ବଚନ ସ୍ୱାଇଁ ହତ୍ୟା ମାମଲା : ୨ ଭାଇ ଜେଲ୍‌ ଗଲେ

ରକ୍ତଲଗା ଛୁରୀ ଓ ଠେଙ୍ଗା ଜବତ

କୁକୁଡ଼ାଖଣ୍ଡି/ଦିଗପହଣ୍ଡି : କୁକୁଡ଼ାଖଣ୍ଡି ବ୍ଲକ୍‌ ତଥା ଦିଗପହଣ୍ଡି ଥାନା ଅଧୀନ ବନ୍ଥପଲ୍ଲୀ ଗ୍ରାମର ବଚନ ସ୍ବାଇଁ ହତ୍ୟା ଘଟଣା ଉପରୁ ପରଦା ହଟାଇଛି ଦିଗପହଣ୍ଡି ପୁଲିସ। ଜୁଆ ଖେଳରୁ ଏହି ହତ୍ୟାକାଣ୍ଡ ଘଟିଥିବା ସ୍ପଷ୍ଟ କରିଛି। ଏହି ଘଟଣାରେ ବନ୍ଥପଲ୍ଲୀ ଗ୍ରାମର କଙ୍ଗାରୁ ଭୁୟାଁ(୫୨) ଏବଂ ତାଙ୍କ ଭାଇ କାଳିଆ ଓରଫ ସୁଶାନ୍ତ ଭୁୟାଁଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି। ଅଭିଯୁକ୍ତ କାଳିଆ ଠାରୁ ପୁଲିସ ହତ୍ୟାକାଣ୍ଡରେ ବ୍ୟବହୃତ ରକ୍ତ ଲାଗିଥିବା ଛୁରୀ ଏବଂ ଅଭିଯୁକ୍ତ କଙ୍ଗାରୁ ଠାରୁ ହତ୍ୟାକାଣ୍ଡରେ ବ୍ୟବହୃତ ଠେଙ୍ଗା ଜବତ କରିଛି।

ବ୍ରହ୍ମପୁର ଅତିିରିକ୍ତ ଏସ୍‌.ପି ପ୍ରଭାତ କୁମାର ରାଉତରାୟ କହିଛନ୍ତି, ଗତ ୨୩ ତାରିଖ ବିଳମ୍ବିତ ରାତି ଯାଏ କାଳିଆ ଭୂୟାଁ ଏବଂ ବନ୍ଥପଲ୍ଳୀ ଗ୍ରାମର କିଛି ଲୋକ ଜୁ୍ଆ ଖେଳୁଥିଲେ। ତା’ପରଦିନ ଭୋର୍‌ରୁ ପୁଣି ମୃତ ବଚନ ସ୍ବାଇଁଙ୍କ ଘର ଠାରୁ ୪ ରୁ ୫ ଘର ଛଡ଼ା ଟିଟୁ ଭୂୟାଁ ଘରେ କାଳିଆ ଭୂୟାଁ, ଟିଟୁ ଭୂୟାଁ, ପେଟା ବିଷୋୟୀ, ଏବଂ ବଚନ ଜୁଆ ଖେଳିଥିଲେ। ଏହି ଖେଳରେ କାଳିଆ ଭୂୟାଁ ୫ ହଜାର ଟଙ୍କା ଜିତିଥିଲେ। ଏଥିରେ ଉତକ୍ଷିପ୍ତ ହୋଇ ବଚନ ଗାଳି ଗୁଲଜ କରିବା ସହ ସେମାନଙ୍କୁ ବିଅର ବୋତଲରେ ଆକ୍ରମଣ କରିଥିଲେ। ଏଥିରେ ଉତକ୍ଷିପ୍ତ ହୋଇ କାଳିଆ ଘରକୁ ଯାଇ ଛୁରୀ ନେଇ ଆଣି ବଚନଙ୍କ ପେଟକୁ ବାରମ୍ବାର ଭୁସି ଦେଇଥିଲେ। ଏହି ସମୟରେ କଙ୍ଗାରୁ ମଧ୍ୟ ଠେଙ୍ଗାରେ ବଚନଙ୍କୁ ଆକ୍ରମଣ କରିଥିଲେ। ବଚନ ରକ୍ତ ଜୁଡୁବୁଡୁ ଅବସ୍ଥାରେ ଦୌଡ଼ି ଯିବାକୁ ଉଦ୍ୟମ କରୁଥିବା ବେଳେ ଏକ ନାଳରେ ପଡ଼ି ଯାଇଥିଲେ। ଉଭୟ କାଳିଆ ଓ କଙ୍ଗାରୁ ପୁଣି ଛୁରୀରେ ପେଟକୁ ଭୁସିବା ସହ ଠେଙ୍ଗାରେ ପିଟିଥିଲେ। ବଚନ ବେହୋସ୍‌ ହୋଇ ପଡ଼ିଯିବାରୁ ସେଠାରୁ ଫେରାର ହୋଇ ଯାଇଥିଲେ। ପରିବାର ଲୋକେ ଗୁୁରୁତର ବଚନଙ୍କୁ ଏକ ବାଇକ୍‌ ଯୋଗେ ବ୍ରହ୍ମପୁର ବଡ଼ ଡାକ୍ତରଖାନାକୁ ଆଣିଥିଲେ। ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ଏ ଘଟଣାରେ ଲକ୍ଷ୍ମୀ ସ୍ବାଇଁଙ୍କ ଅଭିଯୋଗକୁ ଭିତ୍ତି କରି ପୁଲିସ ୩୦୨/୨୯୪/ ୫୦୬/୩୪ ଆଇପିସିରେ କେସ୍‌ ନଂ- ୨୫୦/୨୦ରେ ମାମଲା ରୁଜୁ କରିଛି। ଏତଲାରେ ନାମ ଥିବା ଅନ୍ୟ ୩ ଜଣଙ୍କ ଏହି ଘଟଣାରେ ସମ୍ପୃକ୍ତି ରହିଛି କି ନାହିଁ ତାହା ଉପରେ ତଦନ୍ତ ଚାଲିଥିବା ପୁଲିସ ସୂଚନା ଦେଇଛିି।

ସମ୍ବନ୍ଧିତ ଖବର