ବଡ଼ଚଣା: ଆର୍‌ ଆଣ୍ଡ ବିରେ ଗୁପ୍ତ ଟେଣ୍ଡର୍‌ କେଳେଙ୍କାରୀ

ମରାମତି ଆଳରେ ବେଧଡ଼କ ଲୁଟ୍‌

୨ଟି ରାସ୍ତା ପାଇଁ ୩୧୬ଟି ଗୁପ୍ତ ଟେଣ୍ଡର
ଯନ୍ତ୍ରୀ-ଠିକାଦାର ମଧୁ ଚନ୍ଦ୍ରିକା,୨.୭୩କୋଟିର ଘୋଟାଲା

ଯାଜପୁର : ଟେଣ୍ଡର ଫିକ୍ସିଂ କାରବାରକୁ ନେଇ ସମଗ୍ର ରାଜ୍ୟରେ ଚର୍ଚ୍ଚା ଚାଲିଥିବା ବେଳେ ଏବେ ବିଭିନ୍ନ ବିଭାଗରେ ଖୁଲମ୍‌ ଖୁଲା ଗୁପ୍ତ ଟେଣ୍ଡର୍‌କୁ ନେଇ ଆଲୋଡ଼ନ ସୃଷ୍ଟି ହୋଇଛି । ପୂର୍ତ୍ତ ବିଭାଗରେ ପ୍ରତି ବର୍ଷ ଶହଶହ କୋଟି ଟଙ୍କାର ଗୁପ୍ତ ଟେଣ୍ଡର୍‌କୁ ଉଚ୍ଚ ପଦାଧିକାରୀ ସ୍ୱୀକୃତି ପ୍ରଦାନ କରୁଛନ୍ତି। ଠିକାଦାର ଓ ଯନ୍ତ୍ରୀ ଅସାଧୁ ମେଣ୍ଟ କରି ଅର୍ଥ ହରିଲୁଟ୍‌ କରି ଚାଲିଛନ୍ତି।

ଦୀର୍ଘ ବର୍ଷ ହେଲା ଚାରିବାଟିଆ ଡ଼ିଭିଜନ୍‌ ଅଧୀନରେ ଥିବା ବଡ଼ଚଣା ଆର୍‌ ଆଣ୍ଡ୍‌ ବି ସବ୍‌ଡିଭିଜନ୍‌ରେ କୋଟିକୋଟି ଟଙ୍କା ସରକାରୀ ଅନୁଦାନକୁ ଗୁପ୍ତ ଟେଣ୍ଡର୍‌ କରି ଲୁଟ୍‌ କରାଯାଇଛି। ବଡ଼ଚଣା ସବଡ଼ିଭିଜନ୍‌ ଅଧୀନରେ ଥିବା ୧୨.୫ କିମି ଲମ୍ବ ବଡ଼ଚଣା-ଦର୍ପଣ ରାସ୍ତାରେ ମାତ୍ର ୪ ବର୍ଷରେ ମରାମତି ନାମରେ ୧୦୯ଟି ଗୁପ୍ତ ଟେଣ୍ଡର୍‌ କରାଯାଇ ୧.୨୩ କୋଟିରୁ ଉର୍ଧ୍ୱ ଟଙ୍କା ହଡ଼ପ କରାଯାଇଥିବା ଅଭିଯୋଗ ହୋଇଛି। ଏହି ରାସ୍ତାରେ ମଧ୍ୟ ଖୋଲା ଟେଣ୍ଡର୍‌ ବାବଦରେ ୨.୮୮କୋଟିରୁ ଉର୍ଧ୍ୱ ଟଙ୍କା ବ୍ୟୟ କରାଯାଇଛି।

