ଯାଜପୁର : ବଡ଼ଚଣା ବ୍ଲକ ପାନୀୟଜଳ ଯୋଗାଣ କେଳେଙ୍କାରୀରେ ୨ ଜଣ ପିଇଓ ନିଲମ୍ବିତ ହୋଇଛନ୍ତି। ଏହି ୨ ପିଇଓଙ୍କ ହାତରେ ଥିଲା ୬ ଟି ପଞ୍ଚାୟତ। ପିଇଓ ପ୍ରଶାନ୍ତ ଜେନା ମଝିପଡ଼ା, ବରପଦା, ଗୋପାଳପୁର ପଞ୍ଚାୟତ ଦାୟିତ୍ୱ ଏବଂ ପିଇଓ ସଞ୍ଜିତ କରଙ୍କ ହାତରେ ଭରତପୁର, କୋଲଣଗିରି ଓ ଅଣକା ପଞ୍ଚାୟତ ଥିଲା। ଏହି ୬ ଟି ପଞ୍ଚାୟତରେ ୨୦୨୨-୨୩ ଆର୍ଥିକ ବର୍ଷରେ ୧ କୋଟି ୫ ଲକ୍ଷ ୫୬ ହଜାର ୬୩୩ ଟଙ୍କା ଖର୍ଚ୍ଚ କରାଯାଇଛି। ସରକାରଙ୍କ ବିଭିନ୍ନ ଯୋଜନାରେ ଖର୍ଚ୍ଚ ହୋଇଥିବା ଏହି ଅର୍ଥ ନିୟମ ମୁତାବକ ହୋଇନଥିବାରୁ ଜାଲିଆତି ହୋଇଥିବାର ଗନ୍ଧ ସ୍ପଷ୍ଟ ବାରି ହୋଇପଡୁଛି।
ନିଲମ୍ବିତ ପିଇଓ ପ୍ରଶାନ୍ତ ଜେନା ୩ ଟି ପଞ୍ଚାୟତ ଦାୟିତ୍ବରେ ରହି ୨୦୨୨-୨୩ ଆର୍ଥିକ ବର୍ଷରେ ସରକାରଙ୍କ ବିଭିନ୍ନ ଯୋଜନାରେ ୩୧ ଲକ୍ଷ ୩୪ ହଜାର ୮୭୧ ଟଙ୍କା ଖର୍ଚ୍ଚ ହୋଇଛି ବୋଲି ଦର୍ଶାଯାଇଛି। ବରପଦା ପଞ୍ଚାୟତରେ ୧୦ ଲକ୍ଷ ୮୫ ହଜାର ୮୧ ଟଙ୍କା, ଗୋପାଳପୁର ପଞ୍ଚାୟତରେ ୧୦ ଲକ୍ଷ ୨୪ ହଜାର ୧୮ ଟଙ୍କା ଓ ମଝିପଡ଼ା ପଞ୍ଚାୟତରେ ୧୦ ଲକ୍ଷ ୨୫ ହଜାର ୭୭୨ ଟଙ୍କା ବ୍ୟୟ କରାଯାଇଛି। ବରପଦା ପଞ୍ଚାୟତରେ ପାନୀୟଜଳ ଯୋଗାଣରେ ୨ ଲକ୍ଷ ୮୬ ହଜାର ୬୭୩ ଟଙ୍କା ଓ ଗ୍ରାମ ସଫେଇ ବାବଦରେ ୮୦ ହଜାର ଟଙ୍କା ଜାଲିଆତି କରି ଆତ୍ମସାତ କରାଯାଇଛି ବୋଲି ଅଭିଯୋଗ ହୋଇଛି। ସେହିପରି ଗୋପାଳପୁର ପଞ୍ଚାୟତରେ ପାନୀୟଜଳ ଯୋଗାଣ ନାମରେ ୩ ଲକ୍ଷ ୮୩ ହଜାର ୫୬୮ ଟଙ୍କା, ଷ୍ଟ୍ରିଟ ଲାଇଟ ମରାମତି ଓ ରକ୍ଷଣାବେକ୍ଷଣ ବାବଦରେ ୨ ଲକ୍ଷ ୪୭ ହଜାର ୫୦୦ ଟଙ୍କା ଓ ଗ୍ରାମ ସଫେଇ ବାବଦରେ ୯୮ ହଜାର ଟଙ୍କା ଅନିୟମିତତା କରି ଖର୍ଚ୍ଚ କରାଯାଇଛି ବୋଲି ପଞ୍ଚାୟତବାସୀ ଆପତ୍ତି ଉଠାଇଛନ୍ତି।
ମଝିପଡ଼ା ପଞ୍ଚାୟତରେ ଜଳଯୋଗାଣରେ ୪ ଲକ୍ଷ ୯ ହଜାର, ଗ୍ରାମ ସଫେଇ କରିବାରେ ୮୦ ହଜାର ଓ ଗ୍ରାମୀଣ ପାର୍କରେ ପାଣି ଦେବା ପାଇଁ ୪୫ ହଜାର ଟଙ୍କା ଖର୍ଚ୍ଚ କରାଯାଇଛି। ଏହି ସବୁ ଅର୍ଥ ଉଠାଇବା ପାଇଁ ପିଇଓ ସରପଞ୍ଚଙ୍କ ଅନୁମୋଦନ ନେଇନଥିଲେ। ଏନେଇ ସରପଞ୍ଚ ଅଭିଯୋଗ କରିବା ପରେ ତଦନ୍ତ କରି