ବଡ଼ଚଣା ବିଜେପି ବିଧାୟକ ପ୍ରାର୍ଥୀ ଅମର ନାୟକ ଏବଂ ତାଙ୍କର ୧୫ ସମର୍ଥକଙ୍କୁ ଗିରଫ କଲା ପୁଲିସ

ଯାଜପୁର: ଗତକାଲି ବିଳମ୍ବିତ ରାତ୍ରିରେ ବଡ଼ଚଣା ପୁଲିସ ବଡଚଣାର ବିଜେପି ବିଧାୟକ ପ୍ରାର୍ଥୀ ଅମର ନାୟକ, ବିଜେପି ପ୍ରଚାର କମିଟି ଅଧ୍ୟକ୍ଷ ରମାକାନ୍ତ ରାଉତ ଓ ସେମାନଙ୍କର ୧୫ ଜଣ ସମର୍ଥକଙ୍କୁ ଗିରଫ କରିଥିବା ସୂଚନା ମିଳିଛି। ଆଇନଶୃଙ୍ଖଳା ପରିସ୍ଥିତିକୁ ଆଖି ଆଗରେ ରଖି ସେମାନଙ୍କୁ କୁଆଖିଆ ଥାନାରେ ରଖାଯାଇଛି।

ଅଭିଯୋଗ ଅନୁଯାୟୀ ବଡଚଣା ବିଜେପି ପ୍ରଚାର କମିଟି ଅଧ୍ୟକ୍ଷ ରମାକାନ୍ତ ରାଉତଙ୍କୁ ବଡଚଣା ଯୁବ ବିଜେଡି ସଭାପତି ଗଣେଶ୍ୱର ବରାଳ ଆକ୍ରମଣ କରିଥିଲେ।ଗଣେଶ୍ୱର ବରାଳଙ୍କୁ ଗିରଫ କରିବା ଦାବିରେ ଅମର ନାୟକ ଓ ରମାକାନ୍ତ ରାଉତଙ୍କ ନେତୃତ୍ୱରେ ସେମାନଙ୍କର ସମର୍ଥକମାନେ ଜାତୀୟ ରାଜପଥ ଅବରୋଧ କରିଥିଲେ।

ଅପରପକ୍ଷରେ ବିଜେଡି ନେତା ଗଣେଶ୍ୱର ବରାଳ ରମାକାନ୍ତ ରାଉତ ତାଙ୍କୁ ଧମକଚମକ ଦେଇଥିବା ନେଇ ବଡ଼ଚଣା ଥାନାରେ ଏତଲା ବି ଦେଇଥିଲେ। ଏହାପରେ ପୁଲିସ ଅମର ନାୟକ ଓ ତାଙ୍କର ୧୫ ଜଣ ସମର୍ଥକଙ୍କୁ ଗିରଫ କରିଥିଲା। ଏହାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଉତ୍ତେଜନା ପ୍ରକାଶ ପାଇଛି।

ସମ୍ବନ୍ଧିତ ଖବର