ବ୍ରହ୍ମପୁର : ଋଷିକୁଲ୍ୟା ମୁହାଣରେ ପ୍ରକୃତିର ବିରଳ ଅଲିଭ୍ ରିଡ୍ଲେ କଇଁଛଙ୍କ ଅଣ୍ଡା ଫୁଟିବା ପ୍ରକ୍ରିୟା ଆରମ୍ଭ ହୋଇଛି। ଅଣ୍ଡା ଫୁଟି ଅଲିଭ୍ ରିଡ୍ଲେ ଛୁଆ ସମୁଦ୍ର ଆଡ଼କୁ ମୁହାଁଇବା ଆରମ୍ଭ କରିଛନ୍ତି। ରବିବାର ଦିନ ହଜାର ହଜାର ସଂଖ୍ୟାରେ କଇଁଛ ଛୁଆ ବାଲୁକା ଶଯ୍ୟାରୁ ବାହାରି ସମୁଦ୍ର ଆଡ଼କୁ ଯାଉଥିବା ଦେଖିବାକୁ ମିଳିଛି। ଏହି ପ୍ରକ୍ରିୟା ପ୍ରାୟ ୫/୭ଦିନ ଧରି ଚାଲିବ। ଏଥିପାଇଁ ସେହି ସ୍ଥାନରେ ବନ ବିଭାଗ ତରଫରୁ କଡ଼ା ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି।
ଚଳିତବର୍ଷ ଫେବ୍ରୁଆରି ଶେଷ ସପ୍ତାହରେ ଗଣଅଣ୍ଡାଦାନ ହୋଇଥିଲା। ମାତ୍ର ୭ଦିନରେ ୬ଲକ୍ଷ ୩୭ହଜାର ୮ ଅଲିଭ୍ ରିଡ୍ଲେ କଇଁଛ ଋଷିକୁଲ୍ୟା ମୁହାଣରେ ଗଣଅଣ୍ଡାଦାନ ପ୍ରକ୍ରିୟାରେ ସାମିଲ ହୋଇଥିଲେ। ଯାହାକି ଏକ ରେକର୍ଡ ସୃଷ୍ଟି କରିଥିଲା। ଚଳିତବର୍ଷ ଦିନ ସମୟରେ ମଧ୍ୟ ଅଣ୍ଡାଦାନ ହୋଇଥିଲା। ଦୀର୍ଘ ୩୦ବର୍ଷ ତଳେ ଅଲିଭ୍ ରିଡ୍ଲେ କଇଁଛ ଦିନ ସମୟରେ ଅଣ୍ଡାଦାନ କରିଥିଲେ। ଗଞ୍ଜାମ ବ୍ଲକ୍ର ପୋଡ଼ମ୍ପେଟାରୁ ବଟେଶ୍ବର ପର୍ଯ୍ୟନ୍ତ ସୃଷ୍ଟି ହୋଇଥିବା ବାଲୁକାଶଯ୍ୟାରେ କଇଁଛ ଅଣ୍ଡାଦାନ କରିଥିଲେ। ଏବେ ଅଣ୍ଡା ଫୁଟି ଛୁଆ ବାହାରିବା ପ୍ରକ୍ରିୟା ଆରମ୍ଭ ହୋଇଛି।