ଯାଜପୁର : ବଡ଼ଚଣା ନିର୍ବାଚନମଣ୍ଡଳୀରେ ବିଜେଡିରେ ଗୋଷ୍ଠୀ ବିବାଦ ତୀବ୍ର ‌ହୋଇଛି। ଏମିତି ସମୟରେ ବିଜେଡି ରାଜ୍ୟ ସଂଗଠନ ସମ୍ପାଦକ ପ୍ରଣବ ପ୍ରକାଶ ଦାସ(ବବି)ଙ୍କ ଆହ୍ବାନକ୍ରମେ ଆଜି ବିଧାୟକ ଅମର ପ୍ରସାଦ ଶତପଥୀ ଓ ବିଜେଡି ରାଜ୍ୟ ସମ୍ପାଦକ ‌ଜନ୍ମେଜୟ ଲେଙ୍କାଙ୍କ ଗୋଷ୍ଠୀକୁ ନେଇ ସାଙ୍ଗଠନିକ କର୍ମଶାଳା ଜିଲ୍ଲା ରାଜନୀତିରେ ଚର୍ଚ୍ଚାର ବିଷୟ ହୋଇଛି।

Advertisment

ବିଧାୟକ ଅମର ପ୍ରସାଦ ଶତପଥୀଙ୍କ ନେତୃ୍ତ୍ବରେ ବିଜେଡି ବଡ଼ଚଣା ନିର୍ବାଚନମଣ୍ଡଳୀରେ ସ୍ଥିତି ମଜଭୁତ କରିବାରେ ଲାଗିଛି। ୨୦୧୯ ନିର୍ବାଚନ ବେଳେ କଂଗ୍ରେସରୁ ଆସି ବିଜେଡିରେ ସାମିଲ ହୋଇଥିବା ଜନ୍ମେଜୟ ଲେଙ୍କା ମଧ୍ୟ ବିଧାୟକ ପ୍ରାର୍ଥୀ ଶ୍ରୀ ଶତପଥୀଙ୍କ ପାଇଁ କାମ କରିଥି‌ଲେ। ହେଲେ ପରବର୍ତ୍ତୀ ସମୟରେ ଉଭୟ ଗୋଷ୍ଠୀ ମଧ୍ୟରେ ବିବାଦ ବଢ଼ିଥିଲା। ପଞ୍ଚାୟତ ନିର୍ବାଚନରେ ଏହା ଚରମ ସୀମାରେ ପହଞ୍ଚିଥିଲା। ଏହା ସତ୍ତ୍ବେ ବିଧାୟକ ଶ୍ରୀ ଶତପଥୀଙ୍କ ଗୋଟି ଚାଳନା ଯୋଗୁଁ ବିରୋଧୀ ମେଣ୍ଟ ଭାଗଭାଗ ହେବା ସହ ବଡ଼ଚଣା ପଞ୍ଚାୟତ ସମିତି ଅଧ୍ୟକ୍ଷ ପଦବି ବିଜେଡି ଖାତାକୁ ଯାଇଥିଲା। ତେବେ ୨୦୨୪ ନିର୍ବାଚନକୁ ଆଖି ଆଗରେ ରଖି ଶ୍ରୀ ଲେଙ୍କା ନିଜ ପତିଆରା ଦେଖାଇବା ପାଇଁ ୩ଟି ଜୋନ୍‌ ଛତିଆ, ବଡ଼ଚଣା ଓ ବାଲିଚନ୍ଦ୍ରପୁରରେ ଯୁବସମାବେଶ ନାମରେ ସମାନ୍ତରାଳ ବୈଠକ କରି ଗୋଷ୍ଠୀ ବାବଦକୁ ତୀବ୍ର କରିଥିଲେ। ଏ ନେଇ ବିଧାୟକ ଶ୍ରୀ ଶତପଥୀଙ୍କ ଶିବିର ରାଜ୍ୟ ନେତୃତ୍ବ ନିକଟରେ ଫେରାଦ ହୋଇଥିଲେ।

