୋଗ କରିବା ପରେ ପୁଲିସ୍‌ ତଦନ୍ତ ଆରମ୍ଭ କରିଛି।

ମିଳିଥିବା ସୂଚନା ଅନୁସାରେ, ଝୁମୁର ନାମକ ଜଣେ ମହିଳା ମେଡ଼ିକାଲ ପରିସରରେ ରହୁଥିଲେ। ବିବାହର କିଛିଦିନ ପରେ ତାଙ୍କ ସ୍ବାମୀ ଛାଡ଼ି ଚାଲିଯାଇଥିଲେ। ସେ ତାଙ୍କ ମା’ ସମ୍ବାରୀଙ୍କ ସହିତ ଏକ ପରିତ୍ୟକ୍ତ ଘରେ ରହୁଥିଲେ। ଉଭୟ ମୂଲପାତି, ମାଗିଯାଚି ଚଳୁଥିଲେ। ଗତ ୬ ଦିନ ତଳେ ସେ ଏକ ଶିଶୁପୁତ୍ରକୁ ଜନ୍ମ ଦେଇଥିଲେ। ଗତକାଲି ରାତିରେ କେହି ଦୁର୍ବୃତ୍ତ ଝୁମୁରୀଙ୍କ ଶିଶୁପୁତ୍ରକୁ ଚୋରାଇ ନେଇଥିବା ସେ ଅଭିଯୋଗ କରିଛନ୍ତି। ଅଭିଯୋଗ ପତ୍ର ସହିତ ଆଧାରକାର୍ଡ ସଂଯୁକ୍ତ କରିଛନ୍ତି, ଯହିଁରେ ସ୍ବାମୀଙ୍କ ନାମ ସେରୁଦ୍ଦିନ ଖାଁ ଉଲ୍ଲେଖ ରହିଛି। ପୁଲିସ ୨୦/୧୯ରେ ଏକ ମାମଲା ରୁଜୁ କରି ତଦନ୍ତ ଜାରି ରଖିଛି।

ଏନେଇ କୋରେଇ ଥାନା ଅଧିକାରୀ ଚିନ୍ମୟୀ ସାହୁଙ୍କୁ ପଚାରିବାରୁ ସେ କହିଥିଲେ ଯେ, ମହିଳାଙ୍କ ଅଭିଯୋଗ ଅନୁସାରେ ମାମଲା ରୁଜୁ କରାଯାଇ ତଦନ୍ତ ଜାରି ରହିଛି। ଖୁବ୍‌ଶୀଘ୍ର ଅଭିଯୁକ୍ତଙ୍କୁ ଗିରଫ କରାଯିବ।

ଅନ୍ୟପକ୍ଷରେ, ମେଡ଼ିକାଲ୍ ପରିସରରୁ ଜଣେ ନବଜାତ ଶିଶୁ ଏଭଳି ଗାଏବ ହେବା ଘଟଣାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟିହୋଇଛି। ଅନ୍ୟପଟେ ‌ମେଡିକାଲର କେତେକ କର୍ମଚାରୀ ଶିଶୁଟିକୁ ବିକିଦେବାକୁ ମସୁଧା କରିଥିବା ନେଇ ମଧ୍ୟ ଚର୍ଚା ହେଉଛି। ଛୁଆଟି ଉଦ୍ଧାର ହେବା ପରେ ଘଟଣା ସ୍ପଷ୍ଟ ହେବ ବୋଲି ଜଣାପଡ଼ିଛି।

ସମ୍ବନ୍ଧିତ ଖବର