ମହଙ୍ଗା ପଡ଼ିଲା ଜବତ ଗାଡ଼ିରେ ପୁରୀ ଯାତ୍ରା : ବଡ଼ଚଣା ଥାନା ଅଧିକାରୀ ନିଲମ୍ବିତ

ଯାଜପୁର/ପୁରୀ/କଟକ : କରୋନା ପାଇଁ ଲକ୍‌ଡାଉନ୍‌ ବେଳେ ପୁଲିସ ବାହିନୀ ପ୍ରତି ଚାରିଆଡ଼ୁ ପ୍ରଶଂସାର ସୁଅ ଛୁଟୁଛି। ତେବେ ଯାଜପୁର ଜିଲ୍ଲା ବଡ଼ଚଣା ଥାନା ଅଧିକାରୀ ଦୀପକକୁମାର ଜେନା ଖାକିରେ କଳା ବୋଳି ଦେଇଛନ୍ତି। ସବୁ କଟକଣାକୁ ବେଖାତିର କରି ଜବତ ଏକ ସ୍କର୍ପିଓ ଗାଡ଼ିରେ ହଳଦିଆ ବତି ଲଗାଇ ପୁରୀ ଯାଇ ପରିବାର ସହ ଜଗନ୍ନାଥ ଦର୍ଶନ କରିବା ତାଙ୍କୁ ମହଙ୍ଗା ପଡ଼ିଛି। ତାଙ୍କର ଏଭଳି କାର୍ଯ୍ୟକୁ ପୁଲିସ ଡିଜି ଗମ୍ଭୀରତାର ସହ ନେଇ ଆଜି କାର୍ଯ୍ୟରୁ ନିଲମ୍ବିତ କରିଛନ୍ତି।

ବିଶ୍ବସ୍ତ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ ନିଲମ୍ବିତ ଶ୍ରୀ ଜେନାଙ୍କୁ ପୁଲିସ ହେଡକ୍ବାର୍ଟରରେ ଅବସ୍ଥାପିତ କରାଯାଇଛି। ଶ୍ରୀ ଜେନାଙ୍କ ସ୍ଥାନରେ ପ୍ରିୟବ୍ରତ ରାଉତଙ୍କୁ ବଡ଼ଚଣା ଥାନାର ଅଧିକାରୀ ଭାବେ ନିଯୁକ୍ତି ମିଳିଛି। ବଡ଼ଚଣା ଆଇଆଇସି ବ୍ୟବହାର କରିଥିବା(ଓଆର ଏଏଫ-୦୫୦୦) ସ୍କର୍ପିଓ ଗାଡ଼ିଟି କଟକ ଗତିରାଉତ ପାଟଣାର ସୁକାନ୍ତ କୁମାର ଦଳାଇଙ୍କର। କେତେକ ଦୁର୍ବୃତ୍ତ ଚଣ୍ଡିଖୋଲ ଜେଏମଏଫସି କୋର୍ଟ ସମ୍ମୁଖରୁ ଏହି ଗାଡ଼ିଟିକୁ ଛଡ଼ାଇ ନେଇଥିବା ସେ ବଡ଼ଚଣା ଥାନାରେ ମାର୍ଚ୍ଚ୨୧ ତାରିଖରେ ଅଭିଯୋଗ କରିଥିଲେ। ଅଭିଯୋଗରେ ଦର୍ଶାଇଥିଲେ ଯେ, ‌ଧର୍ମଶାଳା ବ୍ଲକ୍‌ ଭୁବନ ଗ୍ରାମର ଶରତକୁମାର ନାୟକ, ବଡ଼ଚଣା ଥାନା ଅନ୍ତର୍ଗତ ନିଶିମୂଳାର ହେମେଶ ଜେନା ଓରଫ ଟୁକୁନା ଏବଂ ଅନ୍ୟ ଦୁଇଜଣ ଅସାମାଜିକ ବ୍ୟକ୍ତି ତାଙ୍କ ସ୍କର୍ପିଓ ଗାଡ଼ିକୁ ଅଟକାଇ ବନ୍ଧୁକ ଦେଖାଇ ଛଡ଼ାଇ ନେଇଥିଲେ। ଗାଡ଼ିରେ ଥିବା ୫୨ ହଜାର ଟଙ୍କା ଏବଂ ଅନ୍ୟ କେତେକ ଗୁରୁତ୍ବପୂର୍ଣ୍ଣ କାଗଜପତ୍ର ନେଇ ଯାଇଥିବା ସେ ଅଭିଯୋଗରେ ଦର୍ଶାଇଥିଲେ। ପାରାଦୀପ ରାସ୍ତାର ଏକ ନିକାଞ୍ଚନ ସ୍ଥାନକୁ ନେଇ ନିଶିମୂଳାର ସଂଗ୍ରାମ ଜେନା ଏବଂ ଅମୂଲ ସ୍ବାଇଁ ପ୍ରମୁଖ ୫ ଲକ୍ଷ ଟଙ୍କା ଚାନ୍ଦା ମାଗିଥିଲେ। ଏହି ଘଟଣାରେ ବଡ଼ଚଣା ପୁଲିସ ସଂପୃକ୍ତ ଗାଡ଼ିକୁ ଜବତ କରିବା ସହିତ ଦୁର୍ବୃତ୍ତମାନଙ୍କୁ ଥାନାକୁ ଡକାଇଥିଲେ। ମାତ୍ର ଜବତ ଗାଡ଼ିକୁ ସଂପୃକ୍ତ ମାଲିକଙ୍କୁ ଫେରାଇ ନଥିଲେ। ଲକ୍‌ଡାଉନ୍‌ ପରେ ଗାଡ଼ି ଫେରାଇବାକୁ କହି ଦିନ ଗଡ଼ାଇ ଚାଲିଥିଲେ। ମାତ୍ର ଗତକାଲି ଏହି ଗାଡ଼ିରେ ହଳଦିଆ ବତି ଲଗାଇ ବଡ଼ଚଣା ଥାନା ଅଧିକାରୀ ଶ୍ରୀ ଜେନା ପୁରୀ ଯାଇଥିଲେ।

