ସୀମା ଟପିଲାଣି ବାଲେଶ୍ବର ପୌରପାଳିକାରେ ଅବ୍ୟବସ୍ଥା

ବିଧାୟକ ନିରବ, ପାଟି ଫିଟାଉନାହାନ୍ତି ପୌରାଧ୍ୟକ୍ଷା, ସହରବାସୀଙ୍କ ମଧ୍ୟରେ ଅସନ୍ତୋଷ

ବାଲେଶ୍ବର: ରାଜ୍ୟର ସର୍ବପୁରାତନ ବାଲେଶ୍ବର ପୌରପାଳିକା ସହରବାସୀଙ୍କୁ ସର୍ବନିମ୍ନ ମୌଳିକ ସେବା ଯୋଗାଇ ଦେବାରେ ଅସମର୍ଥ। ୨୦୨୦ ଉପନିର୍ବାଚନ ସମୟରେ ଖୋଦ୍ ମୁଖ୍ୟମନ୍ତ୍ରୀ ବାଲେଶ୍ବରର ବିକାଶ ଦାୟିତ୍ବ ନେବେ ବୋଲି ଘୋଷଣା କରିଥିଲେ। ହେଲେ ପୌରପାଳିକାର ନିଷ୍କ୍ରିୟତା ଓ ସ୍ଥାଣୁତା ଯୋଗୁଁ ସହରବାସୀ ଆଜି ନାନା ଦୁର୍ଦ୍ଦଶା ମଧ୍ୟରେ ଘାଣ୍ଟିଚକଟି ହେଉଛନ୍ତି।
୧୪୬ ବର୍ଷର ଏହି ପୌରପାଳିକାର ୱାର୍ଡ ସଂଖ୍ୟା ୩୧ ଥିବା ବେଳେ ଜନସଂଖ୍ୟା ଦେଢ଼ଲକ୍ଷ ଟପିଛି। ଘରସଂଖ୍ୟା ୩୦ ହଜାରରୁ ଅଧିକ ହେଲାଣି। କିନ୍ତୁ ଅନେକ ବିକାଶମୂଳକ କାର୍ଯ୍ୟ ନିର୍ଦ୍ଧାରିତ ସମୟ ମଧ୍ୟରେ ଶେଷ ହୋଇ ପାରୁନଥିବା ବେଳେ ଏକାଧିକ ପ୍ରକଳ୍ପ ଘୋଷଣାରେ ସୀମିତ ହୋଇରହିଛି।

ସେପଟେ ପୌରପାଳିକାରେ ପୂର୍ଣ୍ଣକାଳୀନ ଅଧିକାରୀ ଓ ଅଧାରୁ ଅଧିକ କର୍ମଚାରୀ ନଥିବାରୁ ବିଭିନ୍ନ ସେବାରୁ ବଞ୍ଚିତ ହେଉଛନ୍ତି ସହରବାସୀ। ଉପଜିଲ୍ଲାପାଳ କିଶୋରଚନ୍ଦ୍ର ସ୍ବାଇଁ ବର୍ତ୍ତମାନ ପୌର ନିର୍ବାହୀ ଅଧିକାରୀ ଦାୟିତ୍ବ ସହିତ ଜିଲ୍ଲା ବନ୍ଦୋବସ୍ତ କାର୍ଯ୍ୟାଳୟ, ଚକବନ୍ଦୀ କାର୍ଯ୍ୟାଳୟ ଓ ସହକାରୀ ଉପଜିଲ୍ଲାପାଳ ଅତିରିକ୍ତ ଦାୟିତ୍ବରେ ଅଛନ୍ତି। ଏକାଧିକ ଦାୟିତ୍ବରେ ଥିବାରୁ ସେ ପୌରପାଳିକାକୁ ସମୟ ହିଁ ଦେଇ ପାରୁନାହାନ୍ତି। କାମଚଳା ନୀତିରେ ସେ ଅଫିସ୍‌ ଆସୁଛନ୍ତି କିମ୍ବା ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ବସି ପୌରପାଳିକାର ଫାଇଲ ମଗାଇ ଜରୁରୀ କାଗଜପତ୍ରରେ ଦସ୍ତଖତ କରୁଛନ୍ତି। ଫଳରେ ବିଭିନ୍ନ ୱାର୍ଡର ବିକାଶମୂଳକ କାମ, ସହରରେ କାର୍ଯ୍ୟକାରୀ ହେଉଥିବା ମୁକ୍ତା ଯୋଜନା, ସ୍ବଚ୍ଛତା ଅଭି‌ଯାନ, ରାସ୍ତା, ଡ୍ରେନ୍‌ କାମ ସହିତ ଏକାଧିକ ପ୍ରକଳ୍ପର ଭାଗ୍ୟ ଫାଇଲ ଭିତରେ ଅଟକି ରହିଛି।