ଗୋଷ୍ଠୀ ବିବାଦରେ ପୂର୍ଣ୍ଣଛେଦ ଟାଣିବା ପାଇଁ ଆଜି ଚଣ୍ଡିଖୋଲ ବିଜୁ କଲ୍ୟାଣ ମଣ୍ଡପରେ ବିଜେଡିର ସାଙ୍ଗଠନିକ କର୍ମଶାଳା ଅନୁଷ୍ଠିତ ହୋଇଥିଲା। ଏଥିରେ ବିଜେଡି ବ୍ଲକ୍ ସଭାପତି ତଥା ଜିଲ୍ଲା ପରିଷଦ ସଭ୍ୟ ଅରବିନ୍ଦ ସାମଲ ଅଧ୍ୟକ୍ଷତା କରିଥିଲେ। ବବିଙ୍କ ଉପସ୍ଥିତିରେ ଅନୁଷ୍ଠିତ ଏହି ସଭାରେ ବିଧାୟକ ଯୋଗ ଦେଇଥିଲେ ହେଁ ଏବଂ ଶ୍ରୀ ଲେଙ୍କା ସାମିଲ ହୋଇଥିଲେ। ଅମର ପ୍ରସାଦ ଶତପଥୀ ଓ ରାଜ୍ୟ ସାଙ୍ଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ(ବବି) ଯୋଗ ଦେଇଥିଲେ। ଏହି କର୍ମଶାଳାରେ ଶ୍ରୀ ଲେଙ୍କା ଅନୁପସ୍ଥିତ ଥିବା ବେଳେ ତାଙ୍କ ସମର୍ଥକମାନେ ସାମିଲ ହୋଇଥିଲେ। ତେବେ ଦଳର ସଙ୍ଗଠନକୁ ସୁଦୃଢ଼ କରିବାକୁ ଆହ୍ବାନ ଦେଇ ବବି ସିଧା ସିଧା କହିଥିଲେ ଯେ ବଡ଼ଚଣାରେ ବିଜେଡି କର୍ମୀମାନଙ୍କ ପ୍ରତି ଅବହେଳାକୁ ଗ୍ରହଣ କରାଯାଇପାରିବ ନାହିଁ। କାହାର ନାମ ନ ନେଇ ସେ ଆହୁରି କହିଥିଲେ ଯେ ଅ‌ସନ୍ତୋଷକୁ ସମାଧାନ କରିବାକୁ ଆବଶ୍ୟକ ପଡ଼ିଲେ ସେ ବଡ଼ଚଣା ଆସିବେ। ଆମର କାର୍ଯ୍ୟକ୍ରମକୁ ୬୦/୭୦ଭାଗ ଲୋକ ସମର୍ଥନ କରୁଥିବା ବେଳେ ୩୦/୪୦ଭାଗ ବିରୋଧ କରୁଛନ୍ତି। ସେମାନେ କାହିଁକି ବିରୋଧ କରୁଛନ୍ତି ତାହାର ଆତ୍ମସମୀକ୍ଷା କରାଯିବାର ଆବଶ୍ୟକତା ରହିଛି ବୋଲି ବବି କହିଥିଲେ। ସେହିପରି ବିଧାୟକ ଅମର ଶତପଥୀ ମଧ୍ୟ ସରକାରଙ୍କ କାର୍ଯ୍ୟକ୍ରମ ଓ ବବିଙ୍କ ସାଂଗଠନିକ କାର୍ଯ୍ୟ ସଂପର୍କରେ ନିଜ ବକ୍ତବ୍ୟରେ କହିଥିଲେ। ଅନ୍ୟମାନଙ୍କ ମଧ୍ୟରେ ଜିଲ୍ଲା ପରିଷଦ ଉପାଧ୍ୟକ୍ଷ ଗଣେଶ୍ବର ବରାଳ, ଜିଲ୍ଲା ପରିଷଦ ସଦସ୍ୟ ଯତୀନ୍ଦ୍ର ନାୟକ, ଧନେଶ୍ବର ବେହେରା, ବିଜେଡି ବଡ଼ଚଣା ସଭାନେତ୍ରୀ ରଶ୍ମରେଖା ନାୟକ ପ୍ରମୁଖ ମତବ୍ୟକ୍ତ କରିଥିଲେ। ଜିଲ୍ଲା ପରିଷଦ ସଭ୍ୟା ସସ୍ମିତା ମହାନ୍ତି ଓ ଜୟଶ୍ରୀ ସାମଲ ଉପସ୍ଥିତ ଥିଲେ।