ବିଏଡ୍‌-ଏମ୍‌ଏଡ୍‌ ଛାତ୍ରଛାତ୍ରୀଙ୍କ ପଦଯାତ୍ରାକୁ ଅଟକାଇଲା ପୁଲିସ

୩ ଦିନ ମଧ୍ୟରେ ସମାଧାନ ପ୍ରତିଶ୍ରୁତି ପରେ ବାରିପଦାରେ ପଦଯାତ୍ରା ସ୍ଥଗିତ

ବାଲେଶ୍ବର/ବାରିପଦା: ଶିକ୍ଷକ ପ୍ରବେଶିକା ପରୀକ୍ଷା (ଓଟିଇଟି)ରୁ ବଞ୍ଚିତ ହୋଇଥିବା ଛାତ୍ରଛାତ୍ରୀଙ୍କ ବିକ୍ଷୋଭ ଓ ଧାରଣା ପରେ ବି ବିଶ୍ବବିଦ୍ୟାଳୟ କର୍ତ୍ତୃପକ୍ଷ ଏବଂ ସରକାର କିଛି ହେଜିଲେନି। ତେଣୁ ବାଧ୍ୟ ହୋଇ ରାଜରାସ୍ତାକୁ ଓହ୍ଲାଇବା ସହ ଶାନ୍ତିପୂର୍ଣ୍ଣ ଭାବେ ହାତରେ ବ୍ୟାନର ଓ ପ୍ଲାକାର୍ଡ ଧରି ଭୁବନେଶ୍ବରକୁ ପଦଯାତ୍ରାରେ ବାହାରିଥିଲେ ବାଲେଶ୍ବର ଫକୀରମୋହନ ବିଶ୍ବବିଦ୍ୟାଳୟରେ ପଢ଼ୁଥିବା ଇଣ୍ଟିଗ୍ରେଟେଡ୍‌ ବିଏଡ୍‌ ଓ ଏମ୍‌ଏଡ୍‌ ପାଠ୍ୟକ୍ରମର ଶତାଧିକ ଛାତ୍ରଛାତ୍ରୀ। ହେଲେ ଜିଲ୍ଲା ପ୍ରଶାସନ ଓ ପୁଲିସ ସେମାନଙ୍କୁ ରାସ୍ତାରେ ଅଟକାଇଦେଲା। ପଦଯାତ୍ରା ବନ୍ଦ ପରେ ସମସ୍ତେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପରିସରରେ ଧାରଣା ଦେବା ସହ ନାରାବାଜି କରିଥିଲେ। ପରେ ଧାରଣାସ୍ଥଳରେ ବାଲେଶ୍ବର ସଦର ବିଧାୟକ, ଜିଲ୍ଲା ପ୍ରଶାସନର ଅଧିକାରୀ ଓ ବିଶ୍ବବିଦ୍ୟାଳୟ କର୍ତ୍ତୃପକ୍ଷଙ୍କ ମଧ୍ୟରେ ଆଲୋଚନା ବୈଠକ ବସି ଦାବି ପୂରଣ ନିମନ୍ତେ ପ୍ରତିଶ୍ରୁତି ମିଳିଥିବା ଜଣାଯାଇଛି। । ସେହିଭଳି, ନାରାବାଜି କରି, ପ୍ଲାକାର୍ଡ ଧରି ଉତ୍ତର ଓଡ଼ିଶା ବିଶ୍ବବିଦ୍ୟାଳୟର ସମନ୍ବିତ ବିଏଡ୍‌ ଓ ଏମ୍‌ଏଡ ଛାତ୍ରଛାତ୍ରୀମାନେ ପୂର୍ବ ଯୋଜନା ମୁତାବକ ଲୋକସେବା ଭବନ ଆଗରେ ଧାରଣା ଦେବାକୁ ରାଜଧାନୀ ଅଭିମୁଖେ ପଦଯାତ୍ରା ଆରମ୍ଭ କରିଥିଲେ। ବିଶ୍ବବିଦ୍ୟାଳୟ ମୁଖ୍ୟ ଫାଟକ ନିକଟରୁ ଆରମ୍ଭ ହୋଇଥିବା ଏହି ପଦଯାତ୍ରା ଆଇନ ମହାବିଦ୍ୟାଳୟ ଯାଏ ଗଲାପରେ ଛାତ୍ରଛାତ୍ରୀଙ୍କ ନିକଟରେ ପହଞ୍ଚିଥିଲେ ପ୍ରଶାସନିକ ଅଧିକାରୀ। ପରେ ଉପଜିଲ୍ଲାପାଳ ଦିବ୍ୟଜ୍ୟୋତି ପରିଡ଼ା ଓ ଆରକ୍ଷୀ ଅଧିକ୍ଷକ ସ୍ମିତ୍‌ ପରମାର୍ ପରଷୋତ୍ତମ ଦାସ ପହଞ୍ଚି ଆଲୋଚନା କରିଥିଲେ ଓ ଆଉ ଆଗକୁ ଯିବାକୁ ଦେଇନଥିଲେ। ପ୍ରାୟ ୩ଘଣ୍ଟା କାଳ ଆଲୋଚନା ପରେ ଜିଲ୍ଲାପାଳ ଉପଜିଲ୍ଲାପାଳଙ୍କ ମାଧ୍ୟମରେ ଛାତ୍ରଛାତ୍ରୀଙ୍କୁ ଏକ ଲିଖିତ ପ୍ରତିଶ୍ରୁତି ଦେଇଥିଲେ।

ସମ୍ବନ୍ଧିତ ଖବର