ବଡ଼ଠାକୁରଙ୍କ ଗଜବେଶକୁ ନେଇ ଚର୍ଚ୍ଚା: ହଳଦିଆ ବଦଳରେ ଲାଗିହେଲା ଧଳା ଗଜବେଶ

ବେଶ ଭିତରେ ଲୁଚିଗଲା ଶ୍ରୀମୁଖ

ପୁରୀ: ଦେବସ୍ନାନ ପୂର୍ଣ୍ଣିମାରେ ଶ୍ରୀଜିଉଙ୍କ ଗଜବେଶକୁ ନେଇ ଆଜି ଚର୍ଚ୍ଚା ଜୋର ଧରିଛି। ପ୍ରତିବର୍ଷ ସ୍ନାନବେଦିରେ ଯେଉଁଠି ଭିନ୍ନ ଭିନ୍ନ ଦୁଇ ରଙ୍ଗର ଗଜବେଶ ଶ୍ରୀଜିଉଙ୍କୁ ଲାଗି ହେଉଥିଲା, ସେଠି ଚଳିତବର୍ଷ ଗୋଟିଏ ରଙ୍ଗର ଗଜମୁଖ ଲାଗି ହୋଇଛି। ଯାହା ପରମ୍ପରାକୁ ଭଙ୍ଗ କଲା ବୋଲି ଦଇତାପତି ସେବକମାନେ ଅଭିଯୋଗ କରିଛନ୍ତି। ସେପଟେ ଆଜି ବଡ଼ଠାକୁରଙ୍କ ଶ୍ରୀମୁଖ ଗଜବେଶ ଭିତରେ ଲୁଚିଯାଉଥିବା ଦେଖିବାକୁ ମିଳିଛି। ଫଳରେ, ଗଜବେଶ ଲାଗି ପରେ ଭକ୍ତ ବଡ଼ଠାକୁରଙ୍କ ଗଜବେଶ ଦର୍ଶନରୁ ଏକପ୍ରକାର ବଞ୍ଚିତ ହୋଇଛନ୍ତି।

ପ୍ରତିବର୍ଷ ବଡ଼ଠାକୁରଙ୍କୁ ହଳଦିଆ ରଙ୍ଗ ଗଜବେଶ ଲାଗି ହୁଏ। ଶ୍ରୀଜଗନ୍ନାଥଙ୍କୁ ଧଳା ରଙ୍ଗର ଗ‌ଜବେଶ ଲାଗି ହୁଏ। ବଡ଼ଠାକୁରଙ୍କୁ ଲାଗି ଗଜବେଶ ଧଳା ଉପରେ ହଳଦିଆ ରଙ୍ଗର ଲେସ୍‌ ଓ କପଡ଼ା ଦେଇ ପ୍ରସ୍ତୁତ କରାଯାଇଥାଏ। ସେହିଭଳି ଶ୍ରୀଜଗନ୍ନାଥଙ୍କ ଗଜବେଶ କଳା ଉପର ଧଳା ରଙ୍ଗର ଲେସ ଓ କପଡ଼ା ଲାଗିଥାଏ। ଚଳିତବର୍ଷ ଶ୍ରୀଜଗନ୍ନାଥଙ୍କ ଗଜବେଶ ଠିକ୍‌ ହୋଇଛି ସତ, କିନ୍ତୁ ବଡ଼ଠାକୁର ଶ୍ରୀବଳଭଦ୍ରଙ୍କ ବେଶରେ ତ୍ରୁଟି ପରିଲକ୍ଷିତ ହୋଇଛି। ହଳଦିଆ ବଦଳରେ ଧଳା ରଙ୍ଗର ଗଜମୁଖ ବଡ଼ଠାକୁର ଶ୍ରୀବଳଭଦ୍ରଙ୍କୁ ଲାଗି ହୋଇଛି। ଯେଉଁଥିରେ କାଁ ଭାଁ ସ୍ଥାନରେ ହଳଦିଆ ଧଡ଼ି ଓ ଶାଗୁଆ କପଡ଼ା ଲାଗିଛି। ଯାହା ଶ୍ରୀମୁଖକୁ ଅସୁନ୍ଦର ଦିଶୁଛି ବୋଲି ଦଇତାପତି ସେବକମାନେ ଅଭି‌ଯୋଗ କରିଛନ୍ତି। ପୂର୍ବରୁ ଯେଉଁ ବେଶ ଲାଗି ହେଉଥିଲା, ସୁନ୍ଦର ଥିଲା ବୋଲି ଦଇତାପତିମାନେ କହିଛନ୍ତି। ଶ୍ରୀମନ୍ଦିର କମାଣ୍ଡର୍‌ଙ୍କ ଆଦେଶମତେ ଗଜମୁଖ ପ୍ରସ୍ତୁତ ହୋଇଛି ବୋଲି ବେଶ କାରିଗରମାନେ କହିଛନ୍ତି। ସୂଚନାଯୋଗ୍ୟ, ରାଘବ ଦାସ ମଠ ଶ୍ରୀଜଗନ୍ନାଥ ଓ ଦେବୀ ସୁଭଦ୍ରାଙ୍କ ବେଶ ପ୍ରସ୍ତୁତିର ଖର୍ଚ୍ଚ ବହନ କରୁଛି। ବଡ଼ଠାକୁର ଶ୍ରୀବଳଭଦ୍ର ଓ ପ୍ରଭୁ ସୁଦର୍ଶନଙ୍କ ବେଶ ପ୍ରସ୍ତୁତିର ଖର୍ଚ୍ଚ ଶ୍ରୀମନ୍ଦିର ପ୍ରଶାସନ ବହନ କରୁଛି।

ସମ୍ବନ୍ଧିତ ଖବର