ରାଜ୍ୟ ବିଧାନସଭାର ବାଚସ୍ପତି ନିର୍ବାଚନ ଜୁନ୍‌ ୧୩ରେ

ଭୁବନେଶ୍ବର : ରାଜ୍ୟ ବିଧାନସଭାର ବାଚସ୍ପତି ନିର୍ବାଚନ ଜୁନ୍‌ ୧୩ରେ ହେବ। ଏହି ଦିନ ବାଚସ୍ପତିି ନିର୍ବାଚନ ପାଇଁ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ୍ ସମୟ ଦେବା ପରେ ବିଧାନସଭା ସଚିବାଳୟ ପକ୍ଷରୁ ସମସ୍ତ ବିଧାୟକମାନଙ୍କୁ ଏନେଇ ଅବଗତ କରାଯାଇଛି। ବିଧାନସଭା ସଚିବ ଦାଶରଥୀ ଶତପଥୀ ସମସ୍ତ ବିଧାୟକଙ୍କୁ ଚିଠି ଲେଖି ଜଣାଇଛନ୍ତି ଯେ, ଜୁନ୍‌ ୧୩ତାରିଖ ପୂର୍ବାହ୍ନ ସାଢ଼େ ୧୦ଟାରେ ବିଧାନସଭା ପରିସରରେ ବାଚସ୍ପତି ନିର୍ବାଚନ ହେବ। ତେଣୁ ଉପସ୍ଥିତ ରହିବେ।

ବାଚସ୍ପତି ନିର୍ବାଚନ ପାଇଁ ଶୁକ୍ରବାର ପ୍ରାର୍ଥିପତ୍ର ଦାଖଲ କରାଯିବ। ମିଳିଥିବା ସୂଚନା ଅନୁଯାୟୀ, ପୂର୍ବତନ ମନ୍ତ୍ରୀ ବିକ୍ରମ କେଶରୀ ଆରୁଖ ବାଚସ୍ପତି ପଦବି ପାଇଁ ବିଜେଡି ଦଳରୁ ପ୍ରାର୍ଥିପତ୍ର ଦାଖଲ କରିବେ। ଅନ୍ୟ ରାଜନୈତିକ ଦଳର ସଂଖ୍ୟା ଗରିଷ୍ଠ ବିଧା‌ୟକ ନଥିବାରୁ ଆଉ କେହି ନାମାଙ୍କନପତ୍ର ଦାଖଲ କରିବେନି ବୋଲି ଜଣାପଡ଼ିଛି।

ସୂଚନାଯୋଗ୍ୟ ଯେ ମନ୍ତ୍ରିମଣ୍ଡଳ ଅଦଳବଦଳ ପାଇଁ ମୁଖ୍ୟମନ୍ତ୍ରୀ ସମସ୍ତ ମନ୍ତ୍ରୀ, ବାଚସ୍ପତିଙ୍କର ଇସ୍ତଫା ମାଗିଥିବା ବେଳେ ଜୁନ୍‌ ୪ରେ ସୂର୍ଯ୍ୟନାରାୟଣ ପାତ୍ର ବାଚସ୍ପତି ପଦରୁ ଇସ୍ତଫା ଦେଇଥିଲେ। ଶ୍ରୀ ପାତ୍ର ବିଜେଡି ସରକାରର ପଞ୍ଚମ ପାଳିରେ ପ୍ରାୟ ତିନିବର୍ଷ ପାଇଁ ବାଚସ୍ପତି ଭାବେ କାର୍ଯ୍ୟ କରିଥିଲେ।

ସମ୍ବନ୍ଧିତ ଖବର