ବଡ଼ବିଲ ହାଜତ ମୃତ୍ୟୁ ମାମଲାରେ ଏନ୍‌ଏଚ୍‌ଆର୍‌ସିଙ୍କ ଗୁରୁତ୍ବପୂର୍ଣ୍ଣ ରାୟ: ୫ ଲକ୍ଷ ଟଙ୍କା କ୍ଷତିପୂରଣ ଦେବାକୁ ନିର୍ଦ୍ଦେଶ

ଭୁବନେଶ୍ବର/କେନ୍ଦୁଝର : କେନ୍ଦୁଝର ବଡ଼ବିଲ ଥାନାରେ ୨୦୧୯ ମସିହାରେ ହୋଇଥିବା ସୁରେଶ ନାଏକ ହାଜତ ମୃତ୍ୟୁ ମାମଲାରେ ୫ ଲକ୍ଷ ଟଙ୍କା ପ୍ରଦାନ ପାଇଁ ନିର୍ଦ୍ଦେଶ ଦେଇଛନ୍ତି ଏନ୍‌ଏଚ୍‌ଆର୍‌ସି। ନିର୍ଦ୍ଦେଶ ଜାରି ହେବାର ଛଅ ସପ୍ତାହ ମଧ୍ୟରେ ଓଡ଼ିଶା ମୁଖ୍ୟ ଶାସନ ସଚିବଙ୍କୁ ଏହି ଅର୍ଥ ପ୍ରଦାନ ପାଇଁ କୁହାଯାଇଛି।

ସୂଚନା ଅନୁଯାୟୀ ୨୦୧୯ ନଭେମ୍ବର ୨୧ରେ ସୁରେଶ ନାଏକଙ୍କ ମୃତଦେହକୁ ବଡ଼ବିଲ ଥାନାରୁ ଝୁଲନ୍ତା ଅବସ୍ଥାରେ ଉଦ୍ଧାର କରାଯାଇଥିଲା। ସେ ଆତ୍ମହତ୍ୟା କରିଥିବା ନେଇ ପୁଲିସ ପକ୍ଷରୁ କୁହାଯାଇଥିଲା। ଆଇନଜୀବୀ ରାଧାକାନ୍ତ ତ୍ରିପାଠୀ ଏହାକୁ ନେଇ ଏନ୍‌ଏଚ୍‌ଆର୍‌ସିରେ ପିଟିସନ ଫାଇଲ କରିବା ପରେ ହାଜତ ମୃତ୍ୟୁକୁ ନେଇ ମୁଖ୍ୟ ଶାସନ ସଚିବଙ୍କୁ କାରଣ ଦର୍ଶାଅ ନୋଟିସ ଜାରି ହୋଇଥିଲା। ମାତ୍ର ରାଜ୍ୟ ସରକାର ଏହାର କୌଣସି ଉତ୍ତର ଦେଇନଥିଲେ। ତତ୍‌କାଳୀନ କେନ୍ଦୁଝର ଏସ୍‌ପି କେବଳ ରସାୟନ ପରୀକ୍ଷଣ ରିପୋର୍ଟକୁ ସଂଲଗ୍ନ କରି ମାଜିଷ୍ଟ୍ରେଟ୍ ରିପୋର୍ଟ ଏନ୍‌ଏଚ୍‌ଆର୍‌ସିକୁ ଫର୍‌ୱାର୍ଡ କରି ଦେଇଥିଲେ।

ଏନ୍‌ଏଚ୍‌ଆର୍‌ସି ପକ୍ଷରୁ କୁହାଯାଇଥିଲା ଯେ ମୃତ୍ୟୁବରଣ କରିଥିବା ସୁରେଶ ନାଏକ ବିଚାରାଧୀନ କିମ୍ବା ଦୋଷୀ, ଯାହା ବି ହୋଇଥାଆନ୍ତୁ, ତାଙ୍କର ବଞ୍ଚି ରହିବାର ମୌଳିକ ଅଧିକାର ରହିଛି। ସେ ହାଜତରେ ଥିବାରୁ ତାଙ୍କ ଦାୟିତ୍ବ ସରକାରଙ୍କର। ମାତ୍ର ସରକାର ନିଜ ଦାୟିତ୍ବ ନିର୍ବାହ କରିନାହାନ୍ତି। ଆସନ୍ତାବର୍ଷ ଜାନୁଆରି ୨୯ ତାରିଖରେ ଏହାର ପରବର୍ତ୍ତୀ ଶୁଣାଣି ହେବ।

ସମ୍ବନ୍ଧିତ ଖବର