ଯାଜପୁର : ବଡ଼ଚଣା ବ୍ଲକ୍ରେ ଦୁର୍ନୀତିର ନୂଆ ନୂଆ ତଥ୍ୟ ସାମ୍ନାକୁ ଆସିବାରେ ଲାଗିଛି। ଅଚଳ ଜିପ୍ ସରକାରୀ କାମରେ ବ୍ୟବହାର ହୋଇଥିବା ଦର୍ଶାଇ ଅର୍ଥ ହରିଲୁଟ୍ ହୋଇଛି। ସରକାରୀ ତଥ୍ୟ ମୁତାବକ ବଡ଼ଚଣା ବ୍ଲକ୍ ଅଧିକାରୀଙ୍କୁ ଜିପ୍ (ଓଆର୍ ୦୪ଏ-୪୦୨୧) ସରକାରୀ କାର୍ଯ୍ୟ ସମ୍ପାଦନ ପାଇଁ ଦିଆଯାଇଛି। ଜିପ୍ର ରେଜିଷ୍ଟ୍ରେସନ୍ ବୈଧତା ୨୦୦୦ ମସିହାରୁ ଶେଷ ହୋଇଯାଇଛି। ଏହାର ବୀମା ମଧ୍ୟ ହୋଇନାହିଁ। ତେବେ କେମିତି ଏହି ଜିପ୍କୁ ଅଧିକାରୀ ବ୍ୟବହାର କରୁଛନ୍ତି ବୋଲି ପ୍ରଶ୍ନ ଉଠିଛି।
ଏହି ଜିପ୍ରେ ୨୦୨୧ ଜାନୁଆରିରୁ ଡିସେମ୍ବର ପର୍ଯ୍ୟନ୍ତ ୨ ଲକ୍ଷ ୩୯ ହଜାର ୩୭୦ ଟଙ୍କାର ତେଲ ଖର୍ଚ୍ଚ ହୋଇଥିବା ବେଳେ ୨୦୨୨ ଜାନୁଆରିଠାରୁ ଡିସେମ୍ବର ପର୍ଯ୍ୟନ୍ତ ୧ଲକ୍ଷ ୮୯ ହଜାର ୯୨୦ ଟଙ୍କା ଓ ୨୦୨୩ ଜାନୁଆରିରୁ ଏପ୍ରିଲ ପର୍ଯ୍ୟନ୍ତ ୪୬ ହଜାର ୫୫ ଟଙ୍କାର ତେଲ ଖର୍ଚ୍ଚ ହୋଇଥିବା ବିଲ୍ କରାଯାଇଛି। ଗତ ୨୮ ମାସରେ ମୋଟ ୪ ଲକ୍ଷ ୭୫ ହଜାର ୩୪୫ ଟଙ୍କା ବ୍ଲକ୍ ପକ୍ଷରୁ ଅଚଳ ଗାଡ଼ିରେ ତେଲ ବାବଦରେ ବ୍ୟୟ ହୋଇଛି। ଏହି ଖର୍ଚ୍ଚକୁ ନେଇ ଜିଲ୍ଲା ଅଡିଟ୍ ଅଧିକାରୀ ମଧ୍ୟ ଆପତ୍ତି ଉଠାଇଛନ୍ତି। ୨୦୧୬-୧୭ ମସିହାରେ ୧ ଲକ୍ଷ ୯୪ ହଜାର ୮୯୯ ଟଙ୍କା, ୨୦୧୭-୧୮ ମସିହାରେ ୧ ଲକ୍ଷ ୧୦ ହଜାର ୫୬୬ ଟଙ୍କା ତତ୍କାଳୀନ ବିଡିଓଙ୍କଠାରୁ ଆଦାୟ କରିବା ପାଇଁ କହିଥିଲେ। ତଥାପି ୨୦୦୦ ମସିହାଠାରୁ ବର୍ତ୍ତମାନ ପର୍ଯ୍ୟନ୍ତ ବ୍ଲକ ଦାୟିତ୍ବରେ ଥିବା ବିଡିଓମାନେ ଅଚଳ ଜିପ୍କୁ ସଚଳ ଦେଖାଇ ତେଲ ବାବଦରେ ଅର୍ଥ ଖର୍ଚ୍ଚ କରି ଚାଲିଛନ୍ତି।