ସାତକୋଶିଆରେ ମହାବୀର ଶାବକ : ଛୁଆକୁ ନେଇ ବଢ଼ିଲା ମୁଣ୍ଡ ବିନ୍ଧା

ଅନୁଗୁଳ : ବାଘୁଣୀ ପ୍ରସବକୁ ଦୁଇ ମାସ ବିତିଗଲା। ଅଥଚ କ୍ୟାମେରାରେ କୌଣସି ମତେ କୈଦ୍‌ ହୋଇ ପାରୁ ନାହାନ୍ତି ଶାବକ। ଗତ ତିନି ମାସ ହେଲା ବାଘୁଣୀ ନିର୍ଦ୍ଦିଷ୍ଟ ଏକ ଗୁମ୍ଫାକୁ ଜଗି ବସିଛି। ସେଠାକୁ ଯିବା ଆସିବା କରୁଛି। ସେହି ଜାଗାରେ ରହି ଶିକାର କରୁଛି। ଅଥଚ ଶାବକଙ୍କୁ ପଦାକୁ ବାହାର କରୁନାହିଁ। ଦୀର୍ଘ ଦୁଇ ମାସ କାଳ ଗୁମ୍ଫା ମଧ୍ୟରେ କ’ଣ ଚାଲିଛି, ଜନ୍ମିତ ଶାବକଙ୍କ ଅବସ୍ଥା କେମିତି ଅଛି? ତାକୁ ନେଇ ବନ ବିଭାଗର ମୁଣ୍ଡବ୍ୟଥା ଆରମ୍ଭ ହୋଇଯାଇଛି।

ଯଦିଓ ହିଂସ୍ର ବାଘୁଣୀ ପାଖକୁ ଯାଇ ଶାବକଙ୍କୁ ଦେଖିବା ସୁରକ୍ଷା ଦୃଷ୍ଟିରୁ ଆଦୌ ଠିକ୍‌ ନୁହେଁ। ସେଥିପାଇଁ ବନ ବିଭାଗ ଏ ପ୍ରକାର ପଦକ୍ଷେପରୁ ବିରତ ରହିଛି, ତଥାପି ସ୍ବାଭାବିକ ଚଲାବୁଲା ବେଳେ କେମିତି ବାଘୁଣୀ ସହ ଶାବକଙ୍କ ଫଟୋ ହାତକୁ ଆସିବ ସେହି ଚେଷ୍ଟା ଜାରି ରହିଛି।

ଉଲ୍ଲେଖଯୋଗ୍ୟ, ସାତକୋଶିଆରେ ମହାବଳ ଶାବକଙ୍କ ବଂଶବିସ୍ତାର ପାଇଁ ଓଡ଼ିଶା, ମଧ୍ୟପ୍ରଦେଶ ଏବଂ ଭାରତ ସରକାର ଇତିହାସ ରଚିଲା ଭଳି ପ୍ରକଳ୍ପ ସାତକୋଶିଆକୁ ଦେଇଥିଲେ। ଯେହେତୁ ସାତକୋଶିଆରେ ପୂର୍ବରୁ ଏକ ବୁଢ଼ୀ ବାଘୁଣୀ ଥିଲା। ଯାହା ପ୍ରାପ୍ତ ବୟସ୍କ ବୋଲି କୁହାଯାଉଥିଲା। କିନ୍ତୁ ସାତକୋଶିଆରେ ଅଣ୍ଡିରା ମହାବଳ ନ ଥିଲେ। ତେଣୁ ବୁଢ଼ୀ ବାଘୁଣୀଠାରୁ କୌଣସି ପ୍ରକାର ବଂଶ ବିସ୍ତାର ଆଶା କରାଯାଉ ନ ଥିଲା।‌ ତେଣୁ ଅନ୍ତଃ ରାଜ୍ୟ ବ୍ୟାଘ୍ର ସ୍ଥାନାନ୍ତର ପ୍ରକଳ୍ପରେ ମଧ୍ୟପ୍ରଦେଶରୁ ଓଡ଼ିଶା ସରକାର ଯୋଡ଼ାଏ ମହାବଳ ବାଘ ଓ ବାଘୁଣୀ ଆଣିଥିଲେ। ସେଥିରୁ ‘କାହ୍ନା’ରୁ ଆସିଥିବା ୩ବର୍ଷୀୟ ଅଣ୍ଡିରା ମହାବଳ ‘ମହାବୀର’ ସହିତ ବୁଢ଼ୀ ବାଘୁଣୀର ସମ୍ପର୍କ ସ୍ଥାପିତ ହୋଇଥିଲା। ବାଘ-ବାଘୁଣୀଙ୍କ ମିଳନ କଥା ବନ ବିଭାଗ ସେତେବେଳେ ସ୍ବୀକାର କରିଥିଲା।

