ଭୁବନେଶ୍ୱର : ଏଣିକି ବିଧାନସଭା କିମ୍ବା ଗୃହରେ ଉପସ୍ଥିତ ଥିବା କୌଣସି ବିଧାୟକଙ୍କ ସମ୍ପର୍କରେ ଭୁଲ ଓ ବିଭ୍ରାନ୍ତିକର ଖବର ପ୍ରକାଶ କଲେ କାର୍ଯ୍ୟାନୁଷ୍ଠାନ ହେବ। ବଲାଙ୍ଗୀରର ଜନୈକ ସାମ୍ବାଦିକ କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ରଙ୍କ ସମ୍ପର୍କରେ ବିଭ୍ରାନ୍ତିକର ଖବର ଛାପିଥିବା ନେଇ ଆପତ୍ତି ଉପରେ ଏପରି ରୁଲିଂ ଦେଇଛନ୍ତି ବାଚସ୍ପତି ସୂର୍ଯ୍ୟ ନାରାୟଣ ପାତ୍ର। ଏହାସହିତ ଶ୍ରୀ ପାତ୍ର କହିଛନ୍ତି, କେହି ବି ସାମ୍ବାଦିକ ଗୃହ ଭିତରେ ବିଧାୟକମାନେ ଯାହା କହୁଛନ୍ତି ତାକୁ ହିଁ କେବଳ ଲେଖିପାରିବେ। ଏହାର କୌଣସି ପ୍ରକାର ବ୍ୟତିକ୍ରମ ହେବ ନାହିଁ। ବିଶେଷକରି ବିଧାନସଭା ଖବର ସଂଗ୍ରହ ପାଇଁ ଅନୁମତି ପାଇନଥିବା ଓ ଗୃହ ବାହାରେ ଥିବା ସାମ୍ବାଦିକମାନେ ଏ ଗୃହ କିମ୍ବା କୌଣସି ସଦସ୍ୟଙ୍କ ସମ୍ପର୍କରେ ଅସତ୍ୟ ଖବର ଦେଇପାରିବେ ନାହିଁ। ଯଦି ଭବିଷ୍ୟତରେ ଏପରି ଘଟଣା ସାମାନାକୁ ଆସେ ତାହେଲେ, ସମ୍ପୃକ୍ତ ସାମ୍ବାଦିକଙ୍କୁ ଦଣ୍ଡିତ କରାଯିବ।
ଶନିବାର ଗୃହ କାର୍ଯ୍ୟ ଆରମ୍ଭ ହେବା ମାତ୍ରେ କଂଗ୍ରେସ ବିଧାୟକ ଦଳ ନେତା ଶ୍ରୀ ମିଶ୍ର ବାଚସ୍ପତିଙ୍କ ଦୃଷ୍ଟି ଆକର୍ଷଣ କରି କହିଲେ, ରାଜ୍ୟର ଗୋଟିଏ ପ୍ରତିଷ୍ଠିତ ଦୈନିକ ଖବରକାଗଜର ସାମ୍ବାଦିକ ବଲାଙ୍ଗୀର ବିଧାୟକ ତଥା ତାଙ୍କ ବିରୋଧରେ ବିଭ୍ରାନ୍ତିକର ଖବର ପ୍ରକାଶ କରିଛନ୍ତି। ଯଦି ଏହାର ଉଚିତ ବିଚାର ନ ହୁଏ, ତାହେଲେ ସେ ଗୃହରେ ସ୍ବାଧିକାର ଭଙ୍ଗ ନୋଟିସ୍ ଦେବେ। ସମ୍ପୃକ୍ତ ସାମ୍ବାଦିକ ଖବରକାଗଜରେ ଯାହା ଲେଖିଛନ୍ତି, ସେ ସମ୍ପର୍କରେ ଶ୍ରୀ ମିଶ୍ର କହିଥିଲେ, 'ବଲାଙ୍ଗୀର ବିଧାୟକ କେବଳ ଗୋଟିଏ କୋଭିଡ୍ ସେଣ୍ଟରରେ କିଛି ଘଟଣା ଘଟିଥିବା ନେଇ ବାରମ୍ବାର ଗୃହରେ ଉପସ୍ଥାପିତ କରିଛନ୍ତି। ବଲାଙ୍ଗୀର ଡାକ୍ତରଖାନାମାନଙ୍କରେ ଯାହାସବୁ ସମସ୍ୟା ଅଛି ବା ଅଭାବ ପୂରଣ କରିବା କଥା, ସେ ବିଷୟରେ ଆଲୋଚନା କରାଯାଉ ବୋଲି ଗୃହରେ କହିନଥିଲେ।' ଶ୍ରୀ ମିଶ୍ର ଆହୁରି ଦର୍ଶାଇଥିଲେ କି ସେହି ଖବରକାଗଜ 'କରୋନା ଯୋଗୁ ସରକାର କୋମାରେ' ବୋଲି ପୂର୍ବରୁ ଗୃହରେ ସେ କହିଥିବା ପ୍ରକାଶ କରିଛି। ଏପରି ଭୁଲ ଓ ଅସତ୍ୟ ଖବର ପ୍ରକାଶ କରିଥିବା ସାମ୍ବାଦିକଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ପାଇଁ ଶ୍ରୀ ମିଶ୍ର ଦାବି କରିଥିଲେ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2020/07/odisha-assembly-odishaassembly.nic_.in_.jpg)