ରାସ୍ତା ନ ଥିବାରୁ ଆସିପାରିଲାନି ଆମ୍ବୁଲାନ୍ସ, ଗର୍ଭବତୀଙ୍କୁ ଖଟରେ ବୋହି ନେଲେ ଗ୍ରାମବାସୀ

କାଶୀପୁର: ରାୟଗଡା ଜିଲ୍ଲା କାଶୀପୁର ବ୍ଲକ ବଡ଼ ମାରିଭଟ୍ଟା ଗ୍ରାମରେ ଜନନୀ ଯନ୍ତ୍ରଣାର ଶିକାର ହେଇଛନ୍ତି ଜଣେ ଗର୍ଭବତୀ । ସୂଚନା ଅନୁସାରେ ବଡ଼ ମାରିଭଟ୍ଟା ଗ୍ରାମର ଜଗନ୍ନାଥପୁର ସାହିର ବଳଭଦ୍ର ଝଡ଼ିଆଙ୍କର ସ୍ତ୍ରୀ ମଞ୍ଜୁବତୀ (୨୫) ଙ୍କର ଆଜି ସକାଳ ପ୍ରାୟ ୭ ଘଣ୍ଟିକା ସମୟରେ ପ୍ରସବ ଜନିତ ପୀଡା ଆରମ୍ଭ ହୋଇଯାଇଥିଲା । ସ୍ୱାମୀ ବଳଭଦ୍ର କାଶୀପୁର ସ୍ୱାସ୍ଥ୍ୟ କେନ୍ଦ୍ରକୁ ନେବାକୁ ୧୦୮ ଆମ୍ବୁଲାନ୍ସ ଗାଡିକୁ ଫୋନ ଯୋଗେ କରିଥିଲେ ।

ଏଥିମଧ୍ୟରେ ଗର୍ଭବତୀ ମହିଳାଙ୍କର ପ୍ରବଳ ପ୍ରସବ ବେଦନା ହେବା ସହ ସଂପୂର୍ଣ୍ଣ ପ୍ରସବ ହୋଇ ନ ପାରି ଅଧାରେ ଛୁଆ ଅଟକି ରହିଯାଇଥିଲା । ତେବେ ଆମ୍ବୁଲାନ୍ସ ଠିକ ସମୟରେ ପହଞ୍ଚି ଥିଲେ ବି ଗାଁ ମୁଖ୍ୟ ରାସ୍ତାରୁ ଜଗନ୍ନାଥ ସାହିକୁ ଯିବାକୁ ନିତିଦିନିଆ ରାସ୍ତା ନ ଥିବାରୁ ପ୍ରାୟ ଅଧା କିଲୋମିଟର ପୂର୍ବରୁ ଗାଡି ଅଟକିଯାଇଥିଲା ।

ଏଭଳି ସ୍ଥିତିରେ ଗ୍ରାମବାସୀ ଉପାୟ ଶୂନ୍ୟ ହେଇ ଗର୍ଭବତୀଙ୍କୁ ଖଟରେ ବୋହି ଆମ୍ବୁଲାନ୍ସ ନିକଟକୁ ନେଇଯାଇଥିଲେ । ତେବେ ବାରମ୍ବାର ଖବର ପ୍ରକାଶ ପାଇବା ପରେ ବି ଦୁର୍ଗମ ଅଞ୍ଚଳ ରେ ରାସ୍ତାଘାଟ ବିକାଶ ଦିଗରେ ପ୍ରଶାସନର ଆନ୍ତରିକତା ଦେଖାଯାଉନାହିଁ । କାଶୀପୁର ଦୁର୍ଗମ ଅଞ୍ଚଳର ରାସ୍ତା ଉନ୍ନତିକରଣ ପ୍ରତି ପ୍ରଶାସନର ତୁରନ୍ତ ଦୃଷ୍ଟି ଦେବାକୁ ବୁଦ୍ଧିଜୀବି ମହଲରେ ଦାବି ହେଉଛି ।

ସମ୍ବନ୍ଧିତ ଖବର