ପୌରପାଳିକାରେ ବର୍ତ୍ତମାନ ଅଧାରୁ ଅଧିକ କର୍ମଚାରୀ ପଦ ଫାଙ୍କା ପଡ଼ିଛି। ଯାହା ସବୁଠୁ ବଡ଼ ଚିନ୍ତାର କାରଣ। ବିଭିନ୍ନ ପଦାଧିକାରୀ, ମୁଖ୍ୟ କିରାଣି, ବରିଷ୍ଠ କିରାଣି, କନିଷ୍ଠ କିରାଣି, ହୋଲ୍ଡିଂ ଟ୍ୟାକ୍ସ କଲେକ୍ଟରଙ୍କୁ ମିଶାଇ ପୌରପାଳିକାରେ ମୋଟ୍‌ ୫୫ଟି ପଦ ରହିଥିବା ବେଳେ ଏବେ କାମ କରୁଛନ୍ତି ମାତ୍ର ୧୮ ଜଣ। ବହୁଦିନ ହେଲା ପୌର ନିର୍ବାହୀ ଅଧିକାରୀ ପଦରେ କେହି ପୂର୍ଣ୍ଣକାଳୀନ ଅଧିକାରୀ ନାହାନ୍ତି। ବିଲ୍‌ ମୋହରିର, ୱାର୍କ ସରକାର, ମେକାନିକାଲ ଇଞ୍ଜିନିୟର, ଡ୍ରାଇଭର୍‌, ଅମିନ, ବିଟ୍‌ ଜମାଦାର ଭଳି ଗୁରୁତ୍ବପୂର୍ଣ୍ଣ ପଦଗୁଡ଼ିକ ଫାଙ୍କା ପଡ଼ିଛି। ଯେଉଁ କର୍ମଚାରୀମାନେ ଏବେ ଅଛନ୍ତି, ସେମାନେ ୧୯୯୪ ମସିହାରୁ ଡିଏଲ୍‌ଆର୍‌ ଓ ୧୯୯୭ ମସିହାରୁ କନ୍‌ସଲଟେଡ୍‌ ନିଯୁକ୍ତି ପାଇଥିଲେ ସୁଦ୍ଧା ଆଜି ପର୍ଯ୍ୟନ୍ତ ନିୟମିତ ଦରମା ପାଉନାହାନ୍ତି।
ଆଉ ମାସକ ପରେ ପୌରପାଳିକାକୁ ୬ ମାସ ପୂରିବ।

ପୌରାଧ୍ୟକ୍ଷାଙ୍କ ସମେତ ଅଧାରୁ ଅଧିକ ୱାର୍ଡ କାଉନ୍‌ସିଲର ଶାସକଦଳର। କିନ୍ତୁ ସହରବାସୀ ଭୋଗୁଥିବା ସମସ୍ୟା ସଂପର୍କରେ କେହି ମଧ୍ୟ ଉଁ ଚୁଁ ହେଉନାହାନ୍ତି। ବିଧାୟକଙ୍କଠାରୁ ଆରମ୍ଭ କରି ପୌରାଧ୍ୟକ୍ଷା, ପାରିଷଦ ସଭିଁଏ ଚୁପ୍। ପାନୀୟଜଳ, ରାସ୍ତାଘାଟ, ପରିମଳ, ଆଲୋକ ଭଳି ମୌଳିକ ସୁବିଧା ପାଇଁ ସରକାର କୋଟିକୋଟି ଟଙ୍କା ଖର୍ଚ୍ଚ କରୁଥିବା ବେଳେ ସେ ସବୁର ତଦାରଖ କରାଯାଉନଥିବାରୁ ସହରବାସୀ ହଟହଟା ହେଉଥିବା କାଉନ୍‌ସିଲର ସତ୍ୟଶିବ ସୁନ୍ଦର ଦାସ କହିଛନ୍ତି। ସହର ମୁଖ୍ୟ ରାସ୍ତାକଡ଼ରେ ଲାଇଟ୍‌, ସିସିଟିଭି କ୍ୟାମେରା ଲଗାଯାଇଥିଲେ ମଧ୍ୟ ଅନେକ ସେଥିରୁ ଅଚଳ। ଅସାମାଜିକ, ନିଶାଡ଼ି ଓ ଲୁଟେରାଙ୍କୁ ଏହା ବେଶ ସୁହାଉଛି ବୋଲି କହିଛନ୍ତି କାଉନସିଲର ପଦ୍ମଲୋଚନ ଲେଙ୍କା। ତେବେ ସମସ୍ୟାର ସମାଧାନ ପାଇଁ ତୁରନ୍ତ ପଦକ୍ଷେପ ନିଆନଗଲେ ଲୋକଙ୍କ ପୁଞ୍ଜିଭୂତ ଅସନ୍ତୋଷର ପ୍ରତିଫଳନ ଜନ ପ୍ରତିନିଧିଙ୍କୁ ଭୋଗିବାକୁ ପଡ଼ିବ, ଏହା ଆଗକୁ ଜଳଜଳ।

ସମ୍ବନ୍ଧିତ ଖବର