କରୋନା କାଳର କୋହ ‘ମୋ ମାଆର ମୃତଦେହକୁ ଫେରାଇ ଦିଅନ୍ତୁ ଜିଲ୍ଲାପାଳ’

ମୃତ୍ୟୁର ୧୨ ଦିନ ପରେ ଖବର ପାଇଥିବା ଝିଅର କ୍ଷୋଭ

ସୁନ୍ଦରଗଡ଼: ‘ଭଲ ତ କରିପାରିଲେନି, ମୋ ମାଆର ମୃତଦେହକୁ ହେଲେ ଫେରାଇ ଦିଅନ୍ତୁ ଜିଲ୍ଲାପାଳ’। ଏହା ଥିଲା କରୋନା ସଂକ୍ରମଣରେ ଡାକ୍ତରଖାନା ଶଯ୍ୟାରେ ପ୍ରାଣ ହରାଇଥିବା ମା’ଙ୍କ ଶବ ଦାହର ୧୧ ଦିନ ପରେ ମୃତ୍ୟୁ ଖବର ପାଇଥିବା ଏକ ଝିଅର କରୁଣ କ୍ଷୋଭୋକ୍ତି। ଜିଲ୍ଲାପାଳଙ୍କୁ ଭେଟି ପାରି ନଥିଲେ ମଧ୍ୟ ହସ୍ପିଟାଲର ସମ୍ବେଦନହୀନତା ବିରୋଧରେ ଥାନାରେ ଅଭିଯୋଗ କଲା ବେଳେ ମା’ଙ୍କୁ ହରାଇଥିବା ଝିଅ ମୁହଁରୁ ବାହାରିଥିବା ଏ କ୍ଷୋଭ ଛାତି ଥରାଇ ଦେଇଥିଲା। ମହିଳାଙ୍କ ମୃତ୍ୟୁ ପରେ ପରିବାର ଲୋକଙ୍କ ଅଗୋଚରରେ ସ୍ବାସ୍ଥ୍ୟକେନ୍ଦ୍ର କର୍ତ୍ତୃପକ୍ଷ ଶବଟିକୁ ପୋଡ଼ି ଦେଇଥିଲେ। ଆଉ ୧୨ ଦିନ ପରେ ମହିଳାଙ୍କୁ ନେବାକୁ ଆସି ପରିବାର ଲୋକେ ଜାଣିଥିଲେ ମୃତ୍ୟୁ କଥା। କରୋନା କାଳରେ ସୁନ୍ଦରଗଡ଼ସ୍ଥିତ ଏନଟିପିସି କୋଭିଡ୍ ସ୍ବାସ୍ଥ୍ୟ କେନ୍ଦ୍ର ନାମରେ ଆସିଛି ଏହି ଅଭାବନୀୟ ଅଭିଯୋଗ।

