ବଡ଼ଚଣା ପାଣି ପଞ୍ଚାୟତ କେଳେଙ୍କାରୀ : ଠିକାଦାରି କରୁଛନ୍ତି ରାଜନେତା

ଯାଜପୁର : ଯାଜପୁର ଜିଲ୍ଲା ଅନ୍ତର୍ଗତ ବଡ଼ଚଣା ପାଣି ପଞ୍ଚାୟତରେ ବ୍ୟାପକ ଦୁର୍ନୀତି ହୋଇଛି। ବିଭିନ୍ନ ସମୟରେ ଅଭିଯୋଗ ଆସିବାପରେ ଏକ ବିଭାଗୀୟ ଟିମ୍‌ ଏହାର ତଦନ୍ତ କରିଛନ୍ତି। ତଦନ୍ତରୁ ନିମ୍ନମାନର କାମ ହୋଇଥିବା ଜଣାପଡ଼ିବା ସହିତ ବହୁ କାମରେ ଶାସକ ଦଳ ନେତାଙ୍କ ସମ୍ପୃକ୍ତି ରହିଥିବା ଜଣାପଡ଼ିଛି।

ବଡ଼ଚଣା ବ୍ଲକ୍‌ ଅଞ୍ଚଳରେ ପାଣି ପଞ୍ଚାୟତ ଜରିଆରେ ଜଳସଂପଦ ବିଭାଗର ସେଚାଞ୍ଚଳ ଉନ୍ନୟନ ଖଣ୍ଡ(କାଡ଼ା) କଟକ ଡିଭିଜନ୍‌ର ବଡ଼ଚଣା ସବ୍‌ଡ଼ିଭିଜନ୍‌ରେ କୋଟି କୋଟି ଟଙ୍କାର କାମ ଚାଲିଛି। ଏହି କାମରେ ବ୍ୟାପକ ହେରାଫେରି ନେଇ ଗତ ୬ତାରିଖରେ ‘ସମ୍ବାଦ’ରେ ଏକ ଅନୁସଂଧାନ ରିପୋର୍ଟ ପ୍ରକାଶ ପାଇଥିଲା। ଏହି ରିପୋର୍ଟ ଆଧାରରେ ଗତ ୮ତାରିଖ ଦିନ ତଦନ୍ତ ଆରମ୍ଭ ହୋଇଛି। ବିଭାଗୀୟ ସଚିବଙ୍କ ନିର୍ଦେଶରେ କାଡ଼ାର ଅତିରିକ୍ତ ନିର୍ଦେଶକ ଓ ବୈଷୟିକ ତଦନ୍ତକାରୀ ଦଳ ବଡ଼ଚଣାର ବିଭିନ୍ନ ଅଞ୍ଚଳ ଗସ୍ତ କରି ଅନୁସଂଧାନ କରି ଫେରିଯାଇଛନ୍ତି।

ତଦନ୍ତରୁ ଜଣାପଡ଼ିଛି ଯେ, ଜଳସମ୍ପଦ ବିଭାଗର ସେଚାଞ୍ଚଳ ଉନ୍ନୟନ ଖଣ୍ଡ (କାଡ଼ା) କଟକ ଡିଭିଜନ୍‌ ଅନ୍ତର୍ଗତ ବଡ଼ଚଣା ସବ୍‌ଡିଭିଜନ୍‌ (କାଡା) ବଡ଼ଚଣା ବ୍ଲକ୍‌ରେ ୧୦ଟି ମଧ୍ୟରୁ ୬ଟି ପାଣି ପଞ୍ଚାୟତରେ ୨୦୧୭-୧୮ଆର୍ଥିକ ବର୍ଷରେ ୫୪ଟି କେ-୨ ଏଗ୍ରିମେଣ୍ଟ କରାଯାଇ ୨ କୋଟି ୪୮ଲକ୍ଷ ୨୬ହଜାର ୯ଶହ ଟଙ୍କା ବ୍ୟୟବରାଦ କରାଯାଇଛି। ସେଥିମଧ୍ୟରୁ ଅଧିକାଂଶ କାମ ଶେଷ ହୋଇଛି। ତେବେ ଅଟକଳ ଅନୁସାରେ କାମ ହେଉନାହିଁ। ସିମେଣ୍ଟ୍‌, ଇଟା ଅତି ନିମ୍ନମାନର ବ୍ୟବହାର ହୋଇଥିବାବେଳେ ଦର୍ଶାଯାଇଥିବା କାମ ଠାରୁ କମ୍‌ କାମ ହୋଇଛି ।

