ବାଲେଶ୍ୱର: ଦୀର୍ଘ ବର୍ଷେ ହେବ ଭଲମନ୍ଦ ନ ବୁଝି ଚୋରା ପୀରତିରେ ମାତିଛନ୍ତି ସ୍ୱାମୀ, କିଛି ଏଭଳି ସଙ୍ଗୀନ ଅଭିଯୋଗ ଆଣି ଆଜି ବାଲେଶ୍ୱର ଏସଡିଜେଏମଙ୍କ କୋର୍ଟ ଆଗରେ ଧାରଣାରେ ବସିଥିଲେ ପତ୍ନୀ | ଥାନାରେ ଅଭିଯୋଗ ପରେ ବି କୌଣସି କାର୍ଯ୍ୟାନୁଷ୍ଠାନ ନ ହେବାରୁ ଉକ୍ତ ମହିଳା ନିଜର ଦୁଇ ପିଲାଙ୍କ ସହ ଧାରଣାରେ ବସିଥିଲେ | ମହିଳାଙ୍କ ଅଭିଯୋଗ ମୁତାବକ ତାଙ୍କ ସ୍ୱାମୀ ବାଲେଶ୍ୱରସ୍ଥିତ ଷ୍ଟେଟବ୍ୟାଙ୍କ ମୁଖ୍ୟ ଶାଖାରେ କିରାଣୀ ଭାବେ କାର୍ଯ୍ୟ କରନ୍ତି |
ଉଭୟ ପତି-ପତ୍ନୀ ବାଲେଶ୍ୱର ଟାଉନ ଥାନା ସୁଏଲପୁରରେ ଘରଭଡା ନେଇ କିଛି ବର୍ଷ ହେଲା ରହିଆସୁଛନ୍ତି | ପ୍ରାୟ ବର୍ଷେ ଧରି ତାଙ୍କ ସ୍ୱାମୀ ଘରକୁ ଆସୁ ନଥିବାବେଳେ ପରିବାରର କଥା କିଛି ବୁଝୁନାହାନ୍ତି | ତାଙ୍କ କହିବା ମୁତାବକ ସ୍ୱାମୀଙ୍କର ବାଲେଶ୍ୱରର ଜଣେ କନେଷ୍ଟବଳଙ୍କ ସହ ସମ୍ପର୍କ ଥିବାରୁ ସେ ତାଙ୍କୁ ଓ ତାଙ୍କ ଦୁଇ ପିଲାଙ୍କୁ ଅଣଦେଖା କରିବା ସହ ମାନସିକ ଓ ଶାରୀରିକ ନିର୍ଯାତନା ଦେଉଛନ୍ତି |
ଏ ନେଇ ସେ ବାଲେଶ୍ୱର ଟାଉନ ଥାନାରେ ୨୦୧୯ ମସିହା ଡିସେମ୍ବର ମାସରେ ଅଭିଯୋଗ କରିଥିଲେ ବି କୌଣସି କାର୍ଯ୍ୟାନୁଷ୍ଠାନ ନ ହେବାରୁ ସେ ବାଲେଶ୍ୱର ଏସଡିଜେଏମ କୋର୍ଟରେ ମାମଲା ରୁଜୁ କରିଥିଲେ | ସେହିପରି ସ୍ୱାମୀ ସେମାନଙ୍କ କଥା ବୁଝୁ ନଥିବାରୁ କିଭଳି ଦୁଇ ପିଲାଙ୍କ ପାଠପଢା ଖର୍ଚ୍ଚ ସହ ଘରଭଡା ଦେବେ ତାହାକୁ ନେଇ ଏବେ ସେ ଚିନ୍ତାରେ ପଡିଯାଇଛନ୍ତି| ଏ ନେଇ ସେ ଉକ୍ତ ବ୍ୟାଙ୍କର ମ୍ୟାନେଜରଙ୍କୁ ଭେଟିଥିଲେ ବି କୌଣସି ସାହାଯ୍ୟ ମିଳିନାହିଁ ବୋଲି ସେ କହିଛନ୍ତି | ତେଣୁ କିଭଳି ସେ ଶୀଘ୍ର ନ୍ୟାୟ ପାଇବେ ସେଥିପାଇଁ ଆଜି ବାଲେଶ୍ୱର କୋର୍ଟ ସାମ୍ନାରେ ଧାରଣାରେ ବସିଥିଲେ |