କଟକ: ବିଶ୍ବସ୍ତରୀୟ ହେବାକୁ ଯାଉଥିବା କଟକ ବଡ଼ ଡାକ୍ତରଖାନାରେ ମୃତକଙ୍କ ଶବ ବ୍ୟବଚ୍ଛେଦ ପାଇଁ ଲାଗିଯାଉଛି ୧୮ ଘଣ୍ଟାରୁ ଅଧିକ ସମୟ। ଡାକ୍ତରଖାନାର ଫରେନସିକ୍ ମେଡିସିନ୍ ଆଣ୍ଡ ଟକ୍ସିକୋଲୋଜି(ଏଫଏମଟି) ବିଭାଗରେ ଡାକ୍ତର ପଦବି ଖାଲି ପଡ଼ିଥିବାରୁ ବ୍ୟବଚ୍ଛେଦ ବିଳମ୍ବ ହେଉଥିବା କମିସନରେଟ୍ ପୁଲିସ ଯୁକ୍ତି ରଖୁଛି। ଅନ୍ୟପଟେ ବଡ଼ ଡାକ୍ତରଖାନା କର୍ତ୍ତୃପକ୍ଷ ପୁଲିସ ବିରୋଧରେ ପାଲଟା ଅଭିଯୋଗ ଆଣିଛନ୍ତି। ପୁଲିସ ପଞ୍ଚନାମା ସଂକ୍ରାନ୍ତ କାଗଜପତ୍ର ବିଳମ୍ବରେ ଆଣୁଥିବାରୁ ଶବ ବ୍ୟବଚ୍ଛେଦ ପ୍ରକ୍ରିୟା ବିଳମ୍ବିତ ହେଉଛି ବୋଲି ଡାକ୍ତରଖାନା କର୍ତ୍ତୃପକ୍ଷ କହୁଛନ୍ତି। କିନ୍ତୁ ଏଭଳି ପରସ୍ପର ମଧ୍ୟରେ ଦୋଷ ଠେଲାଠେଲି ଭିତରେ ମୃତକଙ୍କ ପରିବାର ଲୋକେ ଘାଣ୍ଟି ହେଉଛନ୍ତି। ନିଜର ଲୋକଙ୍କୁ ହରାଇଥିବା ପରିବାର ସଦସ୍ୟଙ୍କ ଧୈର୍ଯ୍ୟର ସୀମା ପାର୍ ହୋଇଯାଉଛି।
କଟକ ବଡ଼ଡାକ୍ତରଖାନାର ଫରେନସିକ୍ ମେଡିସିନ୍ ଆଣ୍ଡ ଟକ୍ସିକୋଲୋଜି(ଏଫଏମଟି) ବିଭାଗରେ ଏବେ ଜଣେ ପ୍ରଫେସର ତଥା ବିଭାଗୀୟ ମୁଖ୍ୟ ଥିବା ବେଳେ ଆସୋସିଏଟ୍ ପ୍ରଫେସର ପଦବି ତିନୋଟି ରହିଛି। କିନ୍ତୁ ତିନୋଟି ଯାକ ପଦବି ଖାଲି ପଡ଼ିଛି। ଆସିଷ୍ଟାଣ୍ଟ ପ୍ରଫେସର ଦୁଇ ଜଣ ସ୍ଥାୟୀ ଓ ଜଣେ ଚୁକ୍ତିଭିତ୍ତିକ ଅଛନ୍ତି। ଜଣେ ସରକାରୀ ଗ୍ରୁପ ଡି କର୍ମଚାରୀ ଅଛନ୍ତି। କିନ୍ତୁ ବାର୍ଦ୍ଧକ୍ୟ ଯୋଗୁ ସେ କାମ କରିପାରୁନାହାନ୍ତି। ତାଙ୍କ ପାଇଁ ତାଙ୍କ ପୁଅ ଏହି କାମ କରୁଥିବା କୁହାଯାଉଛି। ଆଉଟସୋର୍ସିଂ ସଂସ୍ଥା ମଞ୍ଜୁଶ୍ରୀ ପକ୍ଷରୁ ୫ ଜଣ କର୍ମଚାରୀଙ୍କୁ ବ୍ୟବଚ୍ଛେଦ ପ୍ରକ୍ରିୟାରେ ଡାକ୍ତରଙ୍କୁ ସହଯୋଗ କରିବାକୁ ଦାୟିତ୍ବ ଦିଆଯାଇଛି। କିନ୍ତୁ ବ୍ୟବଚ୍ଛେଦରେ ମୁଖ୍ୟ ଭୂମିକା ଥିବା ଡାକ୍ତରଙ୍କ ଅଭାବ ସବୁଠୁ ବଡ଼ ସମସ୍ୟା ସୃଷ୍ଟି କରୁଛି। ଦୈନିକ କଟକ ବଡ଼ ଡାକ୍ତରଖାନାକୁ ମଙ୍ଗଳାବାଗ ଥାନା ବାଦ୍ କମିସନରେଟ୍ ପୁଲିସର ଅନ୍ୟ ଥାନା ଅଞ୍ଚଳର ହାରାହାରି ୨୦ଟି ଶବ ବ୍ୟବଚ୍ଛେଦ ପାଇଁ ଆସୁଛି। ଏଥିରୁ ଅଧା ଶବ ବ୍ୟବଚ୍ଛେଦ ହୋଇପାରୁ ନାହିଁ। ହାରାହାରି ୧୦ରୁ ୧୨ ଶବ ବ୍ୟବଚ୍ଛେଦ କରାଯାଉଛି।
ବ୍ୟବସ୍ଥା ଅନୁଯାୟୀ କଟକ ବଡ଼ ଡାକ୍ତରଖାନାରେ କୌଣସି ବ୍ୟକ୍ତିଙ୍କ ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ ପରେ ବିଭାଗୀୟ ଡାକ୍ତର ମଙ୍ଗଳାବାଗ ଥାନାକୁ ଏ ସମ୍ପର୍କରେ ସୂଚନା ଦେଇଥାନ୍ତି। ପୁଲିସ ପହଞ୍ଚିବା ପରେ ଏକ ଫର୍ମରେ ଶବ ଗ୍ରହଣ କରି ବ୍ୟବଚ୍ଛେଦ ପାଇଁ ନେଉଥିବା ସଂକ୍ରାନ୍ତରେ ଦସ୍ତଖତ କରିଥାନ୍ତି। ଗ୍ରୁପ ଡି କର୍ମଚାରୀଙ୍କ ସହାୟତାରେ ପୁଲିସ ଶବକୁ ଶବ ସଂରକ୍ଷଣ ଗୃହକୁ ନେଇଥାଏ। ଅପରାହ୍ଣ ୫ଟା ଭିତରେ ଏହି ଶବ ଯାଇଥିଲେ ସେଦିନ ଶବ ବ୍ୟବଚ୍ଛେଦ ହେବ। ନଚେତ ପରଦିନ କରାଯିବ। ଶବ ସଂରକ୍ଷଣ ଗୃହରେ ଶବ ପହଞ୍ଚିବା ପରେ ପୁଲିସ ଶବର ପଞ୍ଚନାମା କରିଥାଏ। ପଞ୍ଚନାମାର ଚାରିଟି ଫର୍ମରେ ମୃତକଙ୍କ ନାଁ, କେମିତି ଅବସ୍ଥାରେ ଶବ ମିଳିଲା, କେମିତି ମୃତ୍ୟୁ ହେଲା, ଶରୀରରେ କେଉଁଠି କ୍ଷତ ଚିହ୍ନ ରହିଛି, ମୃତକ କଣ ପୋଷାକ ପିନ୍ଧିଛନ୍ତି ଏବଂ ପରିବାର ଲୋକଙ୍କ ମୃତ୍ୟୁ ସମ୍ପର୍କିତ ବୟାନ ଉଲ୍ଲେଖ କରାଯାଇଥାଏ। ଏହା ପରେ ଶବ ସଂରକ୍ଷଣ ଗୃହରୁ ଶବକୁ ଶବ ବ୍ୟବଚ୍ଛେଦ ଗୃହକୁ ସ୍ଥାନାନ୍ତର କରାଯାଏ। ସେଠାରେ ଥିବା ଗ୍ରୁପ ଡି କର୍ମଚାରୀ ଶବକୁ ବ୍ୟବଚ୍ଛେଦ ପରେ ଉପସ୍ଥିତ ଡାକ୍ତର ଯାଞ୍ଚ କରି ବ୍ୟବଚ୍ଛେଦ ରିପୋର୍ଟ ପ୍ରସ୍ତୁତ କରିଥାନ୍ତି। ମଙ୍ଗଳାବାଗ ଥାନାର ଜଣେ ପୁଲିସ ଅଧିକାରୀଙ୍କ କହିବା ଅନୁଯାୟୀ, ଦିନ ସମୟରେ ସାଧାରଣତଃ ଗୋଟିଏ ଶବ ବ୍ୟବଚ୍ଛେଦ ପାଇଁ ଦେଢ଼ ଘଣ୍ଟା ସମୟ ଲାଗିବା କଥା। କିନ୍ତୁ ଏଫଏମଟିରେ ଡାକ୍ତର ସମସ୍ୟା ଯୋଗୁଁ ୪ରୁ ୫ ଘଣ୍ଟା ଲାଗିଯାଉଛି। ଅପରାହ୍ଣ ୫ଟା ପରେ ବ୍ୟବଚ୍ଛେଦ ହେଉନଥିବାରୁ ପରଦିନକୁ ଯଦି ଶବ ରହୁଛି, ତେବେ ପରଦିନ ଶବ ମିଳିଲା ବେଳକୁ କ୍ରମିକ ନଂ ଅନୁଯାୟୀ, ପାଖାପାଖି ଦିନ ଦୁଇଟା ବାଜିଯାଉଛି। ମୋଟ ଉପରେ କହିବାକୁ ଗଲେ ୫ଟା ପରେ ଯଦି ଶବ ବଡ଼ ଡାକ୍ତରଖାନା ଯାଉଛି, ତେବେ ବ୍ୟବଚ୍ଛେଦ ହୋଇ ପରିବାର ଲୋକଙ୍କୁ ହସ୍ତାନ୍ତର ହେବା ପାଇଁ ୧୮ ଘଣ୍ଟାରୁ ଉର୍ଦ୍ଧ୍ବ ସମୟ ଲାଗିଯାଉଛି। ଅନ୍ୟପଟେ ଦିନ ୧୦ରୁ ୫ଟା ଯାଏ ଶବ ବ୍ୟବଚ୍ଛେଦ ହେବା କଥା। କିନ୍ତୁ ଏଥିରେ ବି ବ୍ୟତିକ୍ରମ ଦେଖାଯାଉଛି। ଡାକ୍ତର ନିଜ ବିଭାଗରେ ଉପସ୍ଥାପନ ପକାଇ ବ୍ୟବଚ୍ଛେଦ ଗୃହକୁ ଆସିବା ବେଳକୁ ଅନେକ ସମୟରେ ୧୧ଟା ପାର୍ ହୋଇଯାଉଛି। ୨ଟା ସୁଦ୍ଧା ଶବ ବ୍ୟବଚ୍ଛେଦ ପରେ ଡାକ୍ତର ମଧ୍ୟାହ୍ଣ ଭୋଜନ ପାଇଁ ଚାଲିଯାଉଛନ୍ତି। ଏହି ସମୟରେ ଯଦି ଡାକ୍ତରୀ ଛାତ୍ରଛାତ୍ରୀଙ୍କୁ ପଢ଼ାଇବାକୁ ଯାଉଛନ୍ତି, ତେବେ ବ୍ୟବଚ୍ଛେଦ ଗୃହକୁ ଆସିବାକୁ ୪ଟା ବାଜିଯାଉଛି। ୪ଟାରୁ ୫ଟା ବ୍ୟବଚ୍ଛେଦ ପରେ ବ୍ୟବଚ୍ଛେଦ ଗୃହ ବନ୍ଦ ହେଉଛି। ଗୋଟିଏ ଦିନରେ ପାଖାପାଖି ୩ ଘଣ୍ଟା ୩୦ ମିନିଟ୍ ବ୍ୟବଚ୍ଛେଦ ହେଉଛି। ଏଭଳି ଏକାଧିକ କାରଣ ଯୋଗୁଁ ବ୍ୟବଚ୍ଛେଦ ପ୍ରକ୍ରିୟା ବିଳମ୍ବ ହେଉଥିବା ସମ୍ପୃକ୍ତ ଅଧିକାରୀ ଜଣକ କହିଛନ୍ତି।
ଏଫଏମଟି ବିଭାଗ ମୁଖ୍ୟ ପ୍ରଫେସର ଡାକ୍ତର ଗୀତା ସାହୁଙ୍କ କହିବା ଅନୁଯାୟୀ, ଏଫଏମଟିରେ ଆସୋସିଏଟ୍ ପ୍ରଫେସର ପଦବି ଖାଲି ପଡ଼ିଛି। ଅନ୍ୟପଟେ ୧୦ଟା ସୁଦ୍ଧା ପଞ୍ଚନାମା ସଂକ୍ରାନ୍ତ କାଗଜପତ୍ର ପହଞ୍ଚିପାରୁନାହିଁ। ମଙ୍ଗଳାବାଗ ଥାନା ପୁଲିସକୁ ବହୁତ ପୂର୍ବରୁ ଏ ସଂକ୍ରାନ୍ତରେ କୁହାଯାଇଛି। ଗୋଟିଏ ଗୋଟିଏ କରି ପଞ୍ଚନାମା କାଗଜପତ୍ର ପଠାଇବାକୁ କୁହାଯାଉଛି। କିନ୍ତୁ ସେମାନେ ଏକକାଳୀନ ୪/୫ ଶବର କାଗଜପତ୍ର ଆଣୁଥିବା ପ୍ରଫେସର ଡାକ୍ତର ସାହୁ ସୂଚନା ଦେଇଛନ୍ତି। ଅନ୍ୟପଟେ ମଙ୍ଗଳାବାଗ ଥାନା ଆଇଆଇସି ଉମାକାନ୍ତ ସାହୁଙ୍କ କହିବା ଅନୁଯାୟୀ, ଡାକ୍ତରୀ ଟିମ୍ ବ୍ୟବଚ୍ଛେଦ ବିଳମ୍ବ କରୁଥିବାରୁ ଶବ ପରିବାର ଲୋକଙ୍କୁ ହସ୍ତାନ୍ତର କରିବାରେ ବିଳମ୍ବ ହେଉଛି। ଅନ୍ୟପଟେ ବାହାଘରର ୭ ବର୍ଷ କିମ୍ବା କୌଣସି ବିବାଦୀୟ ଶବ ବ୍ୟବଚ୍ଛେଦ ସମୟରେ ଏକଜିକ୍ୟୁଟିଭ୍ ମାଜିଷ୍ଟ୍ରେଟଙ୍କ ଉପସ୍ଥିତି ନିହାତି ଆବଶ୍ୟକ। ସପ୍ତାହର ପ୍ରତ୍ୟେକ ଦିନ ଜଣେ ଲେଖାଏ ଏକଜିକ୍ୟୁଟିଭ୍ ମାଜିଷ୍ଟ୍ରେଟଙ୍କୁ ଦାୟିତ୍ବ ଦିଆଯାଇଛି। କିନ୍ତୁ ସମ୍ପୃକ୍ତ ମାଜିଷ୍ଟ୍ରେଟଙ୍କ ଅନ୍ୟ ସରକାରୀ ଡ୍ୟୁଟି ରହୁଥିବାରୁ ଉପସ୍ଥିତ ରହିବାରେ ସମସ୍ୟା ହେଉଥିବାରୁ ତାହା ଆଉ ଏକ ଆହ୍ବାନ ସୃଷ୍ଟି କରୁଥିବା ଶ୍ରୀ ସାହୁ କହିଛନ୍ତି।