ବଡ଼ଚଣା ବ୍ଲକ ରାସନ ଘୋଟାଲା ଘଟଣା : ଦୁବାଇ ଡିଲରଙ୍କ ପାସପୋର୍ଟ ଯାଞ୍ଚ ନିର୍ଦେଶ

ଯାଜପୁର : ବଡ଼ଚଣା ବ୍ଲକ ରାସନ ଘୋଟାଲା ଘଟଣାରେ ଦୁବାଇ ଡିଲରଙ୍କ ପାସପୋର୍ଟ ଯାଞ୍ଚ ପାଇଁ ଜିଲ୍ଲାପାଳ ନିର୍ଦେଶ ଦେଇଛନ୍ତି। ଅନ୍ୟପଟେ ସହଯୋଗାଣ ଅଧିକାରୀଙ୍କ ତଦନ୍ତ ରିପୋର୍ଟଙ୍କୁ ତର୍ଜମା କରି ରିଟେଲର ସୁଶାନ୍ତ ମହାନ୍ତିଙ୍କ ମାସିକିଆ କୋଟା ବନ୍ଦ୍‌ କରିଦିଆଯାଇଛି। କେବଳ ସେତିକି ନୁହେଁ ତାଙ୍କଠାରୁ କୈଫିୟତ ତଲବ କରାଯାଇଛି। ସାତ ଦିନ ମଧ୍ୟରେ କୈଫିୟତର ଉତ୍ତର ରଖିବାକୁ କୁହାଯାଇଛି। ଜିଲ୍ଲାପାଳଙ୍କ ଏଭଳି ନିର୍ଦେଶ ପରେ ଅସାଧୁ ଅଧିକାରୀ ମହଲରେ ଛନକା ପଶିଛି।

ଦୁବାଇରେ ରହୁଥିବା ସୁଶାନ୍ତ ମହାନ୍ତି ଦୀର୍ଘ ୧୦ ବର୍ଷ ହେଲା ରିଟେଲର୍‌ କାରବାର ବଡ଼ଚଣା ବ୍ଲକ୍‌ରେ ଚଳାଉଥିବା ଘଟଣା ସମ୍ବାଦ ପର୍ଦ୍ଦାଫାସ କରିବା ପରେ ତଦନ୍ତ ଏବେ ନିର୍ଣ୍ଣାୟକ ମୋଡ଼ରେ ପହଞ୍ଚିଛି। ଜାଲ୍‌ ଦସ୍ତଖତରେ ସମସ୍ତଙ୍କ ଜାଣନ୍ତରେ ସବୁ କାରବାର ଚାଲିଥିଲା। ସମ୍ବାଦରେ ଖବର ପ୍ରକଶ ପାଇବା ପରେ ତନାଘନା ଜିଲ୍ଲା ପ୍ରଶାସନ ଆରମ୍ଭ କରିଥିଲା। ଏହି ବିବାଦୀୟ ଘଟଣାକୁ ଭିନ୍ନ ମୋଡ଼ ଦେବା ପାଇଁ ଏମ୍‌ଆଇ ବିଶ୍ୱଜିତ୍‌ ମିଶ୍ର ପ୍ରାଣମୂର୍ଚ୍ଛା ଉଦ୍ୟମ କରିଥିଲେ। ଶାସକ ଦଳର ସ୍ଥାନୀୟ ନେତା ଏହି କେଳେଙ୍କାରୀକୁ ଚପାଇ ଦେବା ପାଇଁ କରିଥିବା ସବୁ ଉଦ୍ୟମ ଫସରଫାଟି ଯାଇଛି।

ସମ୍ବାଦରେ ଖବର ପ୍ରକାଶ ପାଇବା ପରେ ଯାଜପୁର ଜିଲ୍ଲା ସହଯୋଗାଣ ଅଧିକାରୀ ଦେବବ୍ରତ ମହାପାତ୍ର ତଦନ୍ତ ଆରମ୍ଭ କରିଥିଲେ। ଦୁବାଇରେ ଥିବା ରିଟେଲର ସୁଶାନ୍ତ ମହାନ୍ତି ଦୁବାଇରୁ ଫେରିଲା ପରେ ସହ ଯୋଗାଣ ଅଧିକାରୀ ଦେବବ୍ରତ ମହାପାତ୍ର କୋଲଣଗିରି ପଞ୍ଚାୟତକୁ ଯାଇ ତଦନ୍ତ ଆରମ୍ଭ କରିଥିଲେ। ସହଯୋଗାଣ ଅଧିକାରୀ ରିଟେଲର ସୁଶାନ୍ତ ମହାନ୍ତି ଏଲ୍‌-୨ ପରିବହନ ଠିକାଦାର, କିରାସିନି ହୋଲସେଲ୍‌ର, ସ୍ଥାନୀୟ ଖାଉଟିମାନଙ୍କର ଷ୍ଟେଟ୍‌ମେଣ୍ଟ୍‌କୁ ଆଧାର କରି ତଦନ୍ତ ରିପୋର୍ଟ ଜିଲ୍ଲାପାଳଙ୍କୁ ଦେଇଥିଲେ। ଜିଲ୍ଲାପାଳ ଏହି ତଦନ୍ତ ରିପୋର୍ଟ ପାଇଲା ପରେ ପାସପୋର୍ଟ ଯାଞ୍ଚ୍‌ ପାଇଁ ନିର୍ଦେଶ ଦେଇଛନ୍ତିା

