ଚଣ୍ଡିଖୋଲ : ଯାଜପୁର ଜିଲ୍ଲା ବଡ଼ଚଣା ଥାନା ଅନ୍ତର୍ଗତ ଧାନମଣ୍ଡଳ ଫାଣ୍ଡି ହାଜତ ମୃତ୍ୟୁ ଘଟଣାରେ ବଡ଼ଚଣା ଥାନାଧିକାରୀ ସୁଶୀଲ କୁମାର ନାୟକ ଓ ଏସ୍‌ଆଇ ସୁବାସ ଚନ୍ଦ୍ର ମୁଦୁଲିଙ୍କ ନାମରେ ହତ୍ୟା ମାମଲା ରୁଜୁ ହୋଇଛି। ଏମାନଙ୍କ ସମେତ ୧୦ରୁ ୧୨ଜଣ ଅନ୍ୟ ପୁଲିସ କର୍ମଚାରୀ, ଅଭିଯୋଗକାରୀ ଯୁବତୀଙ୍କ ପିତା ଏବଂ ଭାଇ ନାମରେ ମଧ୍ୟ ମାମଲା ରୁଜୁ ହୋଇଛି।

Advertisment

ମୃତ ଯୁବକ ଈଶ୍ୱର ସେଠୀଙ୍କ ବାପା ପଦନ ସେଠୀଙ୍କ ଅଭିଯୋଗ ଆଧାରରେ ବଡ଼ଚଣା ଥାନା କେସ ନମ୍ବର ୭/୨୩ରେ ଦଫା ୪୪୮,୨୯୪, ୩୨୩,୩୦୨, ୫୦୬, ୩୪ ଓ ଅନୁସୂଚିତ ଜାତି ଜନଜାତି ଆଇନ ବଳରେ ମାମଲା ରୁଜୁ ହୋଇଛି। ଅପରପକ୍ଷରେ, ଏହି ଘଟଣାର ସିବିଆଇ ତଦନ୍ତ କରାଯିବା ସହିତ ମୃତକଙ୍କ ପରିବାରକୁ ୫୦ ଲକ୍ଷ ଟଙ୍କାର କ୍ଷତିପୂରଣ ଦେବାକୁ ମାନବାଧିକାର ସୁରକ୍ଷା କର୍ମୀ ଭଜମନ ବିଶ୍ୱାଳ ଆଜି ଜାତୀୟ ମାନବାଧିକାର କମିସନଙ୍କ ନିକଟରେ ଆବେଦନ କରିଛନ୍ତି। ଏନ୍‌ଏଚ୍‌ଆର୍‌ସି ଶ୍ରୀ ବିଶ୍ୱାଳଙ୍କ ଆବେଦନକୁ ଗ୍ରହଣ କରି ଡାଇରୀ ସଂଖ୍ୟା ୨୮୭/୨୩ରେ ଆବେଦନକୁ ପଞ୍ଜିକୃତ କରିଥିବା ନେଇ ସୂଚନା ମିଳିଛି।

ଉଲ୍ଲେଖଯୋଗ୍ୟ ଯେ ଗତ ୪ ତାରିଖ ଦିନ ଧାନମଣ୍ଡଳ ଫାଣ୍ଡି ହାଜତରେ ମାହାଙ୍ଗା ଥାନା ଅନ୍ତର୍ଗତ ସିନ୍ଧୁପୁର ଗ୍ରାମର ଈଶ୍ବରଙ୍କର ମୃତ୍ୟୁ ହୋଇଥିଲା।