ସୂଚନା ଅନୁସାରେ, ବଡ଼ଚଣା-ଦର୍ପଣ ରାସ୍ତାରେ ଖୋଲା ଟେଣ୍ଡର୍‌ ମାଧ୍ୟମରେ ୨୦୧୧-୧୨ ମସିହାରେ ୨୧ଲକ୍ଷ ୧୫ହଜାର ୯୪୩ଟଙ୍କା କାମ ହୋଇଥିବା ବେଳେ ୨୦୧୨-୧୩ରେ ୩ଟି ଟେଣ୍ଡର୍‌ରେ ୮୧ଲକ୍ଷ ୫୦ହଜାର ୩୩୨ଟଙ୍କା, ୨୦୧୩-୧୪ରେ ୨ଟି ଟେଣ୍ଡର୍‌ ଜରିଆରେ ୪୧ଲକ୍ଷ ୮୯ହଜାର ୯୧୪ଟଙ୍କା, ୨୦୧୪-୧୫ ମସିହାରେ ୨୦ଲକ୍ଷ ୫୭ହଜାର ୪୧୩ଟଙ୍କା ଓ ୨୦୧୫-୧୬ରେ ୨ଟି ଟେଣ୍ଡର୍‌ରେ ୧କୋଟି ୨୩ଲକ୍ଷ ୧୫ହଜାର ୪୫୦ଟଙ୍କା ଖର୍ଚ୍ଚ ହୋଇଥିବାର ସରକାରୀ ଭାବେ ଖର୍ଚ୍ଚ ଦର୍ଶାଯାଇଛି। ୧୨.୫କିମି ରାସ୍ତା ଉପରେ ମୋଟ ୨କୋଟି ୮୮ଲକ୍ଷ ୨୯ହଜାର ୫୨ଟଙ୍କା ଖର୍ଚ୍ଚ କରାଯାଇଛି। ଏହି ସମୟ ମଧ୍ୟରେ ମାତ୍ର ୪ବର୍ଷ ୨୦୧୩-୧୪,୨୦୧୪-୧୫,୨୦୧୫-୧୬ ଓ ୨୦୧୬-୧୭ ଆର୍ଥିକ ବର୍ଷରେ ଯଥାକ୍ରମେ ୧୦ଲକ୍ଷ ୫୦ ହଜାର,୩୦ଲକ୍ଷ ୫୦ହଜାର, ୨୩ଲକ୍ଷ ଓ ୫୯.୧୯ଲକ୍ଷ ଟଙ୍କା ଗୁପ୍ତ ଟେଣ୍ଡର୍‌ ଜରିଆରେ ମରାମତି ନାମରେ ଏହି ରାସ୍ତା ଉପରେ ଖର୍ଚ୍ଚ କରାଯାଇଥwିବାର ବିଲ୍‌ ହୋଇଛି। ମରାମତି ନାମରେ ଘାସ ସଫା, ପିଚୁ ରାସ୍ତାର ଖାଲଖମା ମରାମତି, ଜମିଥିବା ପାଣି ନିଷ୍କାସନ ସହିତ ଗଛ,କଲଭର୍ଟ,ପୋଲ ପ୍ରଭୃତିରେ ରଙ୍ଗ ଦେବା ଇତ୍ୟାଦି କାର୍ଯ୍ୟ ପାଇଁ ଗୁପ୍ତ ଟେଣ୍ଡର୍‌ କରାଯାଇଛି ବୋଲି ବିଲ୍‌ ହୋଇଛି।

ସେହିପରି ବଡ଼ଚଣା -ବାଲିଚନ୍ଦ୍ରପୁର ୧୩କିମି ରାସ୍ତାରେ ଖୋଲା ଟେଣ୍ଡର୍‌ରେ ୩୩କୋଟି ୪୦ଲକ୍ଷ ୪୩ହଜାର ରୁ ଉର୍ଧ୍ୱ ଟଙ୍କା ଖର୍ଚ୍ଚା ହୋଇଥିବାର ଦର୍ଶାଯାଇଥିଲା। ଏହି ରାସ୍ତାରେ ମଧ୍ୟ ୨୦୭ଟି ଗୁପ୍ତ ଟେଣ୍ଡର୍‌ ନାମରେ ୧.୫କୋଟିରୁ ଉର୍ଧ୍ୱ ଟଙ୍କା ମରାମତି ନାମରେ ହଡ଼ପ କରାଯାଇଛି।

ସମ୍ବନ୍ଧିତ ଖବର