ଅନୁଗୁଳ/ତାଳଚେର: ଗୋଟିଏଦିନରେ ସଡ଼କ ଦୁର୍ଘଟଣାରେ ଯାଇଛି ୫ ଜଣଙ୍କ ଜୀବନ। ଶୁକ୍ରବାର ଅନୁଗୁଳ ଜିଲ୍ଲାର ୩ଟି ସ୍ଥାନରେ ଦୁର୍ଘଟଣା ହୋଇ ଏମାନଙ୍କ ମୃତ୍ୟୁ ହୋଇଛି। ଗୁରୁବାର ବିଳମ୍ବିତ ରାତିରେ ମଧ୍ୟ ଜଣେ ଯୁବକ ସଡ଼କ ଦୁର୍ଘଟଣାରେ ପ୍ରାଣ ହରାଇଥିଲେ। ଶୁକ୍ରବାର ସକାଳେ ଜାତୀୟ ରାଜପଥ-୫୫ର କୁଲ‌ାଡ଼ ନିକଟରେ ୧୧ କେଭି ବିଦ୍ୟୁତ୍‌ ତାର ଟାଣିବା ପାଇଁ ଗଛ କଟା ଯାଉଥିଲା। ହଠାତ୍‌ ଗଛରୁ ଏକ ଡାଳ ପଡ଼ିବାରୁ ତଳେ ଥିବା ଶ୍ରମିକମାନେ ଘୁଞ୍ଚି ଯାଇଥିଲେ। ଏହିସମୟରେ ଅନୁଗୁଳ ପଟୁ ଆସୁଥିବା ଏକ ଗ୍ୟାସ୍‌ ଟ୍ୟାଙ୍କର(ଏନଏଲ-୦୧-ଏଏ-୧୫୨୨) ଜଣେ ଶ୍ରମିକଙ୍କ ଉପରେ ଚଢ଼ି ଯାଇଥିଲା। ଘଟଣାସ୍ଥଳରେ ହିଁ ତାଙ୍କର ମୃତ୍ୟୁ ହୋଇଥିଲା। ମୃତ ଶ୍ରମିକ ହେଲେ, ବଅଁରପାଳ ଥାନା ଗଡ଼ସନ୍ତ୍ରି ଗ୍ରାମ ମନ୍ଦିରସାହିର ଆକାଶ ସାମଲ(୨୫)। ସେହିପରି ଅପରାହ୍ନରେ ଜରପଡ଼ା ଥାନା ଜରଡ଼ା ଛକରେ ୫୫ ନମ୍ବର ଜାତୀୟ ରାଜପଥରେ ଟ୍ରେଲର୍‌(ଏନଏଲ-୦୧-ଏଲ-୯୬୪୯) ଧକ୍କାରେ ଜଣେ ବାଇକ୍‌ ଆରୋହୀଙ୍କ ମୃତ୍ୟୁ ‌ହୋଇଛି। ମୃତକ ହେଲେ, ତାଳଚେର ନୁକେଇପଶି ଗ୍ରାମର ହୃଦାନନ୍ଦ ବାଘ(୫୬)। ଏକ ବିବାହ ଭୋଜିରେ ଯୋଗ ଦେବାପାଇଁ ସେ ବାଇକ୍‌(ଓଆର-୧୯-ଜେ-୪୩୦୪)ରେ ଜରଡ଼ା ଗାଁକୁ ଯାଉଥିଲା ବେଳେ ସମ୍ବଲପୁର ପଟୁ ଆସୁଥିବା ‌ଟ୍ରେଲର ତାଙ୍କୁ ସମ୍ମୁଖ ଭାଗରୁ ବାଡ଼େଇଥିଲା। ଫଳରେ ଘଟଣାସ୍ଥଳରେ ହିଁ ତ‌ାଙ୍କର ମୃତ୍ୟୁ ହୋଇଛି। ଦୁର୍ଘଟଣା ପରେ ଟ୍ରେଲର ଚାଳକ ଫେରାର୍‌ ହୋଇଯାଇଛି। ଉଭୟ ସ୍ଥାନରେ ଦୁର୍ଘଟଣା ପରେ ସ୍ଥାନୀୟ ଲୋକଙ୍କ ଭିତରେ ଉତ୍ତେଜନା ପ୍ରକାଶ ପାଇଥିଲା। କ୍ଷତିପୂରଣ ଦାବିରେ ଲୋକେ ରାସ୍ତାକୁ ଓହ୍ଲାଇଥିଲେ। ପୁଲିସ ବୁଝାସୁଝା କରିବା ପରେ ସ୍ଥିତି ସ୍ବାଭାବିକ ହୋଇଛି।

