ରାଜଗାଙ୍ଗପୁର/ସୁନ୍ଦରଗଡ଼: ରାଜଗାଙ୍ଗପୁର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ରାଜଗାଙ୍ଗପୁର ବିଧାୟକ ଡା. ସିଏସ୍ ରାଜେନ ଏକ୍କା ରୋଗୀଙ୍କ ଚିକିତ୍ସା କରୁଥିବା ଏକ ଭିଡିଓ ସାମାଜିକ ଗଣମାଧ୍ୟମରେ ଭାଇରାଲ ହୋଇଛି। ସ୍ୱାସ୍ଥ୍ୟକେନ୍ଦ୍ରରେ ଡାକ୍ତର ନଥିବା କାରଣରୁ ରୋଗୀସେବା ବିପର୍ଯ୍ୟସ୍ତ ହୋଇପଡ଼ିଥିଲା। ବୁଧବାର ସ୍ୱାସ୍ଥ୍ୟକେନ୍ଦ୍ରର ବହିର୍ବିଭାଗ (ଓପିଡି) ସମ୍ପୂର୍ଣ୍ଣ ବନ୍ଦ ରହିଥିଲା। ଶତାଧିକ ରୋଗୀ ସ୍ୱାସ୍ଥ୍ୟକେନ୍ଦ୍ରକୁ ଆସି ବହୁ ଅସୁବିଧାର ସମ୍ମୁଖୀନ ହୋଇଥିଲେ। ଏହା ଜାଣିବା ପରେ ଗୁରୁବାର ସକାଳୁ ରାଜଗାଙ୍ଗପୁର ବିଧାୟକ ଡାକ୍ତର ସିଏସ୍ ରାଜେନ ଏକ୍କା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ପହଞ୍ଚି ବହିର୍ବିଭାଗରେ ବସି ରୋଗୀ ଚିକିତ୍ସା କରିଥିଲେ।
ସୂଚନାଯୋଗ୍ୟ, ଡାକ୍ତରଖାନାର କିଛି ଡାକ୍ତର ଛୁଟିରେ। ଯିଏ ଥିଲେ ସେ ୩ ଦିନ ଧରି ଦିନରାତି ଜରୁରୀ ଚିକିତ୍ସା ସହ ରୋଗୀଦେଖି ଥକି ଯାଇଥିବାରୁ ଆଉ ରୋଗୀ ଦେଖିପାରିବେ ନାହିଁ ବୋଲି ଫେରାଇଦେଲେ। ଯେଉଁଥିପାଇଁ ୨୫ ତାରିଖ ବୁଧବାରଠାରୁ ରାଜଗାଙ୍ଗପୁର ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଲାଗି ରହିଥିଲା ଅଚଳାବସ୍ଥା। ପ୍ରାୟ ୨ ଶହ ରୋଗୀ ଡାକ୍ତରଖାନାରୁ ଫେରି ଯାଇଥିଲେ। ଗୁରୁବାର ସକାଳୁ ରୋଗୀମାନେ ପୁଣି ଡାକ୍ତରଖାନାରେ ଭିଡ଼ ଜମାଇଥିଲେ ବି ଡାକ୍ତର ନଥିବାରୁ ନିରାଶ ହୋଇଥିଲେ।
ଶେଷକୁ ଖବରପାଇ ବିଧାୟକ ଡା. ଏକ୍କା ଡାକ୍ତରଖାନାରେ ପହଞ୍ଚି ବହିର୍ବିଭାଗରେ ରୋଗୀ ଦେଖିଥିଲେ। ସକାଳ ୮ଟାରୁ ଡାକ୍ତର ଏକ୍କା ଜଣଜଣ କରି ପ୍ରାୟ ଶହେ ଜଣ ରୋଗୀଙ୍କୁ ଦେଖି ଚିକିତ୍ସା ପରାମର୍ଶ ଦେଇଥିବା ଦେଖିବାକୁ ମିଳିଛି। ଡାକ୍ତର ନଥିବାରୁ ଓ ନିଜେ ଜଣେ ଡାକ୍ତର ହୋଇଥିବାରୁ ବିଧାୟକ ରୋଗୀ ଦେଖିବା ଚର୍ଚ୍ଚାର ବିଷୟ ହୋଇଛି। ରାଜଗାଙ୍ଗପୁର ଡାକ୍ତରଖାନାରେ ୧୪ଟି ଡାକ୍ତର ପଦ ଥିବାବେଳେ ୯ ଜଣ ନିଯୁକ୍ତ ହୋଇଛନ୍ତି। ୫ ଜଣ ନିୟମିତ ଓ ୪ ଜଣ ଜିଲ୍ଲା ଖଣିଜ ପ୍ରତିଷ୍ଠାନରୁ ନିଯୁକ୍ତ। କିନ୍ତୁ ଗତ ୧୯ ତାରିଖରୁ ଡାକ୍ତରଖାନା ଅଧୀକ୍ଷକ ଡା. ଜଗଦୀଶ ଟପ୍ପୋଙ୍କ ସହ ଡା. ଅବିନାଶ ପ୍ରଧାନ, ଡା. ରଶ୍ମିକାନ୍ତ ଦାଶ, ଡା. ବିଜୟଶଙ୍କର ବେହେରା ଛୁଟିରେ ଚାଲି ଯାଇଥିବାବେଳେ ଜଣେ ନିୟମିତ ଡାକ୍ତର ମହେନ୍ଦ୍ର ତନ୍ତୀ ଦିନରାତି ଜରୁରୀ ସେବା ସହ ରୋଗୀ ଦେଖୁଥିଲେ। ଅନ୍ୟପଟେ ଜିଲ୍ଲା ଖଣିଜ ପ୍ରତିଷ୍ଠାନରୁ ନିଯୁକ୍ତ ଡାକ୍ତର ଏସ୍କେ ପଟେଲ, ଡା. ଉମେଶଚନ୍ଦ୍ର ଗୁରୁ, ଡା. ସନ୍ତୋଷ ଅଗ୍ରୱାଲ ଏବଂ ଡା. ମୁରାରୀ ଦେହୁରୀ ଦିନ ୧୦ଟାରୁ ୧୨ଟା ଯାଏ ରୋଗୀ ଦେଖି ଚାଲି ଯାଉଥିବା ଅଭିଯୋଗ ରହିଛି। ଏଭଳି ସ୍ଥିତିରେ ବୁଧବାରଠାରୁ ଡାକ୍ତରଖାନା ଏକ ପ୍ରକାର ଡାକ୍ତରଶୂନ୍ୟ ହୋଇ ପଡ଼ିଥିଲା।
ଶତାଧିକ ରୋଗୀ ଗତକାଲି ବିନା ଚିକିତ୍ସା ବା ପରାମର୍ଶରେ ଫେରି ଯାଇଥିବାବେଳେ ଆଜି ସକାଳୁ ମଧ୍ୟ ସେହି ସମାନ ସ୍ଥିତି ରହିଥିଲା। ରୋଗୀଙ୍କ ସମ୍ପର୍କୀୟମାନେ ଏହା ରାଜଗାଙ୍ଗପୁର ବିଧାୟକ ଡା. ଏକ୍କାଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ। ବିଧାୟକ ଡା. ଏକ୍କା ତୁରନ୍ତ ଡାକ୍ତରଖାନାରେ ପହଞ୍ଚି ରୋଗୀ ଦେଖିବା ଆରମ୍ଭ କରିଥିଲେ। ଏ ସମ୍ପର୍କରେ ସୁନ୍ଦରଗଡ଼ ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ଡ. ଧରଣୀରଞ୍ଜନ ଶତପଥୀ କହିଛନ୍ତି, ରାଜଗାଙ୍ଗପୁର ଡାକ୍ତରଖାନାରେ କିଛି ଡାକ୍ତର ଛୁଟିରେ ଯାଇଥିଲେ ବି ଡାକ୍ତର ଅଛନ୍ତି। କିନ୍ତୁ ରୋଗୀ ସଂଖ୍ୟା ଅଧିକ ହେବାରୁ ସମସ୍ୟା ଦେଖା ଦେଇଥିଲା। ବିଧାୟକ ଡାକ୍ତର ହୋଇଥିବାରୁ ଏପରି ସ୍ଥିତିରେ ଯାଇ ରୋଗୀ ଦେଖିଛନ୍ତି। ଏହା ସ୍ବାଗତଯୋଗ୍ୟ। ତେବେ ଆଗକୁ ଡାକ୍ତର ପଦ ପୂରଣ ଦିଗରେ ପଦକ୍ଷେପ ନିଆଯିବ ବୋଲି ସେ କହିଛନ୍ତି।