ବାଚସ୍ପତି ଗୃହରେ ଜଣେ ନିରପେକ୍ଷ ରେଫରି: ସୂର୍ଯ୍ୟ

ଭୁବନେଶ୍ବର : ବିଧାନସଭା ଓ ସଂସଦର ଗରିମା ରକ୍ଷା କରିବାରେ ବାଚସ୍ପତିଙ୍କ ଗୁରୁତ୍ବପୂର୍ଣ୍ଣ ଭୂମିକା ରହିଛି। ସାଂସଦ ଓ ବିଧାୟକମାନେ ଏହାକୁ ହୃଦୟଙ୍ଗମ କରିବା ସହ ଗୃହରେ ନିଜର ଆଚରଣ ରଖିବା ଉଚିତ୍ ବୋଲି ହିମାଚଳ ପ୍ରଦେଶର ସିମ୍‌ଲାଠାରେ ଅନୁଷ୍ଠିତ ଭାରତୀୟ ବାଚସ୍ପତି ସମ୍ମିଳନୀରେ ମତ ଦେଇଛନ୍ତି ଓଡ଼ିଶା ବିଧାନସଭା ବାଚସ୍ପତି ସୂର୍ଯ୍ୟ ନାରାୟଣ ପାତ୍ର।

ଭାରତୀୟ ବାଚସ୍ପତି ସମ୍ମିଳନୀର ଶତବାର୍ଷିକୀ ହିମାଚଳ ପ୍ରଦେଶର ସିମଲଠାରେ ଅନୁଷ୍ଠିତ ହୋଇଛି। ଏଥିରେ ବାଚସ୍ପତି ଶ୍ରୀ ପାତ୍ର ‘ସମ୍ବିଧାନ, ଗୃହ ଓ ଜନସାଧାରଣଙ୍କ ପ୍ରତି ଗୃହ ଅଧ୍ୟକ୍ଷଙ୍କ ଦାୟିତ୍ବବୋଧ’ ଉପରେ ମତ ରଖିଥିଲେ। ସେ କହିଥିଲେ ଯେ ଜନସାଧାରଣଙ୍କ ମୌଳିକ ସମସ୍ୟା ଓ ଆବଶ୍ୟକତା ସଂସଦ ଓ ବିଧାନସଭାରେ ସଂପୂର୍ଣ୍ଣଭାବେ ପ୍ରତିଫଳିତ ହେବା ଆବଶ୍ୟକ। ବିରୋଧୀ ଦଳମାନଙ୍କର ମଧ୍ୟ ସମ୍ବିଧାନର ସୁରକ୍ଷା ଓ ଜନସାଧାରଣଙ୍କ ସ୍ବପ୍ନକୁ ସାକାର କରିବାରେ ଏକ ମୁଖ୍ୟ ଭୂମିକା ରହିଛି। ବିରୋଧୀ ଦଳ ଗୃହର ସ୍ବାଭାବିକ କାର୍ଯ୍ୟରେ ସହଯୋଗ କରି ଏହି ଗୁରୁତ୍ବ ଦାୟିତ୍ବ ପାଳନ କରନ୍ତୁ। ବାଚସ୍ପତି ଗୃହରେ ଜଣେ ନିରପେକ୍ଷ ରେଫରି ବୋଲି ‌ଶ୍ରୀ ପାତ୍ର ମତ ଦେଇଥିଲେ।

ଦୁଇଦିନ ଧରି ଅନୁଷ୍ଠିତ ଏହି ସମ୍ମିଳନୀରେ ଲୋକସଭା ବାଚସ୍ପତି ଓମ୍‌ ବିର୍ଲା ଅଧ୍ୟକ୍ଷତା କରିଥିଲେ। ମୁଖ୍ୟ ଅତିଥିଭାବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଯୋଗ ଦେଇ ସଂସଦୀୟ ଗଣତନ୍ତ୍ରରେ ବାଚସ୍ପତିମାନଙ୍କ ମହନୀୟ ଓ ନିରପେକ୍ଷ ଭୂମିକା ଉପରେ ଆଲୋକପାତ କରିଥିଲେ। ହିମାଚଳ ପ୍ରଦେଶ ବିଧାନସଭାର ବାଚସ୍ପତି ବିପିନ ସିଂ ପରମର ସ୍ବାଗତ ଭାଷଣ ଦେଇଥିବା ବେଳେ ବିରୋଧୀ ଦଳ ନେତା ମୁକେଶ ଅଗ୍ନିହୋତ୍ରୀ, ରାଜ୍ୟସଭା ଉପାଧ୍ୟକ୍ଷ ହରିବଂଶ, ହିମାଚଳ ପ୍ରଦେଶ ମୁଖ୍ୟମନ୍ତ୍ରୀ ଜୟରାମ ଠାକୁର ପ୍ରମୁଖ ନିଜର ବକ୍ତବ୍ୟ ରଖିଥିଲେ। ହିମାଚଳ ପ୍ରଦେଶ ବିଧାନସଭା ଉପ-ବାଚସ୍ପତି ହଂସରାଜ ଧନ୍ୟବାଦ ପ୍ରସ୍ତାବ ଆଗତ କରିଥିଲେ।

ସମ୍ବନ୍ଧିତ ଖବର