ନିଲମ୍ବିତ ଥାନା ଅଧିକାରୀ ଦୀପକ କୁମାର ଜେନାଙ୍କ ବିରୋଧରେ ବଡ଼ଚଣା ଥାନାରେ ରୁଜୁ ହେଲା ମାମଲା

ଯାଜପୁର: ଯାଜପୁର ଜିଲ୍ଲା ବଡ଼ଚଣା ଥାନା ଅଧିକାରୀ ଦୀପକ କୁମାର ଜେନାଙ୍କୁ ଗତକାଲି ନିଲମ୍ବିତ କରାଯିବା ପରେ ତାଙ୍କ ବିରୋଧରେ ବଡ଼ଚଣା ଥାନାରେ ମାମଲା ରୁଜୁ କରାଯାଇଥିବା ଜଣାଯାଇଛି।

ସୂଚନାଯୋଗ୍ୟ, ଲକଡାଉନର ସବୁ କଟକଣାକୁ ବେଖାତିର କରି ଜବତ ଏକ ସ୍କର୍ପିଓ ଗାଡ଼ିରେ ହଳଦିଆ ବତି ଲଗାଇ ପୁରୀ ଯାଇ ପରିବାର ସହ ଜଗନ୍ନାଥ ଦର୍ଶନ କରିବା ଦୀପକ କୁମାର ଜେନାଙ୍କୁ ମହଙ୍ଗା ପଡ଼ିଥିଲା। ତାଙ୍କର ଏଭଳି କାର୍ଯ୍ୟକୁ ପୁଲିସ ଡିଜି ଗମ୍ଭୀରତାର ସହ ନେଇ ଆଜି କାର୍ଯ୍ୟରୁ ନିଲମ୍ବିତ କରିଥିଲେ।

ନିଲମ୍ବିତ ଶ୍ରୀ ଜେନାଙ୍କୁ ପୁଲିସ ହେଡକ୍ବାର୍ଟରରେ ଅବସ୍ଥାପିତ କରାଯାଇଛି। ଶ୍ରୀ ଜେନାଙ୍କ ସ୍ଥାନରେ ପ୍ରିୟବ୍ରତ ରାଉତଙ୍କୁ ବଡ଼ଚଣା ଥାନାର ଅଧିକାରୀ ଭାବେ ନିଯୁକ୍ତି ମିଳିଛି। ବଡ଼ଚଣା ଆଇଆଇସି ବ୍ୟବହାର କରିଥିବା(ଓଆର ଏଏଫ-୦୫୦୦) ସ୍କର୍ପିଓ ଗାଡ଼ିଟି କଟକ ଗତିରାଉତ ପାଟଣାର ସୁକାନ୍ତ କୁମାର ଦଳାଇଙ୍କର। କେତେକ ଦୁର୍ବୃତ୍ତ ଚଣ୍ଡିଖୋଲ ଜେଏମଏଫସି କୋର୍ଟ ସମ୍ମୁଖରୁ ଏହି ଗାଡ଼ିଟିକୁ ଛଡ଼ାଇ ନେଇଥିବା

ସେ ବଡ଼ଚଣା ଥାନାରେ ମାର୍ଚ୍ଚ୨୧ ତାରିଖରେ ଅଭିଯୋଗ କରିଥିଲେ। ଅଭିଯୋଗରେ ଦର୍ଶାଇଥିଲେ ଯେ, ‌ଧର୍ମଶାଳା ବ୍ଲକ୍‌ ଭୁବନ ଗ୍ରାମର ଶରତକୁମାର ନାୟକ, ବଡ଼ଚଣା ଥାନା ଅନ୍ତର୍ଗତ ନିଶିମୂଳାର ହେମେଶ ଜେନା ଓରଫ ଟୁକୁନା ଏବଂ ଅନ୍ୟ ଦୁଇଜଣ ଅସାମାଜିକ ବ୍ୟକ୍ତି ତାଙ୍କ ସ୍କର୍ପିଓ ଗାଡ଼ିକୁ ଅଟକାଇ ବନ୍ଧୁକ ଦେଖାଇ ଛଡ଼ାଇ ନେଇଥିଲେ। ଗାଡ଼ିରେ ଥିବା ୫୨ ହଜାର ଟଙ୍କା ଏବଂ ଅନ୍ୟ କେତେକ ଗୁରୁତ୍ବପୂର୍ଣ୍ଣ କାଗଜପତ୍ର ନେଇ ଯାଇଥିବା ସେ ଅଭିଯୋଗରେ ଦର୍ଶାଇଥିଲେ। ପାରାଦୀପ ରାସ୍ତାର ଏକ ନିକାଞ୍ଚନ ସ୍ଥାନକୁ ନେଇ ନିଶିମୂଳାର ସଂଗ୍ରାମ ଜେନା ଏବଂ ଅମୂଲ ସ୍ବାଇଁ ପ୍ରମୁଖ ୫ ଲକ୍ଷ ଟଙ୍କା ଚାନ୍ଦା ମାଗିଥିଲେ।

ଏହି ଘଟଣାରେ ବଡ଼ଚଣା ପୁଲିସ ସଂପୃକ୍ତ ଗାଡ଼ିକୁ ଜବତ କରିବା ସହିତ ଦୁର୍ବୃତ୍ତମାନଙ୍କୁ ଥାନାକୁ ଡକାଇଥିଲେ। ମାତ୍ର ଜବତ ଗାଡ଼ିକୁ ସଂପୃକ୍ତ ମାଲିକଙ୍କୁ ଫେରାଇ ନଥିଲେ। ଲକ୍‌ଡାଉନ୍‌ ପରେ ଗାଡ଼ି ଫେରାଇବାକୁ କହି ଦିନ ଗଡ଼ାଇ ଚାଲିଥିଲେ। ମାତ୍ର ଗତକାଲି ଏହି ଗାଡ଼ିରେ ହଳଦିଆ ବତି ଲଗାଇ ବଡ଼ଚଣା ଥାନା ଅଧିକାରୀ ଶ୍ରୀ ଜେନା ପୁରୀ ଯାଇଥିଲେ।

ସମ୍ବନ୍ଧିତ ଖବର