‘ସମ୍ବାଦ’ର ତଥ୍ୟକୁ ଭିତ୍ତି କରି ଅନୁସଂଧାନୀ ଦଳ ମା ନାରାୟଣୀ ପାଣି ପଞ୍ଚାୟତ -୮ର ଇନାୟତ ନଗର, କଡ଼ିଆବା ବରଦା ନିର୍ମାଣ କାମ, ମା’ ବ୍ରାହ୍ମଣ ଦେବୀ ପାଣି ପଞ୍ଚାୟତ-୯ର ଉବୁକା ବନ୍ତଳା, ଚଣ୍ଡିତଳ-୧, ଉବୁକା-୨ ପାଇଁ କାଡ଼ା ନାଳ ତିଆରି କାମ, ନାହାକାଣୀ ପାଣି ପଞ୍ଚାୟତ-୧୦ର ଦେଉଳକୁଳ କାଡ଼ା ନାଳ ଓ ମା ମଙ୍ଗଳା ପାଣି ପଞ୍ଚାୟତ ୪ ସୋଲର ଓ ମା ନାଲୁଆଶୁଣି ପାଣି ପଞ୍ଚାୟତ-୧୨ର ବିଭିନ୍ନ କାମ ଅନୁସଂଧାନ କରି ଫେରିଛନ୍ତି। ଏ ସମ୍ପର୍କରେ ସୂଚନା ଦେଇଛନ୍ତି ଏସଡ଼ିଓ ସୁଧାଂଶୁ ଶେଖର ଛୋଟରାୟ।

ଅନ୍ୟପକ୍ଷରେ, ଏସିଆନ୍‌ ଡେଭଲପ୍‌ମେଣ୍ଟ ବ୍ୟାଙ୍କ (ଏଡିବି) ପକ୍ଷରୁ ଚାଲିଥିବା ଏହି ଉନ୍ନୟନ କାମଗୁଡ଼ିକୁ ଶାସକ ଦଳ ନେତାମାନେ ହାତେଇଥିବାରୁ ବିରୋଧୀଦଳ ଘେରିବା ଆରମ୍ଭ କରିଛି। ବିରୋଧୀ ଦଳର ଅଭିଯୋଗ ଅନୁସାରେ, ‘ ମା’ ମଙ୍ଗଳା ପାଣି ପଞ୍ଚାୟତ-୪ରେ ୯ଟି କେ-୨ ଏଗ୍ରିମେଣ୍ଟରେ ୪୨ଲକ୍ଷ ଟଙ୍କାର କାମ ହୋଇଛି। ଯାହାର ସଭାପତି ଅଛନ୍ତି ପ୍ରହଲ୍ଲାଦ ନନ୍ଦ, ଯିଏକି ବଡ଼ଚଣା ବ୍ଲକ୍‌ର ପୂର୍ବତନ ଅଧ୍ୟକ୍ଷ। ସେହିପରି ଅନ୍ୟ ପାଣି ପଞ୍ଚାୟତଗୁଡ଼ିକରେ ମଧ୍ୟ ଏକାଧିକ ରାଜନେତାଙ୍କ ପ୍ରତ୍ୟକ୍ଷ ସଂପୃକ୍ତି ନେଇ ଚର୍ଚ୍ଚା ଜୋର ଧରିଛି।

ଅପରପକ୍ଷେ ଏହି ଅଭିଯୋଗକୁ ଖଣ୍ଡନ କରିଛନ୍ତି ଶ୍ରୀ ନନ୍ଦ। ସେ କହିଛନ୍ତି ଯେ, ‘ଏହି କାମ ମୋ ନାମରେ ନାହିଁ। ପାଣି ପଞ୍ଚାୟତର ସମ୍ପାଦକ ଓ ଅନ୍ୟ ସଦସ୍ୟଙ୍କ ନାଁରେ ରହିଛି। ଯଦି, କାମ ଭଲ ହୋଇନି ବୋଲି ଅଭିଯୋଗ ହେଉଛି ଏହାର ସଠିକ୍‌ ତଦାରଖ ହେବା ସହିତ ଭଲ କାମ ହେବା ଉଚିତ।

ସମ୍ବନ୍ଧିତ ଖବର