ଜିଲ୍ଲାପାଳଙ୍କ ନିଦେର୍ଶରେ ଉପଜିଳ୍ଲାପାଳ ପାସପୋର୍ଟ ସଂଗ୍ରହ କରି ଆଣିବା ପାଇଁ ବିଡିଓ ବଡ଼ଚଣାଙ୍କୁ ଚିଠି ନଂ ୪୪୬ରେ ୯.୧୧.୨୦୧୭ରେ ନିର୍ଦେଶ ଦେଇଛନ୍ତି। ଅପରପକ୍ଷରେ ଉପଜିଲ୍ଲାପାଳ ଚିଠି ନଂ ୪୪୨ ତା ୯.୧୧.୨୦୧୭ରିଖରେ ନିର୍ଦେଶ ଦେଇଛନ୍ତି ଯେ ସହଯୋଗାଣ ଅଧିକାରୀଙ୍କ ତଦନ୍ତ ରିପୋର୍ଟଙ୍କୁ ତର୍ଜମା କରି ରିଟେଲର ସୁଶାନ୍ତ ମହାନ୍ତିଙ୍କ ମାସିକିଆ କୋଟା ବନ୍ଦ୍‌ କରିବା ସହ ସାତ ଦିନ ମଧ୍ୟରେ କାରଣ ଦର୍ଶାଅ ନୋଟିସ୍‌ର ଉତ୍ତର ରଖିବାକୁ କହିଛନ୍ତି। ଦୀର୍ଘ ଦିନ ଧରି ଦୁବାଇରେ ରହି ରିଟେଲର୍‌ କେନ୍ଦ୍ର ପରିଚାଳନା କରିବା ଓ ଲାଇସେନ୍‌ସ ଅଧିକାରୀଙ୍କ ଠାରୁ ଅନୁମତି ନନେଇ ରିଟେଲର କେନ୍ଦ୍ର ଅନ୍ୟ କାହାକୁ ପରିଚାଳନା କରିବାକୁ ଦେବା ଓଡ଼ିଶା ସାଧାରଣ ବଣ୍ଟନ ବ୍ୟବସ୍ଥା କଂଟ୍ରୋଲ ନିୟମ ୨୦୧୬ ଅନୁଯାୟୀ ବେନିୟମ। ଲାଇସେନ୍‌ସ ଗ୍ରହଣ କରିବା ସମୟରେ କରିଥିବା ଚୁକ୍ତି ଓ ସର୍ତକୁ ଖିଲାପ କରୁଛି।

ଅପରପକ୍ଷରେ ଏମ୍‌ଆଇ ବିଶ୍ୱଜିତ୍‌ ମିଶ୍ର ଏହି ଘଟଣାକୁ ଭିନ୍ନ ମୋଡ଼ ଦେବା ପାଇଁ ୧.୧୧.୨୦୧୭ରେ ବଡ଼ଚଣା ବ୍ଲକ୍‌ ବିଡିଓଙ୍କ ଜରିଆରେ ଉପଜିଲ୍ଲାପାଳଙ୍କୁ ରିଟେଲର ସୁଶାନ୍ତ ମହାନ୍ତିଙ୍କର ଇସ୍ତଫା ପତ୍ର ଦେଇଥିଲେ। ଆଜି ପର୍ଯ୍ୟନ୍ତ ଏହି ଇସ୍ତଫା ପତ୍ର ଉପଜିଲ୍ଲାପାଳଙ୍କ ନିକଟରେ ପହଞ୍ଚି ନଥିବା ଜଣାପଡ଼ିଛି। ଶ୍ରୀ ମହାନ୍ତିଙ୍କ ପାର୍ସପୋର୍ଟ ଯାଞ୍ଚ୍‌ ହେଲେ ଏଲ୍‌-୨ ପରିବହନ ଠିକାଦାର, କିରାସିନି ହୋଲସେଲର, କାହା ଠାରୁ ଦସ୍ତଖତ ନେଇ ପ୍ରତି ମାସରେ ପିଡିଏସ୍‌ ସାମଗ୍ରୀ ଦେଉଥିଲେ, ତାହା ଜଣାପଡ଼ିବ। ଏମ୍‌ଆଇ ରିଟେଲରଙ୍କ ଅନୁପସ୍ଥିତିରେ କେମିତି ମାସିକିଆ କୋଟା ଉଠାଣ ପାଇଁ କାହାକୁ ଆଦେଶ ଦେଉଥିଲେ, ସବୁକିଛି ସ୍ପଷ୍ଟ ହୋଇଯିବ।

ସମ୍ବନ୍ଧିତ ଖବର