ସୂଚନାଯୋଗ୍ୟ ଯେ ଗତକାଲି ସନ୍ଧ୍ୟା ୭ଟା ବେଳେ ମଣିକର୍ଣ୍ଣିକା ସାହିର ଶ୍ୟାମା ଓରଫ ଲକ୍ଷ୍ମୀନାରାୟଣ ପୂଜାପଣ୍ଡା ଦକ୍ଷିଣ ଦ୍ବାର ଦେଇ ଥାନାଧିକାରୀଙ୍କୁ ସପରିବାର ଶ୍ରୀମନ୍ଦିର ଭିତରକୁ ନେଇଥିବା ପୁଲିସର ତଦନ୍ତରୁ ଜଣାପଡ଼ିଛି। ଏ ନେଇ ସମ୍ପୃକ୍ତ ସେବାୟକଙ୍କୁ ଥାନାରେ ହାଜର ହେବା ପାଇଁ କୁହାଯାଇଥିବା ସିଂହଦ୍ବାର ଥାନା ଇନ୍‌ସପେକ୍ଟର ଗେଲି ସାହୁ କହିଛନ୍ତି। ସେହିପରି କଡ଼ା କଟକଣା ସତ୍ତ୍ବେ କେଉଁ ଭଳି ପରିସ୍ଥିତିରେ ଶ୍ରୀ ଜେନା ନିଜ ପରିବାରକୁ ଏକ ସ୍କର୍ପିଓରେ ବସାଇ ଦକ୍ଷିଣ ଦ୍ବାରକୁ ଗଲେ ତାକୁ ନେଇ ପ୍ରଶ୍ନର ପାହାଡ଼ ଛିଡ଼ାହୋଇଛି। ସବୁଠାରୁ ବଡ଼କଥା ହେଲା, ଥାନାଧିକାରୀ ଶ୍ରୀ ଜେନା ନିଜ ପରିବାରକୁ ବସାଇ ନାଲିବତି ଗାଡ଼ିରେ କିପରି ୧୭୫ କିଲୋମିଟର ଆସିପାରିଲେ ? ବଡ଼ଚଣାରୁ ପୁରୀକୁ ଆସିବା ମଧ୍ୟରେ ଅନେକ ଜାଗାରେ ପୁଲିସ ବାରିକେଡ୍‌ ପକାଇ ରାସ୍ତା ଅବରୋଧ କରିଛି। ଏହି ସମସ୍ତ ବାରିକେଡ୍‌କୁ ସେ କିପରି ଅତିକ୍ରମ କରିପାରିଲେ ବୋଲି ପ୍ରଶ୍ନ ଉଠିଛି। ସେହିପରି ପୁରୀର ବିଭିନ୍ନ ସ୍ଥାନରେ ମଧ୍ୟ ପୁଲିସ ପକ୍ଷରୁ ବାରିକେଡ୍‌ ବ୍ୟବସ୍ଥା କରାଯାଇଛି। ପିପିଲି ଟୋଲ୍‌ ଗେଟ୍‌ରେ ମଧ୍ୟ ବାହାର ଜିଲ୍ଲାର ଗାଡ଼ିକୁ ଛଡ଼ାନଯିବା ପାଇଁ ଏସ୍‌ପିଙ୍କ ପକ୍ଷରୁ ନିର୍ଦ୍ଦେଶ ରହିଥିଲା। ଖୋଦ୍‌ ଏସ୍‌ପିଙ୍କର ନିର୍ଦ୍ଦେଶକୁ ମଧ୍ୟ ପୁଲିସମାନେ ପାଣିର ଗାର ସଦୃଶ ଏଡ଼ାଇ ଦେଇଥିଲେ। ସମସ୍ତ ପ୍ରକାର କଟକଣାକୁ ପ୍ରତିହତ କରି ସେ ସିଧାସଳଖ ଦକ୍ଷିଣଦ୍ବାର ସମ୍ମୁଖରେ ପହଞ୍ଚିଥିଲେ। ଏଭଳି ପରିସ୍ଥିତିରେ ଟ୍ରାଫିକ୍‌ ପୁଲିସର କାହିଁକି ମାମଲା ରୁଜୁ କରି ନାହିଁ ତାହା ବି ପ୍ରଶ୍ନବାଚୀ ସୃଷ୍ଟି କରିଛି।

