ଭୁବନେଶ୍ବର: ସମାଜବାଦୀ ପାର୍ଟିର ମୁଖ୍ୟ ଅଖିଳେଶ ଯାଦବ ଆଜି ଓଡ଼ିଶା ଗସ୍ତରେ ଆସିଛନ୍ତି। ତାଙ୍କ ସହ ପତ୍ନୀ ଡିମ୍ପଲ ଯାଦବ ମଧ୍ୟ ରହିଛନ୍ତି। ଶ୍ରୀ ଯାଦବ କଂଗ୍ରେସର ବରିଷ୍ଠ ନେତା ଶ୍ରୀକାନ୍ତ ଜେନାଙ୍କୁ ଭେଟିବା ସହ ତାଙ୍କ ବାସଭବନରେ ଏକ ସାମ୍ବାଦିକ ସମ୍ମିଳନୀ କରିଥିଲେ। ସେ କହିଥିଲେ ଯେ ରାଜନୈତିକ ପରିସ୍ଥିତିକୁ ଦେଖି ଦେଶରେ ନ୍ୟାୟର ଶାସନ ଆବଶ୍ୟକ। ସାମାଜିକ ନ୍ୟାୟକୁ ନେଇ ବି.ଆର୍ ଆମ୍ବେଦକରଙ୍କ ଯେଉଁ ସ୍ବପ୍ନ ଥିଲା ତାହା ଆଜି ଜରୁରି ହୋଇପଡ଼ିଛି। ଲୋକଙ୍କ ଭିତରେ ଭେଦଭାବ ବଢ଼ି ଚାଲିଛି। ସାମ୍ବିଧାନିକ ସଂଗଠନଗୁଡ଼ିକରେ ସ୍ବାଧୀନତା ନାହିଁ। ଆଇନର ଶାସନ ଓ ସାମାଜିକ ନ୍ୟାୟ ପ୍ରତିଷ୍ଠା ହେବା ଉଚିତ। ପୂର୍ବରୁ ଜାତି ଜନଗଣନାକୁ ନେଇ କଂଗ୍ରେସ ସହ ଲଢ଼େଇ ହୋଇଛି। ଏବେ କଂଗ୍ରେସ ଏହାକୁ ସ୍ବୀକାର କରିଛି। ଜାତି ଜନଗଣନା ବିନା ସାମାଜିକ ନ୍ୟାୟ ସମ୍ଭବ ନୁହେଁ। ସମ୍ବିଧାନ ଦୁର୍ବଳ ହେଲେ ଲୋକତନ୍ତ୍ର ଦୁର୍ବଳ ହେବ। ଓଡ଼ିଶାରେ ସାମାଜିକ ନ୍ୟାୟର ଲଢ଼େଇ ଆଗକୁ ବଢ଼ିବା ଉଚିତ। ପଛୁଆ ବର୍ଗଙ୍କ ସହ ଯେଉଁ ଅନ୍ୟାୟ ହେଉଛି ତାହାକୁ କଳ୍ପନା କରିହେବ ନାହିଁ। ଶିକ୍ଷା ଓ ରୋଜଗାରରେ ପଛୁଆ ବର୍ଗଙ୍କୁ ଯେଉଁ ହକ୍ ମିଳିବା କଥା ତାହା ମିଳୁନାହିଁ। ଏଥିପାଇଁ ଲୋକମାନଙ୍କୁ ସଚେତନ କରିବୁ। ଜନଗଣନା ପରେ ହିଁ ସୀମା ପୁନଃ ନିର୍ଦ୍ଧାରଣ ସମ୍ଭବ ହେବ। ଜନଗଣନା ହେଲେ ଜାତି ଗଣନା ଦାବି କରିବୁ।
ଓଡ଼ିଶାରେ ପଛୁଆ ବର୍ଗଙ୍କୁ ଶିକ୍ଷା ଓ ରୋଜଗାରରେ ହକ୍ ମିଳୁନାହିଁ
କଂଗ୍ରେସ ଇଡି ପ୍ରତିଷ୍ଠା କରିଥିଲା, ଏବେ ନିଜେ ଅଡ଼ୁଆରେ ପଡ଼ିଛି
ମୁଁ କଂଗ୍ରେସରେ ଅଛି: ଶ୍ରୀକାନ୍ତ
ସେ ଆହୁରି ମଧ୍ୟ କହିଥିଲେ ଯେ କଂଗ୍ରେସ ଇଡି ପ୍ରତିଷ୍ଠା କରିଥିଲା। ଆଜି ଇଡି ପାଇଁ କଂଗ୍ରେସକୁ ବହୁ ସମସ୍ୟାର ସମ୍ମୁଖୀନ ହେବାକୁ ପଡ଼ୁଛି। ଦେଶରେ ଅର୍ଥନୈତିକ ଅପରାଧକୁ ଦେଖିବା ପାଇଁ ବହୁତ ଏଜେନ୍ସି ରହିଛି। ଏଭଳି ପରିସ୍ଥିତିରେ ଇଡିର କ’ଣ ଆବଶ୍ୟକତା ରହିଛି। ଓଡ଼ିଶାରେ ସମାଜବାଦୀ ପାର୍ଟିର ସଂଗଠନ ନାହିଁ। ଆଗାମୀ ଦିନରେ ଦଳକୁ ସୁଦୃଢ଼ କରି ଲୋକଙ୍କ ସହ ଯୋଡ଼ିବା ପାଇଁ ଉଦ୍ୟମ କରାଯିବ। ଅଖିଳେଶଙ୍କ ଏହି ବୟାନ ପରେ ଶ୍ରୀକାନ୍ତ ଜେନା ସମାଜବାଦୀ ପାର୍ଟିରେ ମିଶିବାକୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଥିଲା। ଶ୍ରୀ ଜେନା କହିଛନ୍ତି, ସାମାଜିକ ନ୍ୟାୟକୁ ନେଇ ଆଗରୁ ଲଢ଼େଇ ଜାରି ରହିଛି। ଏସ୍ସି ଏସ୍ଟି ଓ ସଂଖ୍ୟାଲଘୁମାନଙ୍କୁ କିଭଳି ସେମାନଙ୍କ ସାମ୍ବିଧାନିକ ଅଧିକାର ମିଳିବ ସେଥିପାଇଁ ସମସ୍ତେ ଏକ ହୋଇ ଲଢ଼େଇ କରିବେ। ମୁଁ କଂଗ୍ରେସ ଦଳରେ ରହିଛି। ଯେଉଁମାନେ ରାହୁଲ ଗାନ୍ଧୀଙ୍କୁ ଭେଟୁଛନ୍ତି ସେମାନେ କ’ଣ ଦଳ ବଦଳାଇ ଦେଉଛନ୍ତି। ସାମାଜିକ ନ୍ୟାୟକୁ ନେଇ କଂଗ୍ରେସ, ସମାଜବାଦୀ ପାର୍ଟି, ଆରଜେଡି ଓ ଅନ୍ୟ ଦଳ ସହ ଯେଉଁ ଏଜେଣ୍ଡା ପ୍ରସ୍ତୁତ ହୋଇଛି ଆଗାମୀ ଦିନରେ ଏହି ଦଳର ନେତାମାନେ ଗୋଟିଏ ମଞ୍ଚରେ ଏକାଠି ହେବେ। ଓଡ଼ିଶାରେ ୫୪% ଲୋକଙ୍କୁ ସଂରକ୍ଷଣ ମିଳୁନାହିଁ ବୋଲି ଶ୍ରୀ ଜେନା କହିଛନ୍ତି। ପିସିସି ସଭାପତି ଭକ୍ତଚରଣ ଦାସ କହିଛନ୍ତି, ଏହା କୌଣସି ରାଜନୈତିକ ଭେଟଘାଟ ନୁହେଁ। ଅଖିଳେଶ ଯାଦବ ‘ଇଣ୍ଡି’ ମେଣ୍ଟର ସହଯୋଗୀ। ମତେ ବି ସାକ୍ଷାତ ପାଇଁ ଡାକିଥିଲେ। ହେଲେ ଆଜି ଇଡି କାର୍ଯ୍ୟାଳୟ ଘେରାଉ କାର୍ଯ୍ୟକ୍ରମରେ ଥିବାରୁ ତାଙ୍କୁ ଭେଟିପାରି ନାହିଁ। ତାଙ୍କର ମନ୍ଦିର ଦର୍ଶନ କାର୍ଯ୍ୟକ୍ରମ ଆଗରୁ ରହିଥିଲା ବୋଲି ସେ କହିଛନ୍ତି।
ଏହାକୁ ନେଇ ରାଜ୍ୟ ବିଜେପି ସଭାପତି ମନମୋହନ ସାମଲ କହିଛନ୍ତି, ଅଖିଳେଶ ଯାଦବ ‘ଇଣ୍ଡି’ ମେଣ୍ଟର ସହଯୋଗୀ। ଉତ୍ତରପ୍ରଦେଶରେ ଅଖିଳେଶ ଯାଦବ ମୁଖ୍ୟମନ୍ତ୍ରୀ ଥିବା ସମୟରେ ଅପରାଧୀ ଓ ଅସାମାଜିକ ବ୍ୟକ୍ତିମାନଙ୍କୁ ପ୍ରୋତ୍ସାହନ ଦେଲେ। ଆଇନର ଶାସନ ନ ଥିଲା। ୫ବର୍ଷର ମୁଖ୍ୟମନ୍ତ୍ରୀତ୍ବ କାଳରେ ଉତ୍ତରପ୍ରଦେଶରେ ଅରାଜକତା ଓ ପାତର ଅନ୍ତର ନୀତି ଆରମ୍ଭ କରିଥିଲେ ବୋଲି ଶ୍ରୀ ସାମଲ କହିଛନ୍ତି।