ଘଟଗାଁ : ହୃତ୍‌ପିଣ୍ଡରେ ସମସ୍ୟା ରହିଥିଲା। ତେଣୁ ବିପଦରେ ଥିଲା ବାଳକଙ୍କ ଜୀବନ। କେବଳ ହୃତପିଣ୍ଡ ପ୍ରତିରୋପଣ ