କେନ୍ଦୁଝର: କେନ୍ଦୁଝରର ଆରାଧ୍ୟ ଦେବତା ଶ୍ରୀବଳଦେବଜିଉଙ୍କ ବାହୁଡ଼ା ଯାତ୍ରା ସମ୍ପନ୍ନ ହୋଇଛି। ଆଜି ଭୋର ୪ଟାରୁ ଶ୍ରୀଜିଉମାନଙ୍କ ଅବକାଶ, ୫ଟାରେ ଲୁଗାଲାଗି, ୯ଟାରେ ଧୂପ, ୧୦ଟାରେ ପୁଷ୍ପାଞ୍ଜଳି ଦିଆଯାଇଥିଲା। ଏହାପରେ ଚକାଭିଡ଼ା ଯାଇଥିଲା। ଅପରାହ୍‌ଣ ୧.୫୦ରେ ଶ୍ରୀଜିଉମାନଙ୍କୁ ପହଣ୍ଡି ଆରମ୍ଭ ହୋଇଥିଲା। ଶ୍ରୀଜିଉମାନଙ୍କୁ ରଥାରୂଢ଼ କରାଯିବା ପରେ କେନ୍ଦୁଝର ରାଜା ଧନଞ୍ଜୟ ନାରାୟଣ ଭଞ୍ଜଦେଓ ଛେରାପହଁରା କରିଥିଲେ। ଅପରାହ୍‌ଣ ୪.୨୫ରେ ରଥଟଣା ଆରମ୍ଭ ହୋଇଥିଲା। ଗଳଗଣ୍ଡି ନିକଟରେ ପାରମ୍ପରିକ ଭୋଗଲାଗି ପାଇଁ ରଥ ଅଟକି ରହିଥିଲା। ସେହିପରି ବଡ଼ଦାଣ୍ଡର ମଧ୍ୟସ୍ଥଳରେ ଶ୍ରୀଜିଉମାନଙ୍କୁ ପୋଡ଼ପିଠା ଲାଗି କରାଯିବା ପରେ ପୁଣି ରଥଟଣା ଆରମ୍ଭ ହୋଇ ଶ୍ରୀମନ୍ଦିର ନିକଟକୁ ଯାଇଥିଲା। ଅପରାହ୍‌ଣ ୫ଟା ୪୫ରେ ମନ୍ଦିର ନିକଟରେ ରଥ ପହଞ୍ଚିଥିଲା। ଯାତ୍ରାରେ ୫୦ ହଜାରରୁ ଅଧିକ ଶ୍ରଦ୍ଧାଳୁଙ୍କ ସମାଗମ ହୋଇଥିଲା। ଜିଲ୍ଲାପାଳ ବିଶାଲ ସିଂ, ଏସ୍‌ପି ନୀତିନ କୁଶଲକର, ଅତିରିକ୍ତ ଜିଲ୍ଲାପାଳ ଯଦୁମଣି ମହଲା, ଉପଜିଲ୍ଲାପାଳ ସୌମ୍ୟସାର୍ଥକ ମିଶ୍ର ପ୍ରମୁଖ ଉପସ୍ଥିତ ରହି ସମସ୍ତ କାର୍ଯ୍ୟକ୍ରମର ତଦାରଖ କରିଥିଲେ। ରଥ ପହଞ୍ଚିବା ପରେ ମା’ ଲକ୍ଷ୍ମୀ ରଥ ପରିକ୍ରମା କରି ଆଳତି କରିଥିଲେ। ବୁଧବାର ସୁନାବେଶ ଅନୁଷ୍ଠିତ ହେବ। ଶୃଙ୍ଖଳିତ ଦର୍ଶନ ପାଇଁ ବ୍ୟାରିକେଡ୍‌ ନିର୍ମାଣ କରାଯାଇଛି। ଅପରାହ୍‌ଣ ୩ଟାରୁ ରାତି ୧୦ଟା ପର୍ଯ୍ୟନ୍ତ ଶ୍ରୀଜିଉମାନେ ସୁନାବେଶରେ ଶ୍ରଦ୍ଧାଳୁଙ୍କୁ ଦର୍ଶନ ଦେବେ।