କଲେଜର ଭଙ୍ଗା କୋଠରିରେ ଗଢ଼ା ହେଉଛି ପିଲାଙ୍କ ଭବିଷ୍ୟତ, ମିଳୁନି ସରକାରୀ ଅନୁଦାନ

ପରିସ୍ରାଗାର-ପିଇବା ପାଣି-ପାଠାଗାର ନାହିଁ, ପଡ଼ିଆରେ ଜମିଛି ପାଣି

ଜଗତସିଂହପୁର ଟାଉନ୍‌/ମାଛଗାଁ: ସରକାର ଶିକ୍ଷାନୁଷ୍ଠାନ ଗୁଡ଼ିକୁ ସ୍ମାର୍ଟ କରିବାକୁ ଉଦ୍ୟମ କରୁଛନ୍ତି। ସ୍ମାର୍ଟ କ୍ଲାସ୍‌ରେ ପିଲା ପଢ଼ିବା ପାଇଁ ଗୁରୁତ୍ୱ ଦେଇ ଭିତ୍ତିଭୂମିର ବିକାଶ କରୁଛନ୍ତି। କିନ୍ତୁ ବାସ୍ତବରେ କେମିତି ପଢ଼ୁଛନ୍ତି ପିଲା, କେମିତି ରହିଛି କଲେଜ ପରିସର? ଜଗତସିଂହପୁର ଜିଲ୍ଲା ବାଲିକୁଦା ବ୍ଲକ୍‌ ବରମୁଣ୍ଡଳୀ ପଂଚାୟତ ତାଳଗାଁଠାରେ ଥିବା ବାସୁମହାପାତ୍ର ସ୍ମାରକୀ ମହାବିଦ୍ୟାଳୟକୁ ନଦେଖିଲେ ବିଶ୍ୱାସ କରିହେବ ନାହିଁ। ଏମିତି ଦୟନୀୟ ଅବସ୍ଥାରେ ବି ପାଠ ପଢ଼ା ହେଉଛି। ନାହିଁ ନାହିଁରେ ଚାଲିଛି ମହାବିଦ୍ୟାଳୟ ନା ଅଛି ଭଲ ଶ୍ରେଣୀ ଗୃହ, ବ୍ଲାକ୍‌ ବୋର୍ଡ, ଡେସ୍କ ବେଚଂ ଖେଳପଡ଼ିଆ, ଶୌଚାଳୟ, ପିଇବା ପାଣି। କମନରୁମ୍‌ କଥା ନକହିଲେ ଭଲ।

