ଆନନ୍ଦପୁର : ପିଡିଏସ୍ ବଣ୍ଟନରେ ସାଂଘାତିକ ଷଡ଼୍ଯନ୍ତ୍ର। ସରକାର ଦେଉଥିବା ଭଲ ଚାଉଳକୁ ରଖି ହିତାଧିକାରୀଙ୍କୁ ଦିଆଯାଉଥିଲା ପୋକରା ଚାଉଳ। ଏନେଇ ଅଭିଯୋଗ କଲେ ମଧ୍ୟ କେହି ଶୁଣୁ ନଥିଲେ। ଶେଷରେ ଜଣେ ହିତାଧିକାରୀ ପୋକରା ଚାଉଳ ଧରି ଆନନ୍ଦପୁର ଉପଜିଲ୍ଲାପାଳଙ୍କ ବାସଭବନକୁ ଅଭିଯୋଗ କରିବାକୁ ଆସିଥିଲେ। ଏନେଇ ଗଣମାଧ୍ୟମରେ ଖବର ପ୍ରକାଶ ପାଇବା ପରେ ଜିଲ୍ଲାପାଳଙ୍କ ନିର୍ଦ୍ଦେଶରେ ଏହାର ତଦନ୍ତ ହୋଇଥିଲା। ତଦନ୍ତ ପରେ ଅଭିଯୋଗ ସତ ପ୍ରମାଣିତ ହେବା ସତ୍ତ୍ବେ ଚାଉଳ ଯୋଗାଣ ଦାୟିତ୍ୱରେ ଥିବା ମିଲରଙ୍କ ବିରୋଧରେ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଗଲା ନାହିଁ। ଅନ୍ୟପକ୍ଷରେ ପୋକରା ଚାଉଳ ଯୋଗାଣକୁ ବିରୋଧ କରିଥିବା ଯୋଗାଣ ନିରୀକ୍ଷକ ସନ୍ଦୀପ ପରିଜାଙ୍କୁ ଏହି ଘଟଣାରେ ବଦଳି କରାଯାଇଥିବା ଜଣାପଡ଼ିଛି।
ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଯୋଜନାରେ ପ୍ରତ୍ୟେକ ହିତାଧିକାରୀଙ୍କୁ ମାଗଣାରେ ରାସନ ଯୋଗାଇ ଦିଆଯାଉଛି। ସେହିପରି ଖାଦ୍ୟ ସୁରକ୍ଷା ଯୋଜନାରେ ମଧ୍ୟ ନିୟମିତ ଏକ ଟଙ୍କାରେ ଚାଉଳ ପ୍ରଦାନ କରାଯାଉଛି। ତେବେ ଗରିବ କଲ୍ୟାଣ ଯୋଜନାରେ ଆସୁଥିବା ଚାଉଳକୁ ବଦଳାଇ ଘସିପୁରା ଅଞ୍ଚଳର କିଛି ମିଲର୍ ପୋକରା ଚାଉଳ ଯୋଗାଉ ଥିଲେ। ଅକ୍ଟୋବର ୧୨ ତାରିଖରେ ଘସିପୁରା ବ୍ଲକ୍ ଖାଳିଆମେଣ୍ଟା ପଞ୍ଚାୟତ ମହୁଲପଶି ଗ୍ରାମର ମଦନ ଜେନା ନାମକ ଜଣେ ବ୍ୟକ୍ତି ରାସନ ପାଇଁ ପଞ୍ଚାୟତ କାର୍ଯ୍ୟାଳୟକୁ ଯାଇଥିଲେ। ତାଙ୍କୁ ଖୁଦ ମିଶା ପୋକରା ଚାଉଳ ଦିଆଯିବାରୁ ସେ ବିରୋଧ କରିଥିଲେ। ତେବେ ବଣ୍ଟନ ଦାୟିତ୍ୱରେ ଥିବା କର୍ମଚାରୀ ତାଙ୍କୁ ଓଲଟା ଧମକ ଦେଇଥିଲେ। ଶେଷରେ ମଦନ ବାଧ୍ୟ ହୋଇ ପୋକରା ଚାଉଳ ଧରି ଉପଜିଲ୍ଲାପାଳଙ୍କ ବାସଭବନ ସମ୍ମୁଖରେ ଧାରଣାରେ ବସିଥିଲେ।
ତତ୍କାଳୀନ ଉପଜିଲ୍ଲାପାଳ ସରୋଜ କୁମାର ଦତ୍ତଙ୍କ ନିର୍ଦ୍ଦେଶକ୍ରମେ ଯୋଗାଣ ନିରୀକ୍ଷକ ସନ୍ଦୀପ ପରିଜାଙ୍କ ହସ୍ତକ୍ଷେପ ପରେ ହିତାଧିକାରୀଙ୍କୁ ଭଲ ଚାଉଳ ଯୋଗାଇ ଦିଆଯାଇଥିଲା। ପରବର୍ତ୍ତୀ ସମୟରେ ଘସିପୁରା ବ୍ଲକ୍ର ଅନ୍ୟ କେତେକ ପଞ୍ଚାୟତରେ ମଧ୍ୟ ପୋକରା ଚାଉଳ ଦିଆଯାଉଥିବା ଜଣାପଡ଼ିଥିଲା। ଏନେଇ ‘ସମ୍ବାଦ’ରେ ପ୍ରକାଶ ପାଇବା ପରେ ଜିଲ୍ଲା ପ୍ରଶାସନର ନିର୍ଦେଶକ୍ରମେ ତନାଘନା ଆରମ୍ଭ ହୋଇଥିଲା। ଯୋଗାଣ ନିରୀକ୍ଷକ ଶ୍ରୀ ପରିଜା ପୋକରା ଚାଉଳକୁ ହଟାଇବା ପାଇଁ ମିଲର୍ଙ୍କୁ କହିଥିଲେ। ତେବେ ପରବର୍ତ୍ତୀ ସମୟରେ ଯୋଗାଣ ଅଧିକାରୀ ଅଭିଯୋଗର ତଦନ୍ତ କରିଥିଲେ। ତେବେ ଏହି ଘଟଣାରେ ମିଲର୍ଙ୍କ ବିରୋଧରେ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପରିବର୍ତ୍ତେ ଘସିପୁରା ଯୋଗାଣ ନିରୀକ୍ଷକ ଶ୍ରୀ ପରିଜାଙ୍କୁ କେନ୍ଦୁଝର ବଦଳି କରାଯାଇଛି। ତାଙ୍କ ସ୍ଥାନରେ ବନମାଳୀ ନାହାକଙ୍କୁ ନିଯୁକ୍ତି ଦିଆଯାଇଛି। ଏନେଇ ଜିଲ୍ଲା ଯୋଗାଣ ଅଧିକାରୀ ହାଡ଼ିବନ୍ଧୁ ସେଠୀଙ୍କୁ ପଚାରିବାରୁ, ପୋକରା ଚାଉଳ ଘଟଣାରେ ଆନନ୍ଦପୁର ଯୋଗାଣ ଅଧିକାରୀ ତଦନ୍ତ କରିଛନ୍ତି। ଏହା ପରେ କିଛି ଡିଲରଙ୍କୁ ଅଦଳବଦଳ କରାଯାଇଥିବା ସେ କହିଛନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2021/12/rice.jpg)