ସବୁଠାରୁ ବଡ଼ ହୃଦୟବିଦାରକ କଥାଟି ହେଲା, ମହିଳାଙ୍କୁ ହସ୍ପିଟାଲରେ ଭର୍ତ୍ତି କରିବା ପରେ ପରିବାର ଲୋକେ ସବୁଦିନ ଫୋନ କରି ସ୍ବାସ୍ଥ୍ୟାବସ୍ଥା ବୁଝିଲା ବେଳେ ଉତ୍ତର ମିଳୁଥିଲା, ରୋଗୀ ଭଲ ଅଛନ୍ତି, ସୁସ୍ଥ ହେଉଛନ୍ତି। ଏପରିକି ମଲା ପରେ ବି ୧୧ ଦିନ ଧରି ସେ ସମାନ ଉତ୍ତର ଆସୁଥିଲା ସ୍ବାସ୍ଥ୍ୟକେନ୍ଦ୍ରରୁ। ତେଣୁ ଆଶ୍ବସ୍ତ ଥିଲେ ପରିବାର। ଏବେ ମୃତ୍ୟୁ ଖବର ପଦାକୁ ଆସିବା ପରେ ଫୋନ୍ ଲାଗି ନଥିଲା ବୋଲି ସଫେଇ ଦେଇଛନ୍ତି ଡାକ୍ତରଖାନା କର୍ତ୍ତୃପକ୍ଷ। ମୃତା ମହିଳା ଜଣକ ହେଲେ ବଡ଼ଗାଁ ଥାନା ରାଏଡିହି କିସାନପଡ଼ାର ଚନ୍ଦ୍ରା କିସାନ (୪୭)। ଥଣ୍ଡା କାଶରେ ସେ ଅସୁସ୍ଥ ହେବାରୁ ତାଙ୍କୁ ଗତ ଅପ୍ରେଲ ୧୪ରେ ଆମ୍ବୁଲାନ୍ସ ଯୋଗେ ସୁନ୍ଦରଗଡ଼ ଜିଲ୍ଲା ମୁଖ୍ୟଚିକିତ୍ସାଳୟକୁ ନେଇଥିଲେ ପରିବାର। ୧୫ ତାରିଖରେ ତାଙ୍କ କଫ ଓ ରକ୍ତ ପରୀକ୍ଷା କରି ଯକ୍ଷ୍ମା ହୋଇଛି କହି ଯକ୍ଷ୍ମା ୱାର୍ଡରେ ଭର୍ତ୍ତି କରାଯାଇଥିଲା। ୧୭ ତାରିଖରେ କରୋନା ସଂକ୍ରମିତ ହୋଇଛି କହି ତାଙ୍କୁ ଏନଟିପିସି କୋଭିଡ୍ ସ୍ବାସ୍ଥ୍ୟ କେନ୍ଦ୍ରକୁ ସ୍ଥାନାନ୍ତର କରାଯାଇଥିଲା। ରୋଗୀ ପାଖରେ ପରିଜନଙ୍କ ପ୍ରବେଶ ବାରଣ ଥିବାରୁ ସଙ୍ଗରେ ଯାଇଥିବା୍ ଝିଅ ଓ ସଂକ୍ରମିତ ମହିଳାଙ୍କ ଦିଅର ଗାଁକୁ ଫେରି ଆସିଥିଲେ। ରୋଗୀର ଭଲ ମନ୍ଦ ବୁଝିବାକୁ ସ୍ବାସ୍ଥ୍ୟକେନ୍ଦ୍ର ପରିଚାଳକଙ୍କ ମୋବାଇଲ ନମ୍ବର ନେଇ ଆସିଥିଲେ। ପ୍ରତିଦିନ ଫୋନ୍ କଲା ବେଳେ ଉତ୍ତର ମିଳୁଥିଲା ରୋଗୀ ଭଲ ଅଛନ୍ତି। ୨୯ ତାରିଖ ଗୁରୁତାର ଝିଅ ଫୋନ୍ କରି ମା’ କଥା ପଚାରିବାରୁ ଶୁକ୍ରବାର ଆସି ମା’ଙ୍କୁ ନେଇ ଯିବାକୁ କୁଆଡ଼େ ଡାକ୍ତରଖାନା ପରିଚାଳକ କହିଥିଲେ।

ଏହା ପରେ କାକା ସହ ଏନଟିପିସି କୋଭିଡ୍ ସ୍ବାସ୍ଥ୍ୟକେନ୍ଦ୍ରକୁ ଯାଇଥିଲେ ଝିଅ। ସେଠାରେ ପହଞ୍ଚିବା ପରେ ଜାଣିବାକୁ ପାଇଲେ ୧୯ ତାରିଖରୁ ମା’ଙ୍କ ମୃତ୍ୟୁ ହୋଇଯାଇଛି ଓ ତାଙ୍କ ଦାହ ସଂସ୍କାର କରି ଦିଆଯାଇଛି। ଡାକ୍ତରଖାନା କର୍ତ୍ତୃପକ୍ଷଙ୍କ ଏ ଅମାନବୀୟ କାର୍ଯ୍ୟ ପାଇଁ ମା’ ଛେଉଣ୍ଡ ଝିଅ ସିଧାସଳଖ ଜିଲ୍ଲାପାଳଙ୍କୁ ଦାୟୀ କରିଛନ୍ତି। ସୂଚନାଯୋଗ୍ୟ, ଏହା ପୂର୍ବରୁ ସୁନ୍ଦରଗଡ଼ ସହରସ୍ଥିତ ଅରଣ୍ୟନଗରର ଜଣେ କରୋନାରେ ମୃତକଙ୍କୁ ଡାକ୍ତରଖାନା କର୍ତ୍ତୃପକ୍ଷ ପୋଡ଼ି ଦେବାର ୪ ଦିନ ପରେ ପରିବାର ଲୋକେ ଖବର ପାଇଥିଲେ। ଏନଟିପିସି କୋଭିଡ୍ କେନ୍ଦ୍ର କର୍ତ୍ତୃପକ୍ଷଙ୍କ ଉଦାସୀନତା ଓ ଅବହେଳାର ଏହି କରୁଣପ୍ରଦ ଘଟଣା ସବୁ ରାଜ୍ୟ ବ୍ୟାପି ଆଲୋଡ଼ନ ସୃଷ୍ଟି କରିଛି।

ସମ୍ବନ୍ଧିତ ଖବର