ମହାପ୍ରଭୁଙ୍କୁ ଛୁଇଁଦେଲେ ପାଣିଆ ଆପଟ : ଶ୍ରୀମନ୍ଦିରରେ ବଡ଼ ମହାସ୍ନାନ

ପଞ୍ଚୁକର ପ୍ରଥମ ଦିନରେ ବିଭ୍ରାଟ, ୫ଟାରେ ବାହାରିଲା ମହାପ୍ରସାଦ, ସମୟ ପୂର୍ବରୁ ବେଶ ଓଲାଗି

ପୁରୀ : ବୁଧବାର ଠାରୁ ଶ୍ରୀମନ୍ଦିରରେ ପଞ୍ଚୁକ ନୀତି ଆରମ୍ଭ ହୋଇଛି। ପଞ୍ଚୁକ ୫ ଦିନ ବିଭିନ୍ନ ବେଶରେ ଦର୍ଶନ ଦେବେ ମହାପ୍ରଭୁ। ତେବେ ପଞ୍ଚୁକ ଆରମ୍ଭରୁ ଶ୍ରୀମନ୍ଦିରରେ ବିଭ୍ରାଟ ଦେଖାଦେଇଛି। ଜନୈକ ପାଣିଆ ଆପଟ ଆଜି ମହାପ୍ରଭୁଙ୍କୁ ଛୁଇଁଦେବାରୁ ଶ୍ରୀମନ୍ଦିରରେ ବଡ଼ ମହାସ୍ନାନ କରାଯାଇଛି। ଏଥିପାଇଁ ମହାପ୍ରସାଦ ବାହାରିବାରେ ଅହେତୁକ ବିଳମ୍ବ ହୋଇଛି। ପ୍ରତିଦିନ ଅପରାହ୍ଣ ପ୍ରାୟ ୨ଟା ସୁଦ୍ଧା ମହାପ୍ରସାଦ ଶ୍ରୀମନ୍ଦିରରୁ ବାହାରିଥାଏ। ଆଜି ୩ ଘଣ୍ଟା ବିଳମ୍ବ ଅର୍ଥାତ୍‌ ଅପରାହ୍ଣ ୫ଟ‌ାରେ ମହାପ୍ରସାଦ ମନ୍ଦିରରୁ ବାହାରିଛି। ଆଜି ପବିତ୍ର ଏକାଦଶୀରେ ମହାପ୍ରସାଦ ପାଇଁ ଭକ୍ତମାନେ କଲବଲ ହୋଇଛନ୍ତି। ସେପଟେ ମହାସ୍ନାନ ପାଇଁ ମହାପ୍ରଭୁଙ୍କ ଠିଆକିଆ ବେଶ୍‌କୁ ଆଜି ସମୟ ପୂର୍ବରୁ ଓଲାଗି କରି ଦିଆଯାଇଛି।

ମିଳିଥିବା ସୂଚନା ମୁତାବକ, ବୁଧବାର ମହାପ୍ରଭୁଙ୍କ ଠିଆକିଆ ବା ଲକ୍ଷ୍ମୀ ନାରାୟଣ ବେଶ ଥିଲା। ପଞ୍ଚୁକ ୫ ଦିନର ବେଶ ଭିତରେ ଏହି ବେଶ୍‌ ଅନ୍ୟତମ। ନିର୍ଘଣ୍ଟ ସମୟ ଅନୁଯାୟୀ, ମହାପ୍ରଭୁ ବେଶ ବି ହୋଇ ସାରିଥିଲେ। ଅପରାହ୍ଣରେ ରୋଷଘରୁ ଅବଢ଼ା ଭୋଗମଣ୍ଡପକୁ ନିଆଯାଇଥିଲା। ମହାପ୍ରଭୁଙ୍କୁ ଲାଗି ହେବା ପରେ ମହାପ୍ରସାଦ ବାହାରିଥା’ନ୍ତା। ସେହି ଅନୁଯାୟୀ ଭକ୍ତମାନେ ଆଗୁଆ ଶ୍ରୀମନ୍ଦିରରେ ଅପେକ୍ଷା କରି ରହିଥିଲେ। ଭୋଗମଣ୍ଡପକୁ ଅବଢ଼ା ବୁହା ସରିଥିବାବେଳେ ଶ୍ରୀମନ୍ଦିର ଗର୍ଭଗୃହରେ ପାଣିଆ ଆପଟ ସେବକମାନେ ପାଣି ପକାଇ ଶୋଧ କରିବା ପରେ ଭୋଗ ଲାଗି ହୋଇଥାନ୍ତା।