Advertisment

ଅପରପକ୍ଷରେ, ତାଳଚେର ଦେଇ ଯାଇଥିବା ୧୪୯ ନମ୍ବର ଜାତୀୟ ରାଜପଥରେ ମଧ୍ୟ ଆଜି ଦୁଇଜଣଙ୍କ ଜୀବନ ଯାଇଛି। ଅନୁଗୁଳ ଉପକଣ୍ଠ ଖଲାରୀର ବ୍ରଜବନ୍ଧୁ ସାହୁ (୪୦) ଓ ସୁସୁଡ଼ାର ଅଲେଖ ସାହୁ (୫୫) ତାଳଚେରରୁ ଘରକୁ ଏକ ବାଇକ୍‌(ଓଡି-୩୫-ଇ-୯୮୧୫)ରେ ଫେରୁଥିଲା ସମୟରେ ଗୋଟିଏ ଟ୍ରକ୍‌(ଜେଏଚ୍‌-୦୬-ଏଫ-୬୧୧୧) ସେମାନଙ୍କୁ ଧକ୍କା ଦେଇଥିଲା। ଦ୍ରୁତ ଗତିରେ ଆସୁଥିବା ଟ୍ରକ୍‌ ଉଭୟଙ୍କ ମୁଣ୍ଡକୁ ଚାପି ଆଗକୁ ପଳାଇଥିଲା। ଫଳରେ ଉଭୟଙ୍କ ଶରୀର ଖଣ୍ଡବିଖଣ୍ଡିତ ହୋଇ ଯାଇଥିଲା। ଘଟଣାସ୍ଥଳରେ ହିଁ ଉଭୟଙ୍କ ମୃତ୍ୟୁ ହୋଇଛି। ଏମାନେ ରୋଷେୟା ଭାବେ ତାଳଚେର ଅଂଚଳକୁ ଏକ ଘର ପ୍ରତିଷ୍ଠା ଭୋଜି ରାନ୍ଧିବାକୁ ଯାଇ ଫେରିଲା ବେଳେ ଏହି ଦୁର୍ଘଟଣାର ଶିକାର ହୋଇଛନ୍ତି। ଜାତୀୟ ରାଜପଥରେ ଦୁର୍ଘଟଣା ପରେ ରାସ୍ତା ଜାମ୍‌ ହେବା ସହ ସ୍ଥାନୀୟ ଅଂଚଳରେ ଉତ୍ତେଜନା ପ୍ରକାଶ ପାଇଛି। ସେହିପରି ଆଜି ସକାଳେ ଡେରା ଛକ ନିକଟରେ ଏକ ହାଇୱା (ଓଡି -୩୫-ଜି-୧୨୩୫) ଧକ୍କାରେ ସ୍କୁଟି ଚାଳକ ଉତ୍ତମ ସାହୁ (୩୫)ଙ୍କ ମୃତ୍ୟୁ ହୋଇଛି। ସେ ସ୍କୁଟିରେ ଡେରାରୁ ହାଣ୍ଡିଧୂଆଁ ରାସ୍ତା ଆଡ଼କୁ ଆସୁଥିବା ବେଳେ ବାଲି ବୋଝେଇ ହାଇୱା ତାଙ୍କୁ ଧକ୍କା ଦେଇଥିଲା। ଫଳରେ, ତାଙ୍କର ଘଟଣାସ୍ଥଳରେ ମୃତ୍ୟୁ ‌ହୋଇଥିଲା। ଘଟଣାସ୍ଥଳରୁ ହାଇୱା ଚାଳକ ଫେରାର୍‌ ହୋଇଯାଇଛି।

ଗୁରୁବାର ରାତିରେ ଖୋର୍ଦ୍ଧା ଜିଲ୍ଲା ବାଲିଅନ୍ତା ଅଂଚଳର କୁମର ଚନ୍ଦ୍ର ନାୟକ(୪୧) ଏକ ବାଇକ୍‌ରେ ଅନୁଗୁଳ ସହରରୁ ଛେଣ୍ଡିପଦା ଆଡ଼କୁ ଯାଉଥିଲା ସମୟରେ ହେମସୁରପଡ଼ା ଛକ ନିକଟରେ ତାଙ୍କୁ ଏକ ଟ୍ରକ୍‌ ଧକ୍କା ଦେଇଥିଲା। ଗୁରୁତର ଅବସ୍ଥାରେ ତାଙ୍କୁ ସ୍ଥାନୀୟ ଲୋକେ ଉଦ୍ଧାର କରି ଅନୁଗୁଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଥିଲେ। ହେଲେ ଡାକ୍ତର ଏଠାରେ ତାଙ୍କୁ ମୃତ ଘୋଷଣା କରିଥିଲେ। ବୁଧବାର ବିଳମ୍ବିତ ରାତିରେ ଅନୁଗୁଳ ସହର ଉପକଣ୍ଠ ପଞ୍ଚମହଲା ନିକଟରେ ଜାତୀୟ ରାଜପଥ ଉପରେ ଏକ ‌ଅଟୋକୁ ଟ୍ରକ୍‌ ବାଡ଼େଇ ଦେବାରୁ ଅଟୋ ଚାଳକ ସଦର ଥାନା ମୂଷାପାପୁଲି ଗାଁର ଲକ୍ଷ୍ମୀଧର ଦେହୁରୀଙ୍କ ମୃତ୍ୟୁ ହୋଇଥିଲା। ଏମିତି ୪୮ ଘଣ୍ଟା ଭିତରେ ସଡ଼କ ଦୁର୍ଘଟଣାରେ ୭ ଜଣଙ୍କ ଜୀବନ ଯାଇଥିଲା ବେଳେ ଏଥିରୁ ଜାତୀୟ ରାଜପଥରେ ୫ ଜଣଙ୍କ ମୃତ୍ୟୁ ହୋଇଛି। ଜାତୀୟ ରାଜପଥର କଦର୍ଯ୍ୟ ଅବସ୍ଥା ପାଇଁ ଅନୁଗୁଳ ଜିଲ୍ଲାରେ ସଡ଼କ ଦୁର୍ଘଟଣା ମହାମାରୀର ରୂପ ନେଇଥିବା ଅଭିଯୋଗ ଉଠିଛି।