ମହାବୀର ସନ୍ତକ ଗର୍ଭବରେ ବଢ଼ିବା ପରଠାରୁ ବୁଢ଼ୀ ବାଘୁଣୀର ହାବଭାବ ଏବଂ ଶାରୀରିକ ଗଠନରେ ଆସିଥିଲା ଅହେତୁକ ପରିବର୍ତ୍ତନ। ଯାହା ବାଘ-ବାଘୁଣୀଙ୍କ ମିଳନ କଥାକୁ ଆହୁରି ବଳିଷ୍ଠ କରିଥିଲା।

ଏକଦା ସାତକୋଶିଆ ଜଙ୍ଗଲର ପ୍ରାୟ ଦୁଇ ଶହ ବର୍ଗ କିଲୋମିଟର ଟେରିଟୋରି ମଧ୍ୟରେ ଏକାଏକା ଘୂରି ବୁଲୁଥିବା ବାଘୁଣୀ ରାଇଗୋଡ଼ା କୋର୍‌ ଏରିଆର ଏକ ନିର୍ଦ୍ଦିଷ୍ଟ ଜାଗାରେ ଡିସେମ୍ବର ୨୩ତାରିଖ ପରଠାରୁ ସ୍ଥିର ହୋଇ ରହିଗଲା। ତା’ର ଚଲାବୁଲା ଏକ ପ୍ରକାର ସ୍ଥାଣୁ ହୋଇଗଲା। ବାଘୁଣୀର ଗର୍ଭାଶୟରେ ବି ଆସିଥିଲା ପରିବର୍ତ୍ତନ। ତାକୁ ବି ଟିକିନିଖି ପରଖି ଥିଲା ବନ ବିଭାଗ। ତେଣୁ ବାଘୁଣୀ ରହୁଥିବା ରାଇଗୁଡ଼ା ଇଲାକାରେ ବନ ବିଭାଗ ପକ୍ଷରୁ କ୍ୟାମେରା ସବୁ ଖଞ୍ଜା ଯାଇଥିଲା। ଜାନୁଆରି ମାସ ପରେ ଗର୍ଭାବସ୍ଥାରେ ଆହୁରି ଆସିଥିଲା‌ ପରିବର୍ତ୍ତନ। ପ୍ରସବ ପରେ ଗର୍ଭ ଯେମିତି ସଂକୁଚିତ ହୁଏ ଏବଂ ସ୍ତନ ଆକାର ବଢ଼େ ତାହା ବି ଦେଖିବାକୁ ମିଳିଥିଲା। ସାତକୋଶିଆ ୱାଇଲ୍‌ଡ଼ ଲାଇଫ୍‌ ଡାକ୍ତର କିଶୋର ଚନ୍ଦ୍ର ସାହୁ ଏହାର ଠୋସ୍‌ ପ୍ରମାଣ ପ୍ରଥମେ ପାଇଥିଲେ। ସେ ଯଦିଓ ନିଜେ ଏକଥା କହି ନାହାନ୍ତି, କିନ୍ତୁ ବନ ବିଭାଗ ବିଶ୍ବସ୍ତ ସୂତ୍ରରୁ ଏହା ଜଣାପଡ଼ିଛି। ବାଘୁଣୀ ପୂର୍ବ ଗର୍ଭ ଏବଂ ଗର୍ଭ ପରବର୍ତ୍ତୀ ଫଟୋ ସବୁ ସେ ତନଖିବା ପରେ ସାତକୋଶିଆର ତତ୍କାଳୀନ କ୍ଷେତ୍ର ନିର୍ଦେଶକ ଏବଂ ଜଙ୍ଗଲ ସଚିବଙ୍କୁ ଡାକ୍ତର ସାହୁ ଡକ୍ୟୁମେଣ୍ଟାରୀ ସହ ପ୍ରମାଣ ସବୁ ଦେଇଥିଲେ। ଯେଉଁଥିରେ ବାଘୁଣୀ ସ୍ତନ ଆକାର ବୃଦ୍ଧି ଏବଂ ଶାବକ କ୍ଷୀର ପାନ କରୁଥିବା କଥା ସେ ସ୍ପଷ୍ଟ କରିଥିଲେ। ଯେଉଁଥିରେ ବନ ବିଭାଗ ଖୁସ୍‌ ଅଛି। ପ୍ରସବର ପରୋକ୍ଷ ପ୍ରମାଣ ଥିଲେ ବି ପ୍ରତ୍ୟକ୍ଷ ପ୍ରମାଣକୁ ବିଭାଗ ଚାତକ ପରି ଅନାଇଛି।