କିନ୍ତୁ ପାଣି ପକାଇବା ସମୟରେ ପାଣିଆ ଆପଟ ସେବକଙ୍କ ଭିତରୁ ଜନୈକ ଯୁବ ସେବକ ହଠାତ୍‌ ରତ୍ନ ସିଂହାସନ ପାଖରେ ଥିବା ତୁଳସୀ ଉଠାଇ ଆଣିଥିଲେ। ଏହି ତୁଳସୀ ସେ ସମୟରେ ମହାପ୍ରଭୁଙ୍କ ସହ ଲାଗି ହୋଇଥିଲା। ଶ୍ରୀମନ୍ଦିର ଭିତରେ ପାଣିଆ ଆପଟ ମହାପ୍ରଭୁଙ୍କୁ ଛୁଇଁବାର ପରମ୍ପରା ନଥିବାବେଳେ ସଂପୃକ୍ତ ସେବକ ଛୁଇଁ ଦେବାରୁ ମହାପ୍ରଭୁଙ୍କୁ ଲାଗି ସମସ୍ତ ପୂଜା ଜିନିଷ ମାରା ହୋଇଯାଇଥିଲା। ପୂଜାପଣ୍ଡା ସେବକଙ୍କ ପରାମର୍ଶ କ୍ରମେ ମହାପ୍ରଭୁଙ୍କ ମହାସ୍ନାନ କରାଯାଇ ପୁନର୍ବାର ପୂଜା ବଢ଼ିଥିଲା। ସଂପୃକ୍ତ ସେବକ ମହାପ୍ରଭୁଙ୍କୁ ଛୁଇଁବା ସମୟରେ ପ୍ରଭୁ ଠିଆକିଆ ତଥା ଲକ୍ଷ୍ମୀ ନାରାୟଣ ବେଶ ହୋଇଥିଲେ। ସେତେବେଳକୁ ବେଶ ଲାଗି ହେବା ପ୍ରାୟ ଦୁଇଘଣ୍ଟା ହୋଇ ସାରିଥିଲା। ଏହି ବେଶ ଆହୁରି କିଛି ଘଣ୍ଟା ମହାପ୍ରଭୁଙ୍କୁ ଲାଗି ହୋଇ ରହିଥାନ୍ତା। କିନ୍ତୁ ମହାସ୍ନାନ କାରଣରୁ ‌ଏହି ବେଶକୁ ପୁନର୍ବାର କରିବାକୁ ସଂପୃକ୍ତ ସେବକମାନେ ସହମତି ପ୍ରକାଶ କରି ନ ଥିଲେ। ପୁନର୍ବାର ବେଶ ଲାଗି ଓ ଓଲାଗି କରିବା ସମୟସାପେକ୍ଷ ଥିବା ଦର୍ଶାଇ ବେଶ କରୁଥିବା ସେବକମାନେ ଅମଙ୍ଗ ପ୍ରକାଶ କରିଥିଲେ। ଏହାଦ୍ବାରା ନୀତି ବିଳମ୍ବ ହେବ ବୋଲି ଯୁକ୍ତି ବାଢ଼ିଥିଲେ। ଆଲୋଚନା ପରେ ଶେଷରେ ମହାସ୍ନାନ ସମୟରେ ଓଲାଗି ହୋଇଥିବା ଠିଆକିଆ ବେଶ ଆଉ ମହାପ୍ରଭୁଙ୍କୁ ଲାଗି ହୋଇନଥିଲା।

ସେପଟେ ମହାସ୍ନାନ ଯୋଗୁଁ ଆଜି ନୀତି ବିଳମ୍ବ ହେବା ସହ ମହାପ୍ରସାଦ ବି ବାହାରିବା ବିଳମ୍ବ ହୋଇଥିଲା। ଯେଉଁଥିପାଇଁ ଭକ୍ତମାନେ ଘଣ୍ଟା ଘଣ୍ଟା ଅପେକ୍ଷା କରିଥିଲେ। ଏକା‌ଦଶୀ ଥିବାରୁ ଭକ୍ତମାନେ ମହାପ୍ରସାଦ ପାଇଁ ଚାହିଁ ବସିଥିବାବେଳେ ଆଜିର ଅଘଟଣ ଏମାନଙ୍କୁ ନିରାଶ କରିଛି। ଅନେକ ଭକ୍ତ ବିନା ମହାପ୍ରସାଦରେ ‌ଘରକୁ ଫେରିଛନ୍ତି। ଅନ୍ୟମାନେ ଅପରାହ୍ଣ ୫ଟାରେ ମହାପ୍ରସାଦ ନେଇ ଫେରିଛନ୍ତି।

ସମ୍ବନ୍ଧିତ ଖବର