ଆଦିବାସୀ ଯୁବତୀଙ୍କ ଶାରିରୀକ ପରିବର୍ତ୍ତନର ସଚେତନ କରାଉଛି ବଡିଦିଦି ଟିମ

ମାଲକାନଗିରି: ଶାରିରୀକ ପରିବର୍ତ୍ତନ (ଋତୁଶ୍ରାବ) ଏକ ବାଇଲୋଜିକାଲ ପ୍ରକ୍ରିୟା।କିନ୍ତୁ ମାଲକାନଗିରି ଜିଲ୍ଲା ଆଦିବାସୀ ଯୁବତୀ ଏହି ସମୟରେ କିଭଳି ନିଜ ଶରୀରକୁ ରକ୍ଷଣାବେକ୍ଷଣ କରିବେ ସେ ସଂପର୍କରେ ଜାଣିନଥିବା ବେଳେ ଆଦିବାସୀ ଯୁବତୀମାନଙ୍କୁ ସଚେତନ କରାଇବା ପାଇଁ ଆଗେଇ ଆସିଛି ବଡଦିଦିଙ୍କ ଟିମ।ଆଉ ବଡଦିଦିଙ୍କ ଏହି ଟିମ ଅପହଞ୍ଚ ଅଂଚଳରେ ପହଞ୍ଚି ଆଦିବାସୀ ଯୁବତୀମାନଙ୍କୁ କରୁଛି ସଚେତନ।ଏହି ସମୟରେ କିଭଳି କପଡା ବ୍ୟବହାର କରିବେ,କିଭଳି ଖାଦ୍ୟ ଖାଇବେ ଓ ଜଂଗଲର ଜଡିବୁଟି ଆବଶ୍ୟକ ସ୍ଥଳରେ ବ୍ୟବହାର କରିବେ,ଏପରିକି ବିଭିନ୍ନ ଯୋଗାଭ୍ୟାସର ଟିପସ୍ ଦେଇ ସେହି ସମୟରେ ନିଜକୁ ସୁସ୍ଥ ରଖିବା ପାଇଁ କରୁଛନ୍ତି ସଚେତନ।

ଆଦିବାସୀ ଯୁବତୀମାନେ ମଧ୍ୟ ବଡଦିଦିଙ୍କ ଠାରୁ ଟିପସ୍ ପାଇ ସଚେତନ ହେବା ସହ ପାଖ ଆଖ ଗାଁ ବୁଲି ଅନ୍ୟମାନଙ୍କୁ କରୁଛନ୍ତି ସଚେତନ।ଚର୍ଚିତ ବଲିଉଡ ହିରୋ ଅକ୍ଷୟ କୁମାରଙ୍କ ସିନେମା ଦ ପ୍ୟାଡମ୍ୟାନ ଯବତୀମାନଙ୍କୁ ଶାରିରୀକ ପରିବର୍ତ୍ତନ ସମୟରେ ସଚେତନ କରାଇବା ପାଇଁ ପ୍ରୟାସ କରିଥିବା ବେଳେ ମାଲକାନଗିରିର ବଡଦିଦି ଟିମ ବାସ୍ତବରେ ଗ୍ରାଉଣ୍ଡ ଜିରୋକୁ ଯାଇ ଯୁବତୀମାନଙ୍କୁ ସଚେତନ କରାଇବା ପାଇଁ ଆରମ୍ଭ କରିଛି ପ୍ରୟାସ।ମାଲକାନଗିରି ଏକ ଆଦିବାସୀ ଅଧ୍ୟୁଷିତ ଜିଲ୍ଲା।ଏହି ଜିଲ୍ଲାର ଆଦିବାସୀଙ୍କୁ କିପରି ଆଧୁନିକ ସଭ୍ୟତା ସହ ତାଳ ମିଳାଇବେ ସେଥିପାଇଁ ବାହିରିପଡିଛନ୍ତି ଆଦିବାସୀ ଯୁବତୀ।ଆଦିବାସୀଙ୍କୁ ଆଦିବାସୀ ହିଁ ବୁଝାଇପାରିବ।ଏମିତି କିଛି ଲକ୍ଷ୍ୟ ନେଇ ଜିଲ୍ଲାର କିଛି ଆଦିବାସୀ ଯୁବତୀ ବାହାରି ପଡିଛନ୍ତି ଆଦିବାସୀ ଯୁବତୀଙ୍କୁ ସଚେତନ କରାଇବା ପାଇଁ।

ମାଲକାନଗିରି ଭଳି ଆଦିବାସୀ ଅଧ୍ୟୁଷିତ ଅଂଚଳରେ ଶାରିରୀକ ପରିବର୍ତ୍ତନ ସମୟରେ ଯୁବତୀମାନେ ସଚେତନ ନହେବା ଯୁୋଗୁଁ ବିଭିନ୍ନ ରୋଗର ଶିକାର ହେବା ସହ ଅସୁବିଧାରେ ବଡୁଛନ୍ତି।ତେଣୁ ସଚେତନ କରାଇବା ପାଇଁ ପଦକ୍ଷେପ ନଇଛି ବଡଦିଦି ଟିମ।୨୦ ଜଣ ସଦସ୍ୟାରୁ ଆରମ୍ଭ ହୋଇଥିବା ଏହି ବଡଦଦି ଟିମ ଏବେ ୫୦ରୁ ଉର୍ଦ୍ଧ୍ବ ସଦସ୍ୟଙ୍କ ସହ ବୁଲୁଛି ଅପହଞ୍ଚ ଅଂଚଳଗୁଡିକରେ।ଆଦିବାସୀ ଯୁବତୀମାନଙ୍କୁ ଘରକୁ ଘର ବୁଲି ଶାରିରୀକ ପରିବର୍ତ୍ତନ ସମୟରେ କିଭଳି ଭାବେ କପଡା ବ୍ୟବହାର କରିବେ ଓ ଆବଶ୍ୟକ ସ୍ଥଳେ କେଉଁ ଔଷଧୀୟ ବୃକ୍ଷ କେଉଁ ସମୟରେ ବ୍ୟବହାର କରିବେ ତଥା ଏହି ସମୟରେ କେଉଁ ଖାଦ୍ୟ ଖାଇବେ ଓ କେଉଁ ଖାଦ୍ୟ ଖାଇବେ ନାହିଁ,ସେ ଉପରେ ଘରକୁ ଘର ବୁଲି ବୁଝାଉଛନ୍ତି।ନିୟମିତ ମାସିକ ପରିବର୍ତନ ପାଇଁ କିଛିଟା ଯୋଗାଭ୍ୟାସ ମଧ୍ୟ ଶିଖାଉଛି ଏହି ଟିମ।ଯୁବତୀମାନଙ୍କୁ ନଇ ଆରମ୍ଭ ହୋଇଥିବା ଏହି ଟିମରେ ଏବେ ସାମିଲ ହୋଇଛନ୍ତି କିଛି ଯୁବକ।ବଣ୍ଡାଘାଟି,ସ୍ବାଭିମାନ ଅଂଚଳ ପରି ଅପହଞ୍ଚ ଅଂଚଳରେ ମଧ୍ୟ ପହଞ୍ଚୁଛି ଏହି ଟିମ।

ଏହି ଟିମ ପ୍ରଥମେ ଆଦିବାସୀ ଗାଁରେ ପହଞ୍ଚି ଏ ସଂପର୍କରେ ଜଣାଇବାକୁ ଚେଷ୍ଟା କରୁଥିବା ବେଳେ ଗ୍ରାମବାସୀ ପ୍ରଥମେ ଅମଙ୍ଗ ହେଉଥିଲେ।ପରେ ଏହାର ଉପକାରିତା ସଂପର୍କରେ ଜାଣିବା ପରେ ସହଯୋଗ କରିଥିଲେ।ଯେଉଁ ଯୁବତୀମାନେ ଏ ସଂପର୍କରେ ସଂପୂର୍ଣ୍ଣ ସଚେତନ ହୋଇଛନ୍ତି ଏବେ ସେମାନେ ଖୁସି ଥିବା ବେଳେ ସାଂଗସାଥି ଓ ଅନ୍ୟ ପାଖ ଗାଁର ଯୁବତୀମାନଙ୍କୁ ଯାଇ କରୁଛନ୍ତି ସଚେତନ।ଯାହାକି ଆଗାମୀ ଦିନରେ ମାଲକାନଗିରିରେ ବିପ୍ଲବ ପରିବର୍ତ୍ତନ ଆଣିବ।ଏହି ବଡିଦିଦି ସଂଗଠନରେ ଜୟନ୍ତୀ ବୁରୁଦାଙ୍କ ନେତୃତ୍ବରେ ଦୀପାରାଣୀ ନାୟକ,ବିନୋତି ପଡିଆମି,ରାଧିକା ମାଝି, ଭବାନୀ ହରିଜନ, ଜ୍ୟୋତିର୍ମୟୀ ଖରା, ଲକ୍ଷ୍ମୀ ମାଡକାମୀ, ମଧୁ ପଡିଆମି, କନିକା ପଡିଆମି, କେ.ରୋଲାକ୍ସି, ସବିତା ପୂଜାରୀ, ମୋନିକା ମାଝି, ସବିତା କଚିମ ଭଳି ଅନେକ ଝିଅ ରହିଛନ୍ତି। ବଡଦିଦିଙ୍କ ଏହି ପ୍ରୟାସକୁ ସବୁ ବର୍ଗର ଲୋକ ପ୍ରଶଂସା କରୁଥିବା ବେଳେ ଏହି ପ୍ରୟାସ ଆଗାମୀ ଦିନରେ ଅନ୍ୟ ଜିଲ୍ଲାଗୁଡିକରେ ମଧ୍ୟ ଆରମ୍ଭ ହେବ ବୋଲି ଆଶା କରାଯାଏ।

ସମ୍ବନ୍ଧିତ ଖବର