କରୋନା କଟକଣା କୋହଳ ପରେ ଏବେ ଯୁକ୍ତ ଦୁଇ ଛାତ୍ରଛାତ୍ରୀ କଲେଜ ଆସୁଛନ୍ତି। ଏ କଲେଜର ପିଲାମାନେ ମଧ୍ୟ କ୍ଲାସ୍‌ କରିବା ପାଇଁ କଲେଜ ଆସୁଛନ୍ତି। ହେଲେ କଲେଜ ଭିତରକୁ ଯିବା ପାଇଁ ଡର ଲାଗୁଛି। କଲେଜର କଳଙ୍କି ଫାଟକ, ଭଙ୍ଗା ଘର ଏବଂ ବଣ ବୁଦା ଦେଖିଲେ କେଉଁ ଏକ ପରିତ୍ୟକ୍ତ ସ୍ଥାନ ଭଳି ମନେ ହେଉଛି । ପିଲାମାନେ କଲେଜ କୋଠାକୁ ଯିବା ପାଇଁ ରାସ୍ତା ନାହିଁ। ସାମାନ୍ୟ ବର୍ଷା ହେଲେ ଚପଲ ଖୋଲି ପାଣିରେ ପଶି ଯିବାକୁ ପଡ଼ୁଛି। କଲେଜର ଦୁଇ ବଖରା କୋଠା ଘର ଓ ଦୁଇ ବଖରା ଆଜବେଷ୍ଟସ୍‌ ଘର ଅଛି, ଯାହା ପରିତ୍ୟକ୍ତ କୋଠାଘରେ ବସି ଅତ୍ୟନ୍ତ ବିପଦ ସଙ୍କୁଳ ଅବସ୍ଥାରେ ପିଲା ପାଠ ପଢ଼ୁଛନ୍ତି। ଛାତ ଫାଟି ଗଲାଣି, ଝରକାରେ ଇଟା ଦିଆଯାଇଛି। କେତେ ବେଳେ ଯେ ଛାତ ଗଳି ପଡ଼ିବ ତାର କୌଣସି ଠିକ୍‌ ଠିକଣା ନାହିଁ। ପିଲାଙ୍କ ବସିବା ପାଇଁ ଆବଶ୍ୟକ ଡେସ୍କ ଓ ବେଚଂ ନାହିଁ। ଭଙ୍ଗା ବେଚଂର କଁ କଁ ଶବ୍ଦରେ ପିଲାମାନେ ଡରି ଡରି ବସି ପାଠ ପଢ଼ୁଛନ୍ତି। ଦୁଃଖର ବିଷୟ ପାଠ ପଢ଼ାଇବା ପାଇଁ ଭଲ ବ୍ଲାକ୍‌ ବୋର୍ଡ ଟିଏ ନାହିଁ ଲାଇଟ୍‌ କି ଫ୍ୟାନ୍‌ ପିଲା କେବେ ଦେଖି ନାହାନ୍ତି। ପିଲା ଗରମରେ ସିଝନ୍ତିି। ବର୍ଷା ଦିନେ ଅଧା ଅନ୍ଧାରରେ ପାଠ ପଢ଼ନ୍ତି।

ମାଳମରିଚିପୁର ଅଚଂଳର ପ୍ରାୟ ୧୫ଟି ଉଚ୍ଚ ବିଦ୍ୟାଳୟର ପିଲାମାନେ ଏହି ମହାବିଦ୍ୟାଳୟ ଉପରେ ନିର୍ଭର କରନ୍ତି। ବିଶେଷ କରି ନାରୀ ଶିକ୍ଷା ପାଇଁ ଏ କଲେଜ ଏକ ଉଦାହରଣ। ଦଶମ ପରେ ଅଭାବ ଅନଟନ ଯୋଗୁଁ ଦୂରକୁ ଯାଇ ପାଠ ପଢ଼ି ପାରୁ ନଥିବା ଅନେକ ମେଧାବୀ ଗରିବ ଶ୍ରେଣୀର ଛାତ୍ରୀଙ୍କୁ ଏ କଲେଜ ଶିକ୍ଷାର ଆଲୋକ ଦେଖାଇଛି। ଅଧିକାଂଶ ଝିଅ ମାନେ ଏଠି ପାଠ ପଢ଼ୁଛନ୍ତି। ହେଲେ ଆଶ୍ଚର୍ଯ୍ୟର କଥା ଝିଅମାନଙ୍କ ପାଇଁ ସର୍ବନିମ୍ନ ସୁବିଧା ନାହିଁ। ସାମାନ୍ୟ ପରିସ୍ରାଗାର ଟିଏ ନାହିଁ। ଗୋଟେ ଖୋଲା ପରିସ୍ରାଗାର ଅଛି ଯେଉଁଠି କି ଗଛ ଲତା ମାଡ଼ି ଯାଇଛି। ପିଇବା ପାଣି ଟାଙ୍କି ମୁକୁଳା ପଡ଼ିଛି ପିଇବା ପାଣି ନାହିଁ। ଖେଳ ପଡ଼ିଆରେ ଆଣ୍ଠୁଏ ପାଣି ଭର୍ତ୍ତି ହୋଇଛି। ସୁଖିଲା ସ୍ଥାନରେ ଗାଈ-ଗୋରୁ ଚରୁଛନ୍ତି।