ଗୁରୁତ୍ବପୂର୍ଣ୍ଣ ହେଉଛି ଦୁଇ ଦୁଇଟି ଜିଲ୍ଲାର ସୁରକ୍ଷା ବଳୟ ଭେଦ କରି ସେ ସମସ୍ତଙ୍କୁ ଚକମା ଦେଖାଇ ପୁରୀ କେମିତି ଗଲେ ତାହା ଏବେ ବଡ଼ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ଅନ୍ୟପଟେ ଜବତ ଗାଡ଼ିରେ ହଳଦିଆ ବତି ଲଗାଇ ତାହାକୁ ବ୍ୟବହାର କରିବାକୁ ‌କିଏ ପରାମର୍ଶ ଦେଇଥିଲେ ନା ନିଜେ ନିଜେ ପୁଲିସ କ୍ଷମତାର ଅପବ୍ୟବହାର କରିଛନ୍ତି, ସେ ନେଇ ତଦନ୍ତ ଆରମ୍ଭ ହୋଇଛି। ଆଜି ଏସ୍‌ଡିପିଓ ଚିନ୍ମୟ ନାୟକ ବଡ଼ଚଣା ଥାନାକୁ ଯାଇ ଖୋଳତାଡ଼ କରିବା ସହିତ ବିଭିନ୍ନ କାଗଜପତ୍ର ଛାନଭିନ କରିଛନ୍ତି। ଏସ୍‌ଡିପିଓ ଶ୍ରୀ ନାୟକଙ୍କୁ ଘଟଣା ସମ୍ପର୍କରେ ପଚାରିବାରୁ ଘଟଣା ସଂପର୍କରେ ତଦନ୍ତ ଚାଲିଛି ବୋଲି କହିଥିଲେ।। ଜବତ ଗାଡ଼ିରେ କିପରି ହଳଦିଆ ବତି ଲଗାଇଲେ ବୋଲି ପଚରାଯିବାରୁ ପୂରା ଘଟଣା ସମ୍ପର୍କରେ ତଦନ୍ତ ପରେ ଯାହା କୁହାଯାଇପାରିବ ବୋଲି କହିଛନ୍ତି।

ସୂଚନାଯୋଗ୍ୟ, ବଡ଼ଚଣା ଥାନା ଅଧିକାରୀ ଶ୍ରୀ ଜେନା କିଛି ଦିନ ପୂର୍ବରୁ ପଥର ମାଫିଆଙ୍କ ଦ୍ବାରା ସମ୍ବର୍ଦ୍ଧିତ ହୋଇ ଚର୍ଚ୍ଚାକୁ ଆସିଥିଲେ। ସେତେବେଳେ ଉଚ୍ଚ ପଦାଧିକାରୀମାନେ ତୀବ୍ର ଅସନ୍ତୋଷ ବ୍ୟକ୍ତ କରିଥିଲେ। ତାଙ୍କ ସମୟରେ ବଡ଼ଚଣା ଅଞ୍ଚଳରେ ବ୍ୟାପକ ମାଙ୍କଡ଼ା ପଥର ଏବଂ କୋଇଲା ଚୋରା କାରବାର ହୋଇଥିବା ଅଭିଯୋଗ ହୋଇଥିଲା। ତତ୍କାଳୀନ ଏସ୍‌ଡିପିଓ କେଦାର ସାହୁ ଥାନା ନିକଟରୁ ଏକ ଚୋରା କୋଇଲା ଗାଡ଼ିକୁ ଜବତ କରିଥିଲେ। ସେହିପରି ଅନେକ ଘଟଣାକୁ ନେଇ ସେ ଚର୍ଚ୍ଚାରେ ଥିଲେ। ବର୍ତ୍ତମାନ କରୋନା ଯୋଦ୍ଧା ରୂପେ ପୁଲିସ ବାହିନୀ ଲଢ଼ୁଥିବାବେଳେ ଜବତ ଗାଡ଼ିରେ ଦିଅଁ ଦର୍ଶନ ପାଇଁ ଯାଇ ପୁଲିସ ବିଭାଗର ସମ୍ମାନକୁ ନିଲାମ କରି ଦେଇଥିବା କୁହାଯାଉଛି।

ସମ୍ବନ୍ଧିତ ଖବର