ଦୁଃସ୍ଥିତିରେ ବନ୍ୟା‌ବିପନ୍ନ: ଡିବିରି ପାଇଁ କିରାସିନି ନାହିଁ! ମନ୍ତ୍ରୀଙ୍କ ନିର୍ଦ୍ଦେଶକୁ ବେଖାତିର

ବୌଦ୍ଧ/ହରଭଙ୍ଗା : ମହାନଦୀରେ ବନ୍ୟାଜଳ କମିଥିଲେ ସୁଦ୍ଧା ବୌଦ୍ଧ ଜିଲ୍ଲାର ହରଭଙ୍ଗା ବ୍ଲକ୍‌ର ଅନେକ ଅଞ୍ଚଳ ବନ୍ୟା କବଳରୁ ମୁକୁଳି ପାରିନାହିଁ। ରାସ୍ତା ଉପରେ ପାଣି ଜମି ରହିବା ‌ଯୋଗୁଁ ଅନେକ ଗ୍ରାମ ବାହ୍ୟଜଗତରୁ ବିଚ୍ଛିନ୍ନ ହୋଇରହିଛି। ପ୍ରାୟ ୧୦ଟି ଗ୍ରାମ ବନ୍ୟାଜଳ ଘେରରେ ରହିଛି। ମନ୍ତ୍ରୀ, ନେତା ଓ ପ୍ରାଶାସନିକ ଅଧିକାରୀ ବନ୍ୟାଞ୍ଚଳ ବୁଲି ଲୋକଙ୍କ ସମସ୍ୟା ବୁଝିଛନ୍ତି। ବନ୍ୟା ପରିସ୍ଥିତିରୁ ମୁକୁଳିବା ପାଇଁ ସଂଘର୍ଷ କରୁଥିବା ଲୋକଙ୍କ ସମସ୍ୟା ସମାଧାନ କରିବାପାଇଁ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ହେଲେ, ପରବର୍ତ୍ତୀ ସମୟରେ ଲୋକେ ଉପେକ୍ଷାର ଶିକାର ହୋଇଥିବା ଅଭିଯୋଗ ହୋଇଛି। ବିଦ୍ୟୁତ୍‌ ସରବରାହ ବିଚ୍ଛିନ୍ନ ଥିବା ଗ୍ରାମର ଲୋକଙ୍କୁ ଡିବିରି ଜାଳିବା ପାଇଁ କିରାସିନି ଯୋଗାଇ ଦେବାକୁ ମନ୍ତ୍ରୀ ପ୍ରଦୀପ ଅମାତ ନିର୍ଦ୍ଦେଶ ଦେଇଥିଲେ। ହେଲେ ପ୍ରଶାସନ କିରୋସିନ ଯୋଗାଇବାରେ ବିଫଳ ହୋଇଛି।

ସୂଚନାନୁସାରେ ସ୍ଥାନୀୟ ବିଧାୟକ ତଥା ମନ୍ତ୍ରୀ ପ୍ରଦୀପ ଅମାତ, ଜିଲ୍ଲା ପରିଷଦ ଅଧ୍ୟକ୍ଷା ପ୍ରଭାସିନୀ ଦାସ, ଜିଲ୍ଲାପାଳ ସତ୍ୟ ରଞ୍ଜନ ସାହୁ ତଥା ବିଭିନ୍ନ ଜିଲ୍ଲାସ୍ତରୀୟ ଅଧିକାରୀ ବନ୍ୟାଞ୍ଚଳ ପରିଦର୍ଶନ କରିଥିଲେ। ବ୍ଲକ୍‌ର କୁଶଙ୍ଗ ପଞ୍ଚାୟତର ବନ୍ୟା ପ୍ରଭାବିତ କୁସାଶିଙ୍ଗା, ତିରଡ଼, କୁମାରୀ, ଅତଲସରା, ମାରଡ଼ା, ମହୁଲଧର ଆଦି ଗାଁକୁ ଯାଇ ଲୋକଙ୍କ ସମସ୍ୟା ବୁଲି ଦେଖିଥିଲେ। ବନ୍ୟା ଯୋଗୁଁ ତିରଡ଼, କୁମାରୀ, ଅତଲସରା, ମା‌ରଡ଼ା ଓ ମହୁଲଧର ଗାଁକୁ ବିଦ୍ୟୁତ୍‌ ସଂଯୋଗ ବିଚ୍ଛିନ୍ନ ରହିଛି। ବନ୍ୟାଜଳ ନ କମିବା ପର୍ଯ୍ୟନ୍ତ ବିଦ୍ୟୁତ ସେବା ସ୍ବାଭାବିକ ହେବା ନେଇ ଅନିଶ୍ଚିତତା ଦେଖା ଦେଇଛି। ଏହାକୁ ଦୃଷ୍ଟିରେ ରଖି ଏହି ପାଞ୍ଚଟି ଗାଁରେ ପରିବାର ପିଛା ଏକ ଲିଟର କିରାସିନି ଯୋଗାଇ ଦେବାକୁ ମନ୍ତ୍ରୀ ଶ୍ରୀ ଅମାତ ବିଭାଗୀୟ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଥିଲେ। ହେଲେ, ବିଭାଗୀୟ ଅଧିକାରୀ ମନ୍ତ୍ରୀଙ୍କ ନିର୍ଦ୍ଦେଶକୁ ବେଖାତିର କରି ପ୍ରତି ପରିବାରକୁ ବାଦ‌ ଦେଇ କେବଳ ରାସନକାର୍ଡ ଥିବା ପରିବାରକୁ ତାଲିକାଭୁକ୍ତ କରାଯାଇଛି। ରାସନକାର୍ଡ ନଥିବା ପରିବାର କିରାସିନି ପାଇବାରୁ ବଞ୍ଚିତ ହୋଇଛନ୍ତି। ହେଲେ ରାସନକାର୍ଡ ଥିବା ତାଲିକା ଅନୁସାରେ ମଧ୍ୟ ବଣ୍ଟନ କରାଯାଇ ନଥିବା ଅଭିଯୋଗ ହୋଇଛି।

ଅଭିଯୋଗ ଅନୁସାରେ ଚାରିଟି ଗାଁରେ ମୋଟ ୬୯୧ ରାସନକାର୍ଡଧାରୀ ପରିବାର ରହିଛନ୍ତି। ସେମାନଙ୍କ ପାଇଁ ୬୯୧ ଲିଟର କିରାସିନି ଆସିବା କଥା। ହେଲେ ମାତ୍ର ୩୮୩ ଲିଟର ତେଲ ବାଣ୍ଟି ବିଭାଗ ମୁଣ୍ଡରୁ ଦାୟିତ୍ବ ଖସାଇଛି। କୁମାରୀ ଗାଁରେ ୩୯୩ ରାସନ କାର୍ଡଧାରୀ ରହିଥିବା ବେଳେ ୨୨୦ ଲିଟର, ଅତଲସରାରେ ୯୦ କାର୍ଡ ଥିବାବେଳେ ୩୦ ଲିଟର, ମହୁଲଧରରେ ୯୬ କାର୍ଡ ଥିବା ବେଳେ ୨୮ ଲିଟର, ତିରଡ଼ରେ ୯୦ କାର୍ଡ଼ ଥିବା ବେଳେ ୮୭ ଲିଟର, ମାରଡ଼ାରେ ୨୨ କାର୍ଡ ଥିବା ବେଳେ ୧୮ ଲିଟର ତେଲକୁ ନିଅଣ୍ଟିଆ ଭାବରେ ବାଣ୍ଟି ଦିଆଯାଇଛି। ଏହାକୁ ନେଇ ବନ୍ୟାକ୍ଲିଷ୍ଟ ପରିବାରଙ୍କ ମଧ୍ୟରେ ତୀବ୍ର ଅ‌ସନ୍ତୋଷ ପ୍ରକାଶ ପାଇଛି।

ସମ୍ବନ୍ଧିତ ଖବର