ଭିମ୍‌ସାରରେ ଚିକିତ୍ସା ବ୍ୟବସ୍ଥାର ବିକଳ ଚିତ୍ର, ଏ ବର୍ଷ ପରାମର୍ଶ, ଆରବର୍ଷ ଅଲ୍‌ଟ୍ରାସାଉଣ୍ଡ

ସମ୍ବଲପୁର : ବୁର୍ଲା ବଡ଼ ଡାକ୍ତରଖାନାରେ ଚିକିତ୍ସା ବ୍ୟବସ୍ଥାର ବିକଳ ଚିତ୍ର। ଡାକ୍ତରଖାନାକୁ ସୁବ୍ୟବସ୍ଥିତ କରିବାକୁ ବାରମ୍ବାର ଉଦ୍ୟମ କରା ଯାଉଥିଲେ ହେଁ ଏହି ବ୍ୟବସ୍ଥାରେ କୌଣସି ସୁଧାର ଆସିପାରୁନି। ଗୁରୁତର ରୋଗୀଙ୍କର ତୁରନ୍ତ ଅଲଟ୍ରାସାଉଣ୍ଡ ପାଇଁ ଡାକ୍ତର ପରାମର୍ଶ ଦେଉଥିବା ସମୟରେ ଅଲଟ୍ରାସାଉଣ୍ଡ କେନ୍ଦ୍ରରେ ସପ୍ତାହେ ପରେ ପରୀକ୍ଷା ପାଇଁ ତାରିଖ ଦିଆଯାଉଛି।

ଏଭଳି ସ୍ଥିତିରେ ରୋଗୀ ବାଧ୍ୟହୋଇ ଡାକ୍ତରଖାନା ବାହାରେ ଥିବା ଘରୋଇ କ୍ଲିନିକ୍‌ରୁ ଅଲଟ୍ରାସାଉଣ୍ଡ କରି ଡାକ୍ତରଖାନାରେ ଦେଖାଉଥିବା ଜଣାପଡ଼ିଛି। ଗତ ରବିବାର ସମ୍ବଲପୁରର ଜଣେ ଯୁବକ ପେଟରେ ଯନ୍ତ୍ରଣା ପାଇଁ ଭିମ୍‌ସାରରେ ‌ଭର୍ତ୍ତି ହୋଇଥିଲେ। ମଙ୍ଗଳବାର ଅର୍ଥାତ୍‌ ୨୦୨୦ ମସିହା ଡିସେମ୍ବର ୨୯ ତାରିଖରେ ତାଙ୍କର ଅଲଟ୍ରାସାଉଣ୍ଡ ପାଇଁ ଡାକ୍ତର ରିକ୍ୟୁଜିସନ୍‌ ଦେଇଥିଲେ। ପରିବାର ଲୋକେ ତାଙ୍କୁ ନେଇ ଅଲଟ୍ରାସାଉଣ୍ଡ କକ୍ଷରେ ପହଞ୍ଚିବା ପରେ ୨୦୨୧ ମସିହା ଜାନୁଆରି ୫ ତାରିଖରେ ଦିନ ୨ଟା ୩୦ରେ ଆସିବାକୁ କେନ୍ଦ୍ର ପକ୍ଷରୁ ‌ସମୟ ଦିଆ ଯାଇଥିଲା। ଯୁବକଙ୍କ ଅବସ୍ଥା ଗୁରୁତର ଥିବାରୁ ପରିବାର ଲୋକେ ବାଧ୍ୟହୋଇ ଘରୋଇ କ୍ଲିନିକ୍‌ରେ ଅଲଟ୍ରାସାଉଣ୍ଡ କରିଥିଲେ। ତେବେ ଏହା ଭିମସାର୍‌ରେ କିଛି ନୂଆ କଥା ନୁହେଁ। ପରୀକ୍ଷା ଓ ଚିକିତ୍ସା ପାଇଁ କେବେ ସପ୍ତାହେ ତ କେବେ ମାସେ ପରେ ବି ଆସିବାକୁ କହାଯାଏ। ଡାଇଲିସିସ୍‌ ପାଇଁ ଅନେକ ରୋଗୀଙ୍କୁ ମାସେ ପରେ ବି ସମୟ ଦିଆ ଯାଉଥିବା ନଜିର ରହିଛି। ନିତିଦିନ ଭିମ୍‌ସାରରେ ଏହି ଘଟଣା ଦେଖିବାକୁ ମିଳୁଥିବା ସମୟରେ ସବୁ ଜାଣି ମଧ୍ୟ କର୍ତ୍ତୃପକ୍ଷ ଚୁପ୍‌ ରହୁଥିବା ଅଭିଯୋଗ ହେଉଛି।

ସମ୍ବନ୍ଧିତ ଖବର