ମାଲକାନଗିରି: ମାଲକାନଗିରି ସୀମାନ୍ତ ଛତିଶଗଡ଼ର ସୁକମା ଜିଲ୍ଲା ପୁଲିସ ଗଦିରାସ ଥାନା ଅଞ୍ଚଳରେ ଚଢ଼ଉ କରି ଦୁର୍ଦାନ୍ତ ମହିଳା ନକ୍ସଲ ମାଡ଼ବୀ ଦେବାଙ୍କୁ ଗିରଫ କରିଛି। ୨୦୧୩ ମସିହାରେ ଝିରମ ଘାଟିରେ କଂଗ୍ରେସ ନେତାଙ୍କୁ ହତ୍ୟା, ୨୦୧୪ରେ ସୁକମା-ଜଗଦଲପୁର ରାସ୍ତାର ଟେକଵାଡ଼ାରେ ପୁଲିସ ଉପରେ ଆକ୍ରମଣ ଏବଂ ୨୦୧୯ରେ ଶ୍ୟାମଗିରିରେ ବିଜେପି ବିଧାୟକଙ୍କୁ ହତ୍ୟା, ସୁକମା, ଦନ୍ତେଵାଡ଼ା, ଓଡ଼ିଶାରେ ବହୁ ହିଂସାରେ ମାଡ଼ବୀ ଜଡ଼ିତ ଥିବା ପୁଲିସ କହିଛି। ସେହିପରି ୨୦୧୧-୧୨ରେ ଦରଭା ଡିଭିଜନରେ ଥିବା ସମୟରେ ଆମ୍ବୁସ ଲଗାଇ ପୁଲିସ ଉପରେ ଆକ୍ରମଣ କରିଥିଲା। ଫଳରେ ୪ ଯବାନ ସହିଦ ହୋଇଥିଲେ। ତେଣୁ ଛତିଶଗଡ଼ ସରକାର ମାଡ଼ବୀ ନାଁରେ ୫ଲକ୍ଷ ଟଙ୍କାର ପୁରସ୍କାର ରାଶି ଘୋଷଣା କରିଥିଲେ। ଗିରଫ ପରେ ଗୋଟିଏ ଟିଫିନ୍ ବୋମା, ୧୦ମିଟର ବିଦ୍ୟୁତ୍ ତାର, ୨ମିଟର କୋଡେକ୍ସ ତାର, ଟର୍ଚ୍ଚ ବ୍ୟାଟେରି ସହ ଅନ୍ୟ ସାମଗ୍ରୀ ଜବତ କରିଥିବା ପୁଲିସ ସୂଚନା ଦେଇଛି। ଗଦିରାସ ଥାନା ଅନ୍ତର୍ଗତ କେଲାପାଲ ଏବଂ ମଲେଙ୍ଗର ଏରିଆ କମିଟି କ୍ୟାମ୍ପ କରି ରହିଥିବା ଖବର ପାଇ ସୁକମା ପୁଲିସ ଏହି ଚଢ଼ଉ କରିଥିଲା।
ସେହିପରି ବିଜାପୁର ପୁଲିସ ବାସାଗୁଡ଼ା ଥାନା ଅଞ୍ଚଳରେ ଚଢ଼ଉ କରି ମଲ୍ଲେପଲ୍ଲୀ ବଣ୍ଡାଗୁଡ଼ା ନିକଟରୁ ଡିକେଏମ୍ଏସ୍ ଅଧ୍ୟକ୍ଷ ଉଇକା ଲକୁ, ମିଡିୟମ୍ ଲଚୁ, ସତୀଶ ମିଡିୟମ୍ ଓରଫ ମହେଶ ଓ ମିଡିୟମ୍ କମଲା ଓରଫ ସୋମେ। ସମସ୍ତେ ୨୦୦୯ ମସିହାରୁ ସଂଗଠନରେ ଜଡ଼ିତ ହୋଇ ବିଭିନ୍ନ ହିଂସାରେ ଜଡ଼ିତ ଥିଲେ। ଉଇକା ଲଚୁ ନାଁରେ ସରକାର ୧ଲକ୍ଷ ଟଙ୍କା ପୁରସ୍କାର ଘୋଷଣା କରିଥିଲେ। ଏମାନଙ୍କଠାରୁ ବିସ୍ଫୋରକ, ଧନୁତୀର ଇତ୍ୟାଦି ଜବତ କରାଯାଇଛି। ଅନ୍ୟ ଏକ ଘଟଣାରେ ମାଲକାନଗିରି ଜିଲ୍ଲା ସୀମାନ୍ତ ଛତିଶଗଡ଼ ଜଙ୍ଗଲରେ ଲ୍ୟାଣ୍ଡମାଇନ୍ ବିସ୍ଫୋରଣରେ ସୁକମା ଜିଲ୍ଲା କିଷ୍ଟରାମ ଥାନା ଅଞ୍ଚଳର ମହିଳା କାବାସି ସୁକିଙ୍କ ମୃତ୍ୟୁ ହୋଇଛି। ଡାଆମାର୍କା ଜଙ୍ଗଲକୁ କାବାସି ନିଜ ଗାଈ ଚରାଇବା ପାଇଁ ନେଇଥିଲେ। ପୂର୍ବରୁ ନକ୍ସଲ ଖଞ୍ଜିଥିବା ଗୋଟିଏ ଲ୍ୟାଣ୍ଡ ମାଇନ୍ ଉପରେ ସୁକିଙ୍କ ପାଦ ପଡ଼ିଯିବାରୁ ବିସ୍ଫୋରଣ ହୋଇଥିଲା। ପ୍ରଚଣ୍ଡ ଶବ୍ଦ ଶୁଣି ଗ୍ରାମବାସୀ ଘଟଣାସ୍ଥଳରେ ପହଞ୍ଚିବା ବେଳକୁ ତାଙ୍କର ମୃତ୍ୟୁ ହୋଇଯାଇଥିଲା। ଖବର ପାଇ ପୁଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ କରିଛି।
ଛତିଶଗଡ଼ର ଦନ୍ତେଵାଡ଼ା ଜିଲ୍ଲାରେ ପୁଲିସ ଓ ନକ୍ସଲଙ୍କ ମଧ୍ୟରେ ଗୁଳି ବିନିମୟରେ ପ୍ଲାଟୁନ ନମ୍ବର-୧୬ର ଜଣେ ସଦସ୍ୟ ନିହତ ହୋଇଥିବା ପୁଲିସ ଅନୁମାନ କରୁଛି। ଗିଦମ ଥାନା ଅଞ୍ଚଳର ଇକେଲି ଓ ନେଲଗଡ଼ା ଗ୍ରାମ୍ୟ ଜଙ୍ଗଲରେ ନକ୍ସଲ କ୍ୟାମ୍ପ କରିଥିବା ସୂଚନା ମିଳିବା ପରେ ପୁଲିସ ଏବଂ ଡିଆର୍ଜି ଯବାନ ସର୍ଚ୍ଚ ଅପରେସନରେ ବାହାରିଥିଲେ। ସୁରକ୍ଷାବଳ ଇନ୍ଦ୍ରାବତୀ ନଦୀ ପାର ହୋଇ ଜଙ୍ଗଲରେ ପଶିଥିବା ବେଳେ ନକ୍ସଲଙ୍କ ସହ ଗୁଳି ବିନିମୟ ହୋଇଥିଲା। ଯବାନଙ୍କ ଗୁଳିର ସାମ୍ନା କରିନପାରି ନକ୍ସଲ ଛତ୍ରଭଙ୍ଗ ଦେଇଥିଲେ। ଘଟଣାସ୍ଥଳରୁ ପୁଲିସ ଗୋଟିଏ ମୃତଦେହ ଜବତ କରିଛି।