ପିଇଓ ପ୍ରଶାନ୍ତ ଜେନାଙ୍କୁ ନିଲମ୍ବିତ କରାଯିବା ସହ ଅପରାଧିକ ମାମଲା ରୁଜୁ କରାଯାଇ ତଦନ୍ତ କରାଯାଉଛି। ସେହିପରି ନିଲମ୍ବିତ ପିଇଓ ସଞ୍ଜିତ କର ୩ ଟି ପଞ୍ଚାୟତ ଦାୟିତ୍ବରେ ରହି ୨୦୨୨-୨୩ ଆର୍ଥିକ ବର୍ଷରେ ୭୪ ଲକ୍ଷ ୨୧ ହଜାର ୭୬୨ ଟଙ୍କା ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ବିଭିନ୍ନ ଯୋଜନାରେ ଖର୍ଚ୍ଚ କରିଛନ୍ତି।
ଭରତପୁର ପଞ୍ଚାୟତରେ ୧୮ ଲକ୍ଷ ୧୭ ହଜାର ୮୬୦ ଟଙ୍କା, ଅଣକା ପଞ୍ଚାୟତରେ ୨୬ ଲକ୍ଷ ୯୨ ହଜାର ୫୨୪ ଟଙ୍କା, କୋଲଣଗିରି ପଞ୍ଚାୟତରେ ୨୯ ଲକ୍ଷ ୧୧ ହଜାର ୩୭୮ ଟଙ୍କା ଖର୍ଚ୍ଚ କରାଯାଇଛି ବୋଲି କାଗଜପତ୍ରରେ ଦର୍ଶାଯାଇଛି। ଭରତପୁର ପଞ୍ଚାୟତରେ ପିଇବା ପାଣି ଯୋଗାଇବାରେ ୪ ଲକ୍ଷ ୭୨ ହଜାର ୮୭୭ ଟଙ୍କା, ଗ୍ରାମ ସଫେଇରେ ୯୮ ହଜାର ଟଙ୍କା ଖର୍ଚ୍ଚରେ ଜାଲିଆତି କରାଯାଇଛି ବୋଲି ଜିଲ୍ଲାପାଳଙ୍କ ନିକଟରେ ଅଭିଯୋଗ ହୋଇଛି। ଅଣକା ପଞ୍ଚାୟତରେ ଗ୍ରାମ ସଫେଇ ୧ଲକ୍ଷ ୪୮ ହଜାର ଓ ପିଇବା ପାଣି ଦେବାରେ ୭୯ ହଜାର ୨୬୬ ଟଙ୍କା ଖର୍ଚ୍ଚ କରାଯାଇଛି। ସେହିପରି କୋଲଣଗିରି ପଞ୍ଚାୟତରେ ଗ୍ରାମ ସଫେଇ, ଜଳଯୋଗାଣ ଓ ଉନ୍ନୟନ କାର୍ଯ୍ୟରେ ବ୍ୟାପକ ଅନିୟମିତତା କରାଯାଇଥିବାରୁ ପିଇଓଙ୍କୁ ନିଲମ୍ବିତ କରାଯାଇଥିବା ବେଳେ ସରପଞ୍ଚଙ୍କୁ କାରଣ ଦର୍ଶାଅ ନୋଟିସ ଜାରି କରାଯାଇଛି।
ଏହି ୨ ନିଲମ୍ବିତ ପିଇଓ ୬ ଟି ପଞ୍ଚାୟତରେ ଦାୟିତ୍ବରେ ରହି ସରକାରଙ୍କ ବିଭିନ୍ନ ଯୋଜନାରେ ଅନିୟମିତତା କରିଛନ୍ତି। ଅର୍ଥ ଆୟୋଗଙ୍କ ପ୍ରଦତ୍ତ ନିୟମକୁ ଏଡ଼ାଇ ଦେଇ କାର୍ଯ୍ୟ କରିବା ନାମରେ ଜାଲିଆତି କରି ସରକାରୀ ଅର୍ଥକୁ ଆତ୍ମସାତ କରିଛନ୍ତି। କାର୍ଯ୍ୟର କାଗଜପତ୍ର ଓ ଫାଇଲ ନଥିବା ବେଳେ ପଞ୍ଚାୟତରୁ ଲକ୍ଷଲକ୍ଷ ଟଙ୍କା ହଡ଼ପ ହୋଇଛି। ୨ଟି ପଞ୍ଚାୟତ ତଦନ୍ତ କରି କାର୍ଯ୍ୟାନୁଷ୍ଠାନ ନିଆଯାଇଥିବା ବେଳେ ଆଉ ୪ ଟି ପଞ୍ଚାୟତରେ ଅଭିଯୋଗ ସତ୍ତ୍ବେ କାହିଁକି ପ୍ରଶାସନ ତଦନ୍ତ କରୁ ନାହିଁ ବୋଲି ପ୍ରଶ୍ନ ଉଠିଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2020/08/water-tap-f.jpg)