ଓଡ଼ିଶାର ଏକମାତ୍ର ଆଞ୍ଚଳିକ କୁଷ୍ଠ ପ୍ରଶିକ୍ଷଣ, ଅନୁସନ୍ଧାନ ସଂସ୍ଥାନ ସ୍ଥାଣୁ

୬୨ ଜାଗାରେ ଅଛନ୍ତି ୨୮ କର୍ମଚାରୀ, ବଢ଼ୁଛନ୍ତି ରୋଗୀ, ମାନସମ୍ବଳ ଅଭାବ ଉତ୍କଟ

ଆସିକା : ଓଡ଼ିଶାର ସମବାୟ ସହର ଆସିକାରେ ରହିଛି ଓଡ଼ିଶାର ଏକ ମାତ୍ର ଆଞ୍ଚଳିକ କୁଷ୍ଠ ପ୍ରଶିକ୍ଷଣ ଓ ଅନୁସନ୍ଧାନ ସଂସ୍ଥାନ। ହେଲେ କେନ୍ଦ୍ର ସରକାରଙ୍କ ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ଅଧୀନରେ ଥିବା ଆସିକା ଆଞ୍ଚଳିକ କୁଷ୍ଠ ପ୍ରଶିକ୍ଷଣ ଓ ଅନୁସନ୍ଧାନ ସ˚ସ୍ଥାନ ଏବେ ସ୍ଥାଣୁ ଅବସ୍ଥାରେ। ନା’ ଏଠାରେ ଅଛନ୍ତି ଆବଶ୍ୟକ କର୍ମଚାରୀ, ନା’ ଅଛନ୍ତି ଡାକ୍ତର। ଭିତ୍ତିଭୂମି ଅବସ୍ଥା ବି ନ କହିବା ଭଲ। ପ୍ରତିବର୍ଷ ରୋଗୀ ସଂଖ୍ୟା ବଢ଼ୁଛନ୍ତି, କିନ୍ତୁ ଏହାର ଉନ୍ନତି ପାଇଁ ନିଘା ନାହିଁ। ସମଗ୍ର ରାଜ୍ୟରୁ ରୋଗୀ ଏଠାକୁ ରେଫରାଲ୍ ହୋଇ ଆସୁଛନ୍ତି। ବରଗଡ଼, ବୌଦ୍ଧ, ବଲାଙ୍ଗୀର, ଝାରସୁଗୁଡ଼ା, ସମ୍ବଲପୁର, କଳାହାଣ୍ତି ଓ ଢେ଼ଙ୍କାନାଳ ଜିଲ୍ଲାରେ ରୋଗୀ ଚିହ୍ନଟ ହୋଇ ଚିକିତ୍ସିତ ହେଉଛନ୍ତି। ପ୍ରତିମାସରେ ପାଖାପାଖି ଶହେରୁ ଅଧିକ କୁଷ୍ଠ ରୋଗୀ ଏହି ସଂସ୍ଥାନକୁ ଚିକିତ୍ସା ପାଇଁ ଆସୁଛନ୍ତି।

ବର୍ତ୍ତମାନ ଏହି ସଂସ୍ଥାନରେ ବର୍ତ୍ତମାନ ମାତ୍ର ୩ ଜଣ ଡାକ୍ତର ଓ ୩ଜଣ ସେବିକା ଦାୟିତ୍ବ ତୁଲାଇଉଛନ୍ତି। ଡାକ୍ତର ଓ ସେବିକାଙ୍କୁ ମିଶାଇ ୬୨ଜଣ କର୍ମଚାରୀଙ୍କ ମଧ୍ୟରୁ ୨୮ ଜଣ କାମ କରୁଛନ୍ତି। ୩୪ଟି ପଦବି ଖାଲି। ଏଭଳି ସ୍ଥିତିରେ କେନ୍ଦ୍ର ନିର୍ଦେଶକଙ୍କ ସମେତ ଜଣେ ଡାକ୍ତରଙ୍କୁ ସମ୍ବଳ ବ୍ୟକ୍ତି (ରିସୋର୍ସ ପର୍ସନ୍) ବାହାରକୁ ଗଲେ ଜଣେ ମାତ୍ର ଡାକ୍ତର ଦାୟିତ୍ବ ସମ୍ଭାଳୁଛନ୍ତି।

