ଜୟପୁର : ନୂଆ ବସଷ୍ଟାଣ୍ଡ ଦ୍ରୁତଗାମୀ ବସ ଗୁଡିକର ପାର୍କିଂ ସ୍ଥଳ ପାଲଟିଥିବା ବେଳେ ପାରାବେଡା ଛକର ଅସ୍ଥାୟୀ ଷ୍ଟାଣ୍ଡ ଏବେ ନିୟମିତ ଷ୍ଟାଣ୍ଡ ପାଲଟିଛି। ଜୟପୁର ସହରକୁ ସରସ ସୁନ୍ଦର କରିବା ପାଇଁ ଗତ ୨୦୦୧ ମସିହାରେ ତତ୍କାଳୀନ ଜିଲ୍ଲାପାଳ ଅପରାଜିତା ଷଡଙ୍ଗୀ ଜୟପୁର-ବୋରିଗୁମ୍ମା ରାସ୍ତାରେ ନୂଆ ପ୍ରାଇଭେଟ୍ ବସଷ୍ଟାଣ୍ଡ ଆରମ୍ଭ କରିଥିଲେ। ତେବେ ଦୀର୍ଘ ୧୭ବର୍ଷ ପରେ ବି ଏହି ବସଷ୍ଟାଣ୍ଡର ରୂପରେଖରେ ସେଭଳି କିଛି ପରିବର୍ତ୍ତନ ହୋଇପାରିନି। ଏଠାକୁ ଯଦିଓ ବସ୍ ଗୁଡିକ ଆସୁଛି ଅଳ୍ପ କିଛି ସମୟ ରହିବା ପରେ ଚାଲି ଯାଉଛି। କିନ୍ତୁ ଏଠାକୁ ଭୁବନେଶ୍ବର, ରାୟପୁର, ବ୍ରହ୍ମପୁର, ଭଂଜନଗର, କାଙ୍କେର, ଦୁର୍ଗ, ସମ୍ବଲପୁର ଆଦି ଅଂଚଳରୁ ଆସୁଥିବା ଦ୍ରୁତଗାମୀ ଘରେଇ ବସ୍ ଗୁଡିକ ଦିନ ତମାମ ପାର୍କିଂ କରି ରଖୁଛନ୍ତି। ଯାତ୍ରୀ ବି ଅଳ୍ପ ମାତ୍ରାରେ ଏଠାକୁ ଆସୁଥିବାରୁ ଦୋକାନୀମାନଙ୍କ ବ୍ୟବସାୟ ବି ଧୀରେ ଧୀରେ କମିବାରେ ଲାଗିଛି। ତେବେ ରକ୍ଷଣାବେକ୍ଷଣ ଅଭାବରୁ ଏହି ବସଷ୍ଟାଣ୍ଡ ଦୟନୀୟ ଅବସ୍ଥାରେ ରହିଛି।

Advertisment

ଦୀର୍ଘ ଦିନ ହେବ ଏହାକୁ ରଂଗ ଦିଆଯାଇନାହିଁ। ସେହିପରି ଏଠାରେ ପିଇବାକୁ ମୁନ୍ଦେ ପାଣି ବି ମିଳୁନି। ପୌରପାଳିକା ପକ୍ଷରୁ ଘରୋଇ ବସ ମାଲିକ ସଂଘ ନିକଟରୁ ଭଡା ନେଉଥିଲେ ହେଁ ଏହାର ରକ୍ଷଣାବେକ୍ଷଣ ଯେଭଳି କରାଯିବା କଥା କରାଯାଉନି। ଅନ୍ୟ ପକ୍ଷରେ ସହର ମଧ୍ୟରେ ହିଁ ସବୁ ବସ ପାର୍କିଂ କରି ରଖାଯାଉଛି। ପାରାବେଡା ଛକରେ ଥିବା ପେଟ୍ରୋଲ ଟାଙ୍କି ସମ୍ମୁଖ ସ୍ଥାନକୁ ଅସ୍ଥାୟୀ ଷ୍ଟାଣ୍ଡ ଘୋଷଣା କରାଯାଇଥିଲା। ଏବେ ଏହା ନିୟମିତ ଷ୍ଟାଣ୍ଡ ପାଲଟିଛି। ଏଠାରେ ସବୁ ଘରୋଇ ବସ୍ ଘଣ୍ଟା ଘଣ୍ଟା ଧରି ରହୁଛନ୍ତି। ଫଳରେ ସହରରେ ବହୁ ସମୟରେ ଟ୍ରାଫିକ ସମସ୍ୟା ବି ଦେଖାଦେଉଛି। ଏଠାରୁ ଯାତ୍ରୀ ଧରି ବାହାରିବା ପରେ ନୂଆ ବସଷ୍ଟାଣ୍ଡରେ ଅଳ୍ପ କିଛି ସମୟ ରହି ନିଜ ନିଜ ଗନ୍ତବ୍ୟ ସ୍ଥାନକୁ ଯାଉଛନ୍ତି।