ମହାବଳ ହେଉଛି ଅତି ସମ୍ବେଦନଶୀଳ। ତେଣୁ ଅନ୍ତତଃ ପକ୍ଷେ ଖରାଦିନେ ବାଘୁଣୀ ଛୁଆକୁ ଧରି ଗୁମ୍ଫାରୁ ପଦାକୁ ଆସିବ ବୋଲି ଅନୁମାନ କରାଯାଉଥିଲା। କିନ୍ତୁ ଦୁଇ ମାସ ଇତିମଧ୍ୟରେ ପୂରଣ ହେ‌ାଇ ସାରିଲାଣି। ଗୁମ୍ଫାକୁ ବାଘୁଣୀ ପଦାକୁ ଯିବା ଆସିବା କରୁଛି, ଅଥଚ ଶାବକ ପଦାକୁ ଆଣୁନାହିଁ। ତେଣୁ ଗୁମ୍ଫାରେ କ’ଣ ଚାଲିଛି, କାହିଁକି ଶାବକ ପଦାକୁ ଆସୁ ନାହାନ୍ତି, ଶାବକଙ୍କ ସ୍ଥିତି ଗୁମ୍ଫାରେ କ’ଣ ଅଛି ତାକୁ ନେଇ ବନ ବିଭାଗର ମୁଣ୍ଡ ବିନ୍ଧା ବଢ଼ିଛି।

ଏ ସମ୍ପର୍କରେ ସାତକୋଶିଆ ଡିଏଫ୍‌ଓ ରାମା ସ୍ବାମୀ ପି. ପ୍ରତିକ୍ରିୟାରେ କହିଛନ୍ତି, ବାଘୁଣୀ ଯେଉଁଠାରେ ରହିଛି ତା’ର ଗତିବିଧି ଉପରେ କଡ଼ା ନଜର ରଖାଯାଇଛି। ସେଠାରେ ପର୍ଯ୍ୟାପ୍ତ ସିସିଟିଭି ସବୁ ଖଞ୍ଜା ଯାଇଛି। ସେଥିରେ ବାଘୁଣୀର ଫଟୋ ଆସୁଛି, ଅଥଚ ଶାବକ ପଦାକୁ ବାହାରିବାର ଫଟୋ ଆମେ ପାଇ ନାହୁଁ। ବାଘୁଣୀ ଗୋଟିଏ ଜାଗାରେ ସ୍ଥିର ହୋଇ ରହିବା କଥାକୁ ସେ ସ୍ବୀକାର କରିଛନ୍ତି। ତେଣୁ ଗୁମ୍ଫା ମଧ୍ୟରେ କ’ଣ ହେଉଛି ସେନେଇ ଏବେ ଆମେ ବି ଅନ୍ଧାରରେ ରହିଛୁ ବୋଲି ଡିଏଫ୍‌ଓ ଶ୍ରୀ ସ୍ବାମୀ କହିଛନ୍ତି। ଶାବକ ପଦାକୁ ଆସିବା ସମୟ ଏବେ ବି ଗଡ଼ି ଯାଇନାହିଁ। ବାଘୁଣୀକୁ ସୁରକ୍ଷା ଦେଇ ଅପେକ୍ଷା କରାଯାଇଛି ବୋଲି ଡିଏଫ୍‌ଓ ରାମା ସ୍ବାମୀ ସମ୍ବାଦକୁ କହିଛନ୍ତି। ସେହିପରି ସାତକୋଶିଆ ଡାକ୍ତର ଶ୍ରୀ ସାହୁଙ୍କୁ ପଚାରିବାରୁ ସେ କହିଛନ୍ତି, ବାଘୁଣୀ ପ୍ରସବ ଲକ୍ଷଣର ପରୋକ୍ଷ ପ୍ରମାଣ ଆମ ପାଖରେ ରହିଥିବା କଥାକୁ ସେ ସ୍ବୀକାର କରିଛନ୍ତି। କିନ୍ତୁ ପ୍ରତ୍ୟକ୍ଷ ପ୍ରମାଣ ଫଟୋ ପାଇଁ ସମସ୍ତଙ୍କୁ ଅପେକ୍ଷା କରିବାକୁ ପଡ଼ିବ ବୋଲି ଡାକ୍ତର ସାହୁ କହିଛନ୍ତି।

ସମ୍ବନ୍ଧିତ ଖବର