ଯାଜପୁର : ବଡ଼ଚଣା ବ୍ଲକ୍ ବିଭିନ୍ନ ସମୟରେ ଦୁର୍ନୀତିକୁ ନେଇ ସମାଲୋଚିତ ହୋଇଆସିଛି। ପଞ୍ଚାୟତରେ ହେଉଥିବା କାର୍ଯ୍ୟର ନିୟନ୍ତ୍ରଣ କକ୍ଷ ବ୍ଲକ୍ କାର୍ଯ୍ୟାଳୟ ହୋଇଥିବାବେଳେ ଏଥର ସିଧାସଳଖ ବ୍ଲକ୍ କାର୍ଯ୍ୟାଳୟରୁ ଦୁର୍ନୀତି କରାଯାଇଛି। ତାହା ପୁଣି ପଞ୍ଚାୟତ ନିର୍ବାହୀ ଅଧିକାରୀ ଓ ସରପଞ୍ଚଙ୍କ ଅଗୋଚରରେ। ଗ୍ରାମପଞ୍ଚାୟତ ସଂପ୍ରାସରଣ ଅଧିକାରୀ (ଜିପିଇଓ) ରାସ୍ତା ନିର୍ମାଣ କଲେ। ବିଡିଓ ସିମେଣ୍ଟ କିଣି ଯୋଗାଇଲେ। ବଡ଼ଚଣା ବ୍ଲକ ବନ୍ଦାଳୋ ପଞ୍ଚାୟତ ଦାୟିତ୍ବରେ ଥିବା ପଞ୍ଚାୟତ ନିର୍ବାହୀ ଅଧିକାରୀ (ପିଇଓ)ଙ୍କ ପରିବର୍ତ୍ତେ ଜିପିଇଓଙ୍କ ନାମରେ ୨୦୨୧-୨୨ ଆର୍ଥିକ ବର୍ଷରେ ବେଆଇନ ଭାବେ ୧୧ଟି କାର୍ଯ୍ୟର କାର୍ଯ୍ୟାଦେଶ ଦିଆଯାଇଛି। ସେହି ବାବଦରେ ୧୫ ଲକ୍ଷ ୨୭ ହଜାର ୪୫୧ ଟଙ୍କା ଟଙ୍କାର ବିଲ୍ ପୈଠ କରାଯାଇଛି। ଏହି ଅନିୟମିତତାର ତଦନ୍ତ ବେଳେ ବହୁ କେଳେଙ୍କାରୀର ତଥ୍ୟ ସାମ୍ନାକୁ ଆସିବା ପରେ ରିପୋର୍ଟକୁ ଚାପି ଦିଆଯାଇଛି। ଅଭିଯୋଗ ହେବା ପରେ ପୁଣି ତଦନ୍ତ ପାଇଁ ଜିଲ୍ଲାପାଳ ନିର୍ଦେଶ ଦେଇଛନ୍ତି।
ପଞ୍ଚାୟତ ନିର୍ବାହୀ ଅଧିକାରୀ ଓ ସରପଞ୍ଚ ଅନ୍ଧାରରେ
ପ୍ରଥମ ତଦନ୍ତକୁ ଚାପିଲେ, ଏବେ ଦ୍ବିତୀୟ ତଦନ୍ତ ପାଇଁ ଜିଲ୍ଲାପାଳଙ୍କ ନିର୍ଦ୍ଦେଶ
ପ୍ରକାଶ ଥାଉକି ବନ୍ଦାଳୋ ପଞ୍ଚାୟତରେ ୨୦୨୧-୨୨ ଅର୍ଥିକ ବର୍ଷରେ ପଞ୍ଚଦଶ କେନ୍ଦ୍ର ଅର୍ଥ ଆୟୋଗ ଯୋଜନାରେ ୧ଲକ୍ଷ ଟଙ୍କା ବ୍ୟୟ ଅଟକଳରେ ଧନଞ୍ଜୟ ଘରଠାରୁ କାଳିଆ ଘର ପର୍ଯ୍ୟନ୍ତ ସିମେଣ୍ଟ କଂକ୍ରିଟ ରାସ୍ତା ନିର୍ମାଣ କାର୍ଯ୍ୟ ପିଇଓ ପରିବର୍ତ୍ତେ ଜିପିଇଓଙ୍କ ନାମରେ କାର୍ଯ୍ୟାଦେଶ ଦିଆଯାଇଛି। ଏହି ରାସ୍ତା ନିର୍ମାଣ ପାଇଁ ବଡ଼ଚଣା ବିଡିଓ ୧ ଏପ୍ରିଲ ୨୦୨୧ ତାରିଖରେ ମହାଲକ୍ଷ୍ମୀ ଭଣ୍ଡାରରୁ ୧୦୦ ବସ୍ତା ସିମେଣ୍ଟ କିଣି ଯୋଗାଇଛନ୍ତି। ସେହିପରି ଚତୁର୍ଥ ରାଜ୍ୟ ଅର୍ଥ ଆୟୋଗ ଯୋଜନାରେ ୬୦ ହଜାର ଟଙ୍କା ବ୍ୟୟରେ ହନୁମାନ ଛକଠାରୁ ଚିନ୍ତାମଣି ବେଜ ଘର ପର୍ଯ୍ୟନ୍ତ ସିମେଣ୍ଟ କଂକ୍ରିଟ ରାସ୍ତା ନିର୍ମାଣ ପାଇଁ ମଧ୍ୟ ୧୦୦ ବସ୍ତା ସିମେଣ୍ଟ ୧ଏପ୍ରିଲ ୨୦୨୧ ତାରିଖରେ ମହାଲକ୍ଷ୍ମୀ ସିମେଣ୍ଟ ଭଣ୍ଡାରରୁ କ୍ରୟ କରି ବିଡିଓ ଯୋଗାଇଛନ୍ତି। ଏହି ଦୁଇଟି ରାସ୍ତା ନିର୍ମାଣର ବ୍ୟୟ ଅଟକଳ ସମାନ ହୋଇନଥିଲେ ମଧ୍ୟ ସମାନ ବସ୍ତା ସିମେଣ୍ଟ ବ୍ୟବହାର କରାଯାଇଥିବା ଦର୍ଶାଯାଇଛି। ଏହି କାର୍ଯ୍ୟର ବିଲ୍ ପୈଠ ପାଇଁ ସରପଞ୍ଚ ଅନୁମୋଦନ କରିନଥିଲେ ମଧ୍ୟ ଜିପିଇଓ ବିଲ୍ ଉଠାଇ ନେଇଛନ୍ତି। କେବଳ ଏହି ୨ ଟି କାର୍ଯ୍ୟର ଫାଇଲରେ ଏଭଳି ଅନିୟମିତତା ସୀମିତ ରହିନାହିଁ। ୧୧ଟି କାର୍ଯ୍ୟାଦେଶ ପାଇଥିବା ଜିପିଇଓ ଏଭଳି ଅନିୟମିତତା କରି ୧୫ ଲକ୍ଷ ୨୭ ହଜାର ୪୫୧ ଟଙ୍କାର ବିଲ୍ ଉଠାଇଛନ୍ତି।
ପିଇଓ ପଞ୍ଚାୟତ ଦାୟିତ୍ବରେ ଥିବା ସତ୍ତ୍ବେ କେଉଁଥି ପାଇଁ ଜିପିଇଓଙ୍କ ନାମରେ କାର୍ଯ୍ୟାଦେଶ ଦିଆଗଲା? ପଞ୍ଚାୟତ ଅନୁଦାନ ସଞ୍ଚୟ ଖାତା ସରପଞ୍ଚ ଓ ପିଇଓଙ୍କ ନାମରେ ଥିବାବେଳେ ଏମାନଙ୍କ ଅଗୋଚରରେ କେମିତି ବିଲ୍ ଉଠାଗଲା? ଏଥିରୁ ଜାଲିଆତି ବାରିହୋଇ ପଡୁଛି। ଆହୁରି ମଧ୍ୟ ବନ୍ଦାଳୋ ଖେଳପଡ଼ିଆ ଉନ୍ନତୀକରଣ କାର୍ଯ୍ୟ ପାଇଁ ୧ଲକ୍ଷ ୮ ହଜାର, ଡିହକରନ୍ଦା ୧ଲକ୍ଷ ୭୪ ହଜାର ଟଙ୍କା ବ୍ୟୟ କରାଯାଇଛି। ତଦନ୍ତ ବେଳେ ଏହି ୨ ଟି କାର୍ଯ୍ୟର ଫାଇଲ ପିଇଓ ଦେଇପାରିନାହାନ୍ତି। ପିଇଓ ପ୍ରଶାନ୍ତ ସେଠୀଙ୍କ ଅଭିଯୋଗ ଆଧାରରେ ତଦନ୍ତ ବେଳେ ଏସବୁ ଅନିୟମିତତା ଧରାପଡ଼ିଛି। ଏବିଡିଓ ଏହାର ତଦନ୍ତ କରି ବିଡିଓଙ୍କୁ ଜୁନ୍ ୭ ତାରିଖରୁ ରିପୋର୍ଟ ଦେଲେଣି। ବିଡିଓ ଏହାକୁ କାର୍ଯ୍ୟାନୁଷ୍ଠାନ ନିମନ୍ତେ ଜିଲ୍ଲା ପ୍ରଶାସନ ନିକଟକୁ ପଠାଇବା ପରିବର୍ତ୍ତେ ଚାପି ଦେଇଛନ୍ତି। କାର୍ଯ୍ୟାନୁଷ୍ଠାନ ନ ହେବାରୁ ପିଇଓ ପ୍ରଶାନ୍ତ ସେଠୀ ଜିଲ୍ଲାପାଳଙ୍କ ନିକଟରେ ଅଭିଯୋଗ କରିବା ପରେ ପୁଣି ତଦନ୍ତ ନିର୍ଦେଶ ଦିଆଯାଇଛି। ଜିଲ୍ଲାପରିଷଦ କାର୍ଯ୍ୟାଳୟର ୩ ଜଣ ଅଧିକାରୀ ଏହାର ତଦନ୍ତ କରିବେ। ରିପୋର୍ଟ ୭ ଦିନ ମଧ୍ୟରେ ଦେବା ପାଇଁ ଜିଲ୍ଲାପରିଷଦ ମୁଖ୍ୟ ଉନ୍ନୟନ ଅଧିକାରୀ ତଥା ନିର୍ବାହୀ ଅଧିକାରୀ ଗତ ୧୨ ତାରିଖରେ ଚିଠି ସଂଖ୍ୟା ୯୭୧ ରେ ନିର୍ଦେଶ ଦେଇଛନ୍ତି। ଏହାକୁ ନେଇ ଅସାଧୁମେଣ୍ଟ ପୁଣି ଅକଳରେ ପଡ଼ିଛନ୍ତି।