ଭୁବନେଶ୍ବର: ଶୀତର କୋମଳ ସ୍ପର୍ଶକୁ ଅପେକ୍ଷା କରିଥିବା ରାଜ୍ୟବାସୀ ଏବେ ଆହୁରି ଦୁଇଟି ଲଘୁଚାପର ପ୍ରକୋପ ସହିବେ। ଦକ୍ଷିଣ-ପଶ୍ଚିମ ମୌସୁମୀ ରାଜ୍ୟରୁ ବିଦାୟ ନେଇସାରିଥିଲେ ବି ଆହୁରି ସପ୍ତାହେ ରାଜ୍ୟରେ ବର୍ଷା ସମ୍ଭାବନା ରହିଛି। ତେବେ ଉଭୟ ଲଘୁଚାପ ମିଶି ବାତ୍ୟା ଆଶଙ୍କା ସୃଷ୍ଟି କରୁଥିବା ବେଳେ ଏଯାଏଁ ପାଣିପାଗ ବିଜ୍ଞାନୀମାନେ ବାତ୍ୟାକୁ ନେଇ କୌଣସି ଆକଳନ କରିନାହାନ୍ତି। ଦକ୍ଷିଣ-ପଶ୍ଚିମବଙ୍ଗୋପସାଗର ଉପରେ ଆଜି ଏକ ସ୍ପଷ୍ଟଚିହ୍ନିତ ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇଛି। ଏହା ଧୀରେ ଧୀରେ ପଶ୍ଚିମ-ଉତ୍ତରପଶ୍ଚିମ ଆଡ଼କୁ ଗତି କରିବା ସହ ଘନୀଭୂତ ହୋଇ ଆସନ୍ତାକାଲି (ବୁଧବାର) ସୁଦ୍ଧା ତାମିଲନାଡୁ ଓ ଦକ୍ଷିଣ ଆନ୍ଧ୍ରପ୍ରଦେଶ ଉପକୂଳ ଦକ୍ଷିଣ-ପଶ୍ଚିମ ଓ ସଂଲଗ୍ନ ପଶ୍ଚିମ-କେନ୍ଦ୍ରୀୟ ବଙ୍ଗୋପସାଗରରେ ଅବପାତର ରୂପ ନେବ। ପରବର୍ତ୍ତୀ ୨୪ ଘଣ୍ଟାରେ ଏହା ପଶ୍ଚିମ-ଉତ୍ତରପଶ୍ଚିମ ଆଡ଼କୁ ଗତି କରି ଉତ୍ତର ତାମିଲନାଡୁ, ପୁଡୁଚେରୀ ଓ ଦକ୍ଷିଣ ଆନ୍ଧ୍ରପ୍ରଦେଶ ଉପକୂଳ ଆଡ଼କୁ ଗତି କରିବ ଏବଂ ଅଧିକ ଘନୀଭୂତ ହେବ। ତେବେ ଏହା କେତେ ଘନୀଭୂତ ହେବ ଓ କେଉଁ ରୂପ ନେବ ସେ ନେଇ ଭାରତୀୟ  ପାଣିପାଗ ବିଭାଗ ଆଇଏମ୍‌ଡି କୌଣସି ସ୍ପଷ୍ଟ ଚିତ୍ର ଦେଇନାହିଁ। ଏହି ଅବପାତ ଯୋଗୁଁ ଉପକୂଳ ଓ ଦକ୍ଷିଣ ଓଡ଼ିଶାରେ ୨୫ ତାରିଖ ପର୍ଯ୍ୟନ୍ତ ବିଜୁଳି, ଘଡ଼ଘଡ଼ି ସହ ବର୍ଷା ସମ୍ଭାବନା ଥିବା ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ କୁହାଯାଇଛି। 

