ଭୁବନେଶ୍ବର : ଓଡ଼ିଶା ବିଧାନସଭାର ବାଚସ୍ପତି ନିର୍ବାଚନ ଆସନ୍ତା ୧୩ ତାରିଖରେ ଅନୁଷ୍ଠିତ ହେବ। ଏଥିପାଇଁ ବିଜେଡିର ବରିଷ୍ଠ ବିଧାୟକ ବିକ୍ରମ କେଶରୀ ଆରୁଖ ପ୍ରାର୍ଥିପତ୍ର ଦାଖଲ କରିଛନ୍ତି। ଶୁକ୍ରବାର ପୂର୍ବାହ୍ନରେ ମନ୍ତ୍ରୀ ଓ ଦଳୀୟ ବିଧାୟକଙ୍କ ଗହଣରେ ସେ ବିଧାନସଭା ସଚିବଙ୍କ ନିକଟରେ ପ୍ରାର୍ଥିପତ୍ର ଦାଖଲ କରିଥିଲେ। ଏହି ଅବସରରେ ଅର୍ଥ ମନ୍ତ୍ରୀ ନିରଞ୍ଜନ ପୂଜାରୀ, ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ, ବିଧାୟକ ପ୍ରଣବ ପ୍ରକାଶ ଦାସଙ୍କ ସମେତ ଅନେକ ବିଧାୟକ ଉପସ୍ଥିତ ଥିଲେ। ଆସନ୍ତା ୧୩ ତାରିଖରେ ବିଧାନସଭାର ସ୍ବତନ୍ତ୍ର ଅଧିବେଶନ ଡକାଯାଇ ବାଚସ୍ପତି ନିର୍ବାଚନ ହେବ।
ଗଣମାଧ୍ୟମକୁ ଶ୍ରୀ ଆରୁଖ କହିଥିଲେ ଯେ ବାଚସ୍ପତି ନିର୍ବାଚନ ପାଇଁ ମୁଖ୍ୟମନ୍ତ୍ରୀ ମୋ ନାଁ ପ୍ରସ୍ତାବ କରିଥିବାରୁ ତାଙ୍କୁ ଆନ୍ତରିକ ଧନ୍ୟବାଦ ଜଣାଉଛି। ସମସ୍ତ ମନ୍ତ୍ରୀ ଓ ବିଧାୟକଙ୍କୁ ମଧ୍ୟ ଧନ୍ୟବାଦ ଜଣାଉଛି। ବିଧାନସଭାର ପରମ୍ପରା ଓ ଗାରିମା ରକ୍ଷା ପାଇଁ ଉଦ୍ୟମ କରିବି। ଗୃହର ସୁପରିଚାଳନା ପାଇଁ ସମସ୍ତଙ୍କ ସହଯୋଗ କାମନା କରୁଛି।
ସୂଚନାଯୋଗ୍ୟ ଯେ ପୂର୍ବତନ ବାଚସ୍ପତି ସୂର୍ଯ୍ୟ ନାରାୟଣ ପାତ୍ର ତାଙ୍କ ସ୍ବାସ୍ଥ୍ୟଗତ କାରଣ ଦର୍ଶାଇ ଗତ ୪ ତାରିଖରେ ବାଚସ୍ପତି ପଦରୁ ଇସ୍ତଫା ଦେଇଥିଲେ। ସେହିଦିନ ବିକ୍ରମ କେଶରୀ ଆରୁଖଙ୍କ ସମେତ ସବୁ ମନ୍ତ୍ରୀ ମନ୍ତ୍ରିମଣ୍ଡଳରୁ ଇସ୍ତଫା ଦେଇଥିଲେ। ଶ୍ରୀ ଆରୁଖଙ୍କୁ ବାଚସ୍ପତି ପ୍ରାର୍ଥୀ କରାଯିବା ନେଇ ବିଜେଡି ପକ୍ଷରୁ ଘୋଷଣା କରାଯାଇଥିଲା।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2022/06/2-9.jpg)