ଓଡ଼ିଶାରେ ବାର୍ଷିକ ୧୦ ହଜାରରୁ ଅଧିକ କୁଷ୍ଠ ରୋଗୀ ଚିହ୍ନଟ ହେଉଛନ୍ତି। ସେଥି ମଧ୍ୟରୁ ପଶ୍ଚିମଓଡ଼ିଶା ବୌଦ୍ଧ ଓ ସୋନପୁର ଜିଲ୍ଲାରୁ ରୋଗୀଙ୍କ ସଂଖ୍ୟା ଅଧିକ। ସେହିପରି ବ୍ରହ୍ମପୁର ଏମକେସିଜି ଡାକ୍ତରଖାନା ସମେତ ଗଞ୍ଜାମ, ଗଜପତି, କନ୍ଧମାଳ ଓ ନୟାଗଡ଼ ଜିଲ୍ଲାର ଦାୟିତ୍ବଭାର ବି ଏହି ସଂସ୍ଥାନକୁ ଅର୍ପଣ କରାଯାଇଛି। ଏଠାରେ ୫୦ ଜଣ ରୋଗୀଙ୍କ ପାଇଁ ଇନଡୋର୍ ବ୍ୟବସ୍ଥା ରହିଛି। ଔଷଧ, ଖାଦ୍ୟ, ପାନୀୟ ଓ ଜୋତା ସମସ୍ତ ଜିନିଷ ମାଗଣାରେ ପ୍ରଦାନ କରାଯାଉଛି। ପ୍ରତି ସମୟରେ ଏଠାରେ ୩୦ରୁ ଅଧିକ ରୋଗୀ ରହି ଚିକିତ୍ସିତ ହେଉଛନ୍ତି। କିନ୍ତୁ ଭିତ୍ତିଭୂମି ଓ ମାନବସମ୍ବଳ ଅଭାବ ପ୍ରମୁଖ ସମସ୍ୟା ପାଲଟିଛି।

pubmed.ncbi.nlm.nih.gov

କାର୍ଯ୍ୟରତ କର୍ମଚାରୀଙ୍କ ସଂଖ୍ୟା ଆବଶ୍ୟକତା ଠାରୁ କମ୍ ଥିବାରୁ ରୋଗୀ ସେବା ସହ ଅନ୍ୟାନ୍ୟ ଆନୁଷଙ୍ଗିକ କାମରେ ସମସ୍ୟା ଦେଖାଦେଉଛି। ଫାଇଲିନ୍ ସମୟରେ ‌ପୁରୁଣା କୋଠାର ଆଜବେଷ୍ଟସ୍ ଓ ଟିଣ ସଂପୂର୍ଣ୍ଣ ଭାବେ ଉଡ଼ିଯିବାରୁ କେନ୍ଦ୍ର ସରକାରଙ୍କୁ ବାରମ୍ବାର ଚିଠି ଲେଖାଯିବା ପରେ କୋଠା ତିଆରି ହେଲା। କୋଭିଡ୍ ସମୟରେ ଉକ୍ତ ନୂତନ କୋଠାକୁ କୋଭିଡ୍ କେୟାର୍ ସେଣ୍ଟର୍ କରାଯାଇଥିଲା। ବର୍ତ୍ତମାନ ଏହାର ଅନ୍ୟାନ୍ୟ କାମ ଚାଲିଛି। ଶୀଘ୍ର ନୂଆ କୋଠାକୁ ରୋଗୀ ଓ ଯନ୍ତ୍ରପାତି ସ୍ଥାନାନ୍ତର ହେବ। କିନ୍ତୁ ସଂସ୍ଥାନ ପାଇଁ ବର୍ତ୍ତମାନ ପରିସ୍ଥିତିରେ ନୂତନ ଉପକରଣ ଓ ଉନ୍ନତମାନର ଯନ୍ତ୍ରପାତିର ଆବଶ୍ୟକତା ରହିଛି। କାରଣ ଏଠାରୁ କେବଳ ଚିକିତ୍ସା ନୁହେଁ, ଏହି ସଂସ୍ଥାନରେ ପ୍ରତିବର୍ଷ ଶତାଧିକ ଡାକ୍ତର ଓ ସ୍ୱାସ୍ଥ୍ୟକର୍ମୀଙ୍କୁ ତାଲିମ ଦିଆଯାଉଛି। ଏହାସହ ଅନୁସନ୍ଧାନ କ୍ଷେତ୍ରରେ ବି ଏହା ପ୍ରମୁଖ ଭୂମିକା ଗ୍ରହଣ କରୁଛି। ହେଲେ ମାନବସମ୍ବଳ ଅଭାବ ସମସ୍ୟା ଭାବେ ଉଭା ହୋଇଛି।

