ଯାଜପୁର : ବଡ଼ଚଣା ବ୍ଲକ୍ର ଗୋଟିଏ ପରେ ଗୋଟିଏ ଦୁର୍ନୀତି ପଦାକୁ ଆସିବାରେ ଲାଗିଛି। ଏଠାରେ ଜାଲ୍ ଜିଏସ୍ଟି ନମ୍ବରରେ ଆସବାବପତ୍ର କିଣା ବିଲ୍ କରାଯାଇଛି। ଏହି ମାମଲାରେ ଜିପିଇଓ ଅମିୟ ରଞ୍ଜନ ନାଥ ହରଡ଼ଘଣାରେ ପଡ଼ିଛନ୍ତି। ନକଲି ଜିଏସ୍ଟି ଭାଉଚର ଦେଇ ପଞ୍ଚାୟତର ଆସବାବପତ୍ର କ୍ରୟ ନାମରେ ୩ ଲକ୍ଷ ୫୨ ହଜାର ୨୬୪ ଟଙ୍କା ବିଲ୍ ହୋଇଛି। ଫାଇଲରେ ଉଲ୍ଲେଖ ଥିବା ନାମିଦାମୀ କମ୍ପାନିର ଆସବାବପତ୍ର ପଞ୍ଚାୟତକୁ ଆସିନାହିଁ। ବ୍ଲକ୍ ପ୍ରଶାସନ ଏହି ଅନିୟମିତତା ଜାଣିଥିଲେ ମଧ୍ୟ ଚପାଇ ରଖିଛି।
ଅନୁସନ୍ଧାନରୁ ଜଣାପଡ଼ିଛି ୨୦୨୧-୨୨ ଆର୍ଥିକ ବର୍ଷରେ ଚତୁର୍ଦ୍ଦଶ ଅର୍ଥ କମିସନ ଅନୁଦାନରେ ବଡ଼ଚଣା ବ୍ଲକ୍ ବନ୍ଦାଳୋ ପଞ୍ଚାୟତ କାର୍ଯ୍ୟାଳୟ ପାଇଁ ଆସବାବପତ୍ର କ୍ରୟ କରାଯାଇଥିଲା । ବିଲ୍ ଭାଉଚର ନମ୍ବର-ଏଫ୍ଏଫ୍ସି / ୨୦୨୧-୨୨ /ପି/୧୫ ,ତାରିଖ-୯/୧୨/୨୦୨୧ରେ ୩ ଲକ୍ଷ ୫୨ ହଜାର ୨୬୪ ଟଙ୍କା ଜିପିଇଓଙ୍କୁ ବିଲ୍ ବାବଦରେ ପଇଠ କରାଯାଇଛି। ଏହି ଆସବାବପତ୍ର ଗୁପ୍ତା ଡିଷ୍ଟ୍ରିବ୍ୟୁଟର(ନେଉଳପୁର) ରୁ କ୍ରୟ କରାଯାଇଛି ବୋଲି ଦର୍ଶାଯାଇଛି। ୮ ପ୍ରକାର ଆସବାବପତ୍ର କିଣା ଯାଇଛି। ଏହାର ମୂଲ୍ୟ ୩ ଲକ୍ଷ ୧୧ ହଜାର ୬୨୬ ଟଙ୍କା ଥିବା ବେଳେ ଜିଏସ୍ଟି ବବାଦକୁ ୪୧ ହଜାର ୪୩୦ ଟଙ୍କା ନିଆଯାଇଛି ବୋଲି ଦର୍ଶାଯାଇଛି। ଭାଉଚରରେ ଗୁପ୍ତା ଡିଷ୍ଟ୍ରିବ୍ୟୁଟର ଜିଏସ୍ଟି ନମ୍ବର-୨୧ ଏଏଏନ ଏଫଜି ୮୪୩୫ ଇ୧ ଜେଡ୍ପି ବୋଲି ଉଲ୍ଲେଖ ଅଛି। କିନ୍ତୁ ଗୁପ୍ତା ଡିଷ୍ଟ୍ରିବ୍ୟୁଟର ଜିଏସ୍ଟି ନମ୍ବର ହେଲା- ୨୧ ଏଏଏନ ଏଫ୍ଜି ୮୪୮୬ ଏଫ୍୧ ଜେଡ୍୫ ବୋଲି ଅନୁସନ୍ଧାନରୁ ଜଣାପଡ଼ିଛି। ଏହାସହ ପଞ୍ଚାୟତର ଆସବାବପତ୍ର କ୍ରୟ ପାଇଁ ୧ଲକ୍ଷ ୫୦ ହଜାର ଟଙ୍କା ପର୍ଯ୍ୟନ୍ତ ବ୍ୟୟ କରିପାରିବେ। ମାତ୍ର ଏଠାରେ ୩ ଲକ୍ଷରୁ ଉର୍ଦ୍ଧ୍ୱ ଟଙ୍କା ବ୍ୟୟ କରାଯାଇଛି।
ଏହି ଆସବାବପତ୍ର କ୍ରୟ ପାଇଁ ପ୍ରଶାସନିକ ମଞ୍ଜୁରି ନଥିବା ବେଳେ ପଞ୍ଚାୟତସ୍ତରୀୟ ପ୍ରତିନିଧିମାନେ ମଧ୍ୟ କ୍ରୟ ପାଇଁ ସୁପାରିସ କରିନାହାନ୍ତି। ସରପଞ୍ଚ ଆସବାବ କ୍ରୟ ନିମନ୍ତେ ଦେଇଥିବା କୋଟେସନ୍ରେ ଉଲ୍ଲେଖ ଥିବା ସାମଗ୍ରୀ ମୂଲ୍ୟଠାରୁ ଢେର ଅଧିକ ମୂଲ୍ୟର ସାମଗ୍ରୀ କ୍ରୟ କରାଯାଇଛି। ଦୋକାନୀ ନାମରେ ଏହି ବିଲ୍ ପଇଠ ହେବା ପରିବର୍ତ୍ତେ ଜିପିଇଓ ନିଜର ବ୍ୟକ୍ତିଗତ ଆକାଉଣ୍ଟକୁ ଏହି ଅର୍ଥ ନେଇଛନ୍ତି। ଏ ସମ୍ପର୍କରେ ଜିପିଇଓ ଶ୍ରୀ ନାଥ କହିଛନ୍ତି ଜିଏସ୍ଟି ନମ୍ବର ଠିକ୍ ଅଛି। କିଣାଯାଇଥିବା ସାମଗ୍ରୀରେ କୌଣସି ଅସୁବିଧା ନାହିଁ। ତଦନ୍ତକାରୀ ଟିମ୍ ଆସି ସବୁ ଦେଖିପାରିବେ ବୋଲି ଶ୍ରୀ ନାଥ କହିଛନ୍ତି। ଏହି ବିଲ୍ ପଇଠ ପାଇଁ ବ୍ଲକ ଅଧିକାରୀ ପ୍ରତି ସ୍ୱାକ୍ଷର କରିନଥିବା ବେଳେ ପଞ୍ଚାୟତ ପିଇଓ ମଧ୍ୟ ଅନୁମୋଦନ କରିନାହାନ୍ତି। ୫-ଟି ଅଧୀନରେ ସ୍ୱଚ୍ଛତା ଅବଲମ୍ବନ କରାଯାଉଥିବା ବେଳେ ଏଭଳି ଅନିୟମିତତା କିପରି ଚାଲିଛି ବୋଲି ପ୍ରଶ୍ନ ହେଉଛି।