କଲେଜରେ ପାଠାଗାର ଟିଏ ନାହିଁ। ଆବଶ୍ୟକ ଅଧ୍ୟାପକ ନାହାନ୍ତି। କଲେଜ ପାଚେରି ନ ଥିବାରୁ ସନ୍ଧ୍ୟା ହେଲେ ଅସାମାଜିକ ଯୁବକ ଏଠି ନିଶା ଖାଉଛନ୍ତି। ଏମିତିକି ମଦ ବୋତଲ କଲେଜ ପରିସରରେ ଗଢ଼ୁଛି ଭରଷା କରି ପାଠ ପଢ଼ିବାକୁ ଆସୁଥିବା ଛାତ୍ରଛାତ୍ରୀ ନିଜକୁ ଅସୁରକ୍ଷିତ ମଣୁ ଥିବା ଅଭିଯୋଗ କରିଛନ୍ତି।

ତେବେ ନବେ ଦଶକରେ ମାଳମରିଚିପୁର ଅଚଂଳରେ ଗଢ଼ି ଉଠିଥିବା ଦୁଇଟି ମହାବିଦ୍ୟାଳୟକୁ ଭଙ୍ଗା ଯାଇ ପୂର୍ବତନ ମନ୍ତ୍ରୀ ବାସୁଦେବ ମହାପାତ୍ରଙ୍କ ନାମରେ ଏହି କଲେଜ କରାଯାଇଥିଲା। ବାସୁଦେବ ମହାପାତ୍ରଙ୍କ ପୁଅ ତଥା ନୂର୍ବତନ ବିଧାୟକ ଡ.ଲାଲାଟେନ୍ଦୁ ମହାପାତ୍ରଙ୍କ ହାତରେ ଥିଲା ପରିଚାଳନା କମିଟି । କିନ୍ତୁ କଲେଜର ସେଭଳି କିଛି ଉନ୍ନତି ହେଲା ନାହିଁ। ପୂର୍ବ ପରିଚାଳନାକ କମିଟି କାର୍ଯ୍ୟକାରୀ ନହେବାରୁ ଗତ ମାର୍ଚ୍ଚ ମାସରେ ନୂଆ କରି ପରିଚାଳନା କମିଟି ଗଢ଼ା ଯାଇଛି। ତଥାପି କଲେଜର ବିକାଶ ସମ୍ଭବ ହୋଇ ପାରି ନାହିଁ।

ମହାବିଦ୍ୟାଳୟର ଅଧ୍ୟକ୍ଷ ଉପେନ୍ଦ୍ର ନାଥ ପରିଡ଼ାଙ୍କ କହିବା କଥା ଯୁକ୍ତ ଦୁଇରେ ପ୍ରଥମେ ୬୪ ପରେ ୧୨୯ ଏବଂ ଏବେ ୧୯୨ ସିଟ୍‌ ରହିଛି। ପିଲାଙ୍କ ଟଙ୍କାରେ କଲେଜ ଚାଲିଛି। ଦୀର୍ଘ ଦୁଇ ଦଶନ୍ଧିରୁ ଅଧିକ ସମୟ ଧରି ଏଠି ଶିକ୍ଷା ଦାନ କରି ଆସୁଥିବା ଅଧ୍ୟାପକ/ଅଧ୍ୟାପିକା ସେମାନଙ୍କର ପାରିଶ୍ରମିକ ପାଇ ପାରୁନାହାନ୍ତି। ଏପର୍ଯ୍ୟନ୍ତ ସରକାରଙ୍କ ପକ୍ଷରୁ କୌଣସି ଅନୁଦାନ ମିଳୁନାହିଁ। ଯାହା ଟଙ୍କା ଆସୁଛି କଲେଜ ପରିଚାଳନା କରିବାକୁ ନିଅଣ୍ଟ ପଡ଼ୁଛି ଭିତ୍ତିଭୂମି ବିକାଶ କଥା ଚାହିଁବି କରି ଦେଉନାହିଁ ବୋଲି ଦୁଃଖ ପ୍ରକାଶ କରିଛନ୍ତି। ଏଥିସହ ରାଜ୍ୟ ସରକାର ଓ ଜିଲ୍ଲା ପ୍ରଶାସନ ସହଯାଗର ହାତ ବଢ଼ାଇବାକୁ ନିବେଦନ କରିଛନ୍ତି।

ସମ୍ବନ୍ଧିତ ଖବର