ନିର୍ଦ୍ଦେଶକ ଡାକ୍ତର ଭି.ସାନ୍ତାରାମଙ୍କ କହିବା ପ୍ରକାରେ ପ୍ରତିବର୍ଷ ଏବେ ନୂଆ ରୋଗୀ ଚିହ୍ନଟ ହେଉଛନ୍ତି। ଗଞ୍ଜାମ ଜିଲ୍ଲା ସମେତ ଓଡ଼ିଶାରୁ ପ୍ରତିବର୍ଷ ୧୦ହଜାରରୁ ଅଧିକ ରୋଗୀ ଚିହ୍ନଟ ହେଉଛନ୍ତି। ସଂକଟାପନ୍ନ ଅବସ୍ଥାରେ ରୋଗୀ ଏଠାକୁ ଆସନ୍ତି। ସେମାନଙ୍କ ମାନସିକ ସ୍ଥିତିକୁ ଦୃଢ଼ କରି ଚିକିତ୍ସା କରିବାକୁ ପଡ଼ିଥାଏ। ବର୍ତ୍ତମାନ ଟିଣଛପର କୋଠାରେ ଚିକିତ୍ସା କାର୍ଯ୍ୟ ଚାଲିଛି। ଆସନ୍ତା ୨ ମାସ ମଧ୍ୟରେ ସଂସ୍ଥାନ ସଂପୂର୍ଣ୍ଣ ଭାବେ ନୂଆ କୋଠାକୁ ସ୍ଥାନାନ୍ତର ହେବା ନେଇ ସେ ଆଶାବାଦୀ ଥିବା କହିଛନ୍ତି। ଏହାବ୍ୟତୀତ ଜାତୀୟସ୍ତରର ରିସୋର୍ସ ପର୍ସନ୍ ଭାବେ ସାରା ରାଜ୍ୟ ବୁଲିବା କାର୍ଯ୍ୟ ତୁଲାଉଛନ୍ତି। ଏହାସହ କାର୍ଯ୍ୟରତ ଡାକ୍ତର ଓ ସ୍ବାସ୍ଥ୍ୟକର୍ମୀଙ୍କୁ କୁଷ୍ଠ ନିରାକରଣ ତାଲିମ ଦେବା କାମ ବି କରୁଛନ୍ତି। ରାଜ୍ୟ ବାହାରକୁ ଗଲେ ସମସ୍ୟା ଉପୁଜୁଛି ବୋଲି ସେ କହିଛନ୍ତି। ରାଜ୍ୟରେ ଏବେ ପ୍ରତିଦିନ କୁଷ୍ଠ ରୋଗୀ ଚିହ୍ନଟ ହେଉ ଥିବା ବେଳେ ଓଡ଼ିଶାରେ ଥିବା ଏହି ଏକମାତ୍ର ସ˚ସ୍ଥାନ ପ୍ରତି କେନ୍ଦ୍ର ସରକାରଙ୍କ ଦୃଷ୍ଟି ପଡୁ ନାହିଁ ବୋଲି ମତପ୍ରକାଶ ପାଇଛି।

The Guardian

ବର୍ଷ ଚିହ୍ନଟ ରୋଗୀ ସ˚ଖ୍ୟ
୨୦୧୦-୧୧ ୬୭୪୨
୨୦୧୧-୧୨ ୮୨୨୬
୨୦୧୩-୧୪ ୬୯୦୯
୨୦୧୪-୧୫ ୬୬୯୨
୨୦୧୫-୧୬ ୮୦୯୬
୨୦୧୬-୧୭ ୭୬୦୪
୨୦୧୭-୧୮ ୭୨୪୨
୨୦୧୮-୧୯ ୬୮୦୧
୨୦୧୯-୨୦ ୬୪୩୪

ସମ୍ବନ୍ଧିତ ଖବର