ଯାଜପୁର: ବଡ଼ଚଣା ବିଜେଡି ଏବେ ଭାଗଭାଗ। ଗତ ନିର୍ବାଚନରେ ବର୍ଷାଙ୍କ ପ୍ରବେଶ ପରେ ଦଳ ପୁରୁଖାନେତାଙ୍କ ହାତମୁଠାରୁ ଦଳୀୟ ସଂଗଠନ ଦୂରେଇ ଯାଇଥିଲା। ନିର୍ବାଚନରେ ବିଜୟୀ ହେବା ପରେ ଶାସକ ବିଜେପି ଏବେ ତା’ର ସଂଗଠନକୁ ମଜଭୁତ କରୁଥିବା ବେଳେ ବିଜେଡି କିନ୍ତୁ ଦିନକୁ ଦିନ ଦୁର୍ବଳ ହେଉଛି। ବିଜେଡିର ପରାଜୟ ସମୀକ୍ଷା ହେଉନଥିବା ବେଳେ କର୍ମୀମାନେ ନିରାଶ ହୋଇପଡ଼ିଛନ୍ତି। ସେମାନେ କାହାକୁ ଭରସା କରି ଆଗକୁ ବଢ଼ିବେ ସେ ନେଇ ଦ୍ବନ୍ଦ୍ବରେ ଅଛନ୍ତି। ଗୋଟିଏ ପଟେ ୬ଥରର ବିଧାୟକ ଅମର ପ୍ରସାଦ ଶତପଥୀ ଥିବାବେଳେ ଅନ୍ୟପଟେ ପରାଜିତ ପ୍ରାର୍ଥୀ ବର୍ଷା ପ୍ରିୟଦର୍ଶିନୀ ରହିଛନ୍ତି। କଟକ ବାସିନ୍ଦା ବ‌ର୍ଷା କର୍ମୀଙ୍କ ଭଲମନ୍ଦରେ ରହିବେ କି ନାହିଁ ତା’କୁ ନେଇ ସନ୍ଦେହ ସୃଷ୍ଟି ହେଲାଣି। ଦଳୀୟ ନେତୃତ୍ବ ଏନେଇ କୌଣସି ସ୍ପଷ୍ଟ ମତ ରଖୁନାହାନ୍ତି। ବର୍ଷା ସଂଗଠନର ମଙ୍ଗ ସମ୍ଭାଳିବେ ନା ଅମର ଶତପଥୀ ପୁଣି ଥରେ ସକ୍ରିୟ ହେବେ ତା’କୁ ନେଇ କର୍ମୀ ମହଲରେ ଚର୍ଚ୍ଚା ଜୋର ଧରିଛି। ଦଳୀୟ ନେତୃତ୍ବ ଏହି ଦୁଇନେତାଙ୍କ ମଧ୍ୟରୁ କାହାକୁ ଅଧିକ ଭରସା କରିବେ ଆଲୋଚନା ଆରମ୍ଭ ହୋଇଛି।