Advertisment

ସେହିଭଳି ଆସନ୍ତା ୨୬ କିମ୍ବା ୨୭ ତାରିଖ ବେଳକୁ ଦକ୍ଷିଣ ବଙ୍ଗୋପସାଗରରେ ଆଉ ଏକ ଲଘୁଚାପ ସୃଷ୍ଟି ହୋଇପାରେ ବୋଲି ଆକଳନ କରିଛନ୍ତି ବିଶିଷ୍ଟ ପାଣିପାଗ ବିଶେଷଜ୍ଞ ଶରତ ସାହୁ। ଏଥିସହ ଆସନ୍ତା ୨୯ କିମ୍ବା ୩୦ ତାରିଖ ବେଳକୁ ବଙ୍ଗୋପସାଗରରେ ତୃତୀୟ ଲଘୁଚାପ ସୃଷ୍ଟି ହେବାର ସମ୍ଭାବନା ରହିଥିବା ଆକଳନ କରାଯାଉଛି। ତେବେ ବର୍ତ୍ତମାନ ସୃଷ୍ଟି ହୋଇଥିବା ଲଘୁଚାପ ବେଶୀ ଘନୀଭୂତ ହୋଇନପାରେ। ଏ ପର୍ଯ୍ୟନ୍ତ ବାତ୍ୟା ନେଇ କୌଣସି ସମ୍ଭାବନା ନଥିବା ଶ୍ରୀ ସାହୁ କହିଛନ୍ତି। ତଥାପି ଦକ୍ଷିଣ ଓଡ଼ିଶା ଜିଲ୍ଲାଗୁଡ଼ିକରେ ଅଧିକ ବର୍ଷା ହେବା ନେଇ ଆକଳନ କରାଯାଇଛି। ପ୍ରଥମ ଲଘୁଚାପର ପ୍ରଭାବ ବେଶୀ ପଡ଼ିନପାରେ। କିନ୍ତୁ ଦ୍ବିତୀୟଟିର ପ୍ରଭାବ ଅଧିକ ରହିବ ବୋଲି ସେ ଆକଳନ କରିଛନ୍ତି। 

ଅନ୍ୟପକ୍ଷରେ ବିଭିନ୍ନ ଅନ୍ତର୍ଜାତୀୟ ମଡେଲର ଆକଳନକୁ ବି‌ଶ୍ଲେଷଣ କରି ବିଶିଷ୍ଟ ପାଣିପାଗ ବିଶେଷଜ୍ଞ ସୁରେନ୍ଦ୍ରନାଥ ପଶୁପାଳକ କହିଛନ୍ତି, ବଙ୍ଗୋପସାଗରରେ ଏହି ସପ୍ତା‌ହରେ ସମୁଦ୍ର ଓ ଉପରିସ୍ଥ ବାୟୁମଣ୍ଡଳର ପ୍ରତିକୂଳ ସ୍ଥିତି, ବର୍ତ୍ତମାନ ରହିଥିବା ଲଘୁଚାପ ୨୩-୨୪ ତାରିଖ ସୁଦ୍ଧା ଘନୀଭୂତ ନ ହୋଇ ୨୪-୨୫ ତାରିଖ ମଧ୍ୟରେ ସମ୍ଭାବ୍ୟ ଦ୍ବିତୀୟ ଲଘୁଚାପ ସହ ମିଶି ଗୋଟିଏ ସିଷ୍ଟମ୍‌ରେ ପରିଣତ ହେବ। ତେବେ ଏହା କେବେ ଓ କେତେ ଘନୀଭୂତ ହେବ ଏବଂ ଗତିପଥ କ’ଣ ରହିବ, ତାହା ବର୍ତ୍ତମାନ ଅନିଶ୍ଚିତତାରେ ରହିଛି। ୨୪ ତାରିଖ ବେଳକୁ ଏହା ଅଧିକ ସ୍ପଷ୍ଟ ହୋଇପାରେ।  ସାମୁଦ୍ରିକ ବାୟୁ ପ୍ରବାହ ଯୋଗୁଁ ଉତ୍ତରା ଥଣ୍ଡା ପବନ ରାଜ୍ୟକୁ ଆସି ପାରୁନାହିଁ। ସପ୍ତାହେ ପର୍ଯ୍ୟନ୍ତ ସର୍ବନିମ୍ନ ତାପମାତ୍ରାରେ ବିଶେଷ ପରିବର୍ତ୍ତନର ସମ୍ଭାବନା ନାହିଁ। ଏହାସହ ମଝି ମଝିରେ ବର୍ଷା ହୋଇପାରେ ଓ ପାଗ ମେଘୁଆ ରହିବ। ଫଳରେ ଧାନ ଓ ଅନ୍ୟାନ୍ୟ ଫସଲରେ ରୋଗପୋକ ବଢ଼ିପାରେ ଏବଂ ଏହାର ଦମନ ପାଇଁ ନିକଟସ୍ଥ କୃଷି ଅଧିକାରୀଙ୍କ ସହ ପରାମର୍ଶ କରିବାକୁ ଡ.ପଶୁପାଳକ କହିଛନ୍ତି।