Advertisment

ପ୍ରକାଶ ଥାଉକି, ନିକଟରେ ଶେଷ ହୋଇଥିବା ସାଧାରଣ ନିର୍ବାଚନରେ ପୂର୍ବତନ ବିଧାୟକ ଅମର ପ୍ରସାଦ ଶତପଥୀ ପ୍ରଚାର ମୈଦାନକୁ ଓହ୍ଲାଇନଥିବା ବେଳେ ବିଜେଡି ପ୍ରାର୍ଥୀ ବର୍ଷାଙ୍କର ଦୁଇ ପୂର୍ବତନ କଂଗ୍ରେସ ନେତା ଜନ୍ମେଜୟ ଲେଙ୍କା ଓ କ୍ୟାପଟେନ୍ ରାଜନାରାୟଣ ମହାପାତ୍ର ପ୍ରଚାର ମଙ୍ଗ ଧରିଥିଲେ। ଗତ ୨୦୧୯ ନିର୍ବାଚନ ପୂର୍ବରୁ କଂଗ୍ରେସ ଛାଡ଼ି ବିଜେଡିରେ ସାମିଲ ହୋଇଥିବା ଜନ୍ମେଜୟ ଲେଙ୍କା ନିର୍ବାଚନ ପରିଚାଳନାରେ ମୁଖ୍ୟ ଭୂମିକା ଗ୍ରହଣ କରିଥିଲେ। ସେହିପରି ବିଜେଡି ‌ଟିକଟ୍ ଆଶାରେ କଂଗ୍ରେସ ଛାଡ଼ି ଏଥର ନିର୍ବାଚନ ପୂର୍ବରୁ ଦଳରେ ସାମିଲ ହୋଇଥିବା ରାଜନାରାୟଣ ମହାପାତ୍ର ମଧ୍ୟ ବାଧ୍ୟହୋଇ ବର୍ଷାଙ୍କ ପ୍ରଚାର କରିଥିଲେ। ସେହିପରି ପୂର୍ବତନ ବିଧାୟକ ଶ୍ରୀ ଶତପଥୀଙ୍କୁ ବିରୋଧ କରୁଥିବା ଓ ଅସନ୍ତୁଷ୍ଟ ଥିବା ଜିଲ୍ଲା ପରିଷଦ ଉପସଭାପତି ଗଣେଶ୍ବର ବରାଳ, ବିଜେଡି ଜିଲ୍ଲା ଉପସଭାପତି ଅମର ମହାନ୍ତି, ନିର୍ବାଚନମଣ୍ଡଳୀ ସଭାପତି ତଥା ଜିଲ୍ଲା ପରିଷଦ ସଭ୍ୟ ଅରବିନ୍ଦ ସାମିଲ ଓ ପଞ୍ଚାୟତ ସମିତି ଅଧ୍ୟକ୍ଷା ମିନତି ସେନାପତି ଏବଂ ତାଙ୍କ ସ୍ବାମୀ ନିର ସେନାପତି ପ୍ରମୁଖ ଦଳୀୟ ପ୍ରାର୍ଥୀ ବର୍ଷାଙ୍କ ପ୍ରଚାରରେ ଆଗରେ ଥିଲେ। ଏତେସବୁ ପରେ ମଧ୍ୟ ବିଜେଡି ଏଠାରେ ପରାସ୍ତ ହେଲା। ଗତ ୨ଟି ନିର୍ବାଚନରେ ସଂଘର୍ଷ କରୁଥିବା ବିଜେପି ଯୁବନେତା ଅମର ନାୟକ ଏଥର ବିଜୟୀ ହେଲେ।

ବଡ଼ଚଣା ବ୍ଲକ୍‌କୁ ନେଇ ଗଠିତ ବଡ଼ଚଣା ନିର୍ବାଚନମଣ୍ଡଳୀରେ ବିଧାୟକ ଶ୍ରୀ ନାୟକ ଶାଣିତ ରାଜନୀତି ଆରମ୍ଭ କରିଛନ୍ତି। ବିଶେଷ କରି କିଛି ବିଜେଡି ନେତା ତଥା ଠିକାଦାରଙ୍କ ଦ୍ବାରା ଦୁର୍ନୀତିର ଗନ୍ତାଘର ହୋଇଥିବା ବ୍ଲକ୍, ପୂର୍ତ୍ତ, ଗ୍ରାମ୍ୟ ଉନ୍ନୟନ, ଜଳସେଚନ ବିଭାଗଗୁଡ଼ିକର ସମୀକ୍ଷା କରୁଛନ୍ତି। ନିର୍ବାଚନ ପରେ ବିଜେଡି ପ୍ରାୟ ୩, ୪ଭାଗରେ ବିଭକ୍ତ ହୋଇଛି। ନିର୍ବାଚନ ପରେ ପ୍ରାକ୍ତନ ବିଧାୟକ ଶ୍ରୀ ଶତପଥୀ ଅଧିକ ସକ୍ରିୟ ହୋଇଛନ୍ତି। ଦଳରେ ଅମର ଶତପଥୀଙ୍କ ଗୁରୁତ୍ବ ବଢ଼ୁଥିବାରୁ କିଛି ଅସନ୍ତୁଷ୍ଟ ପୁଣି ଥରେ ତାଙ୍କ ଶରଣାପନ୍ନ ହେବାକୁ ଉଦ୍ୟମ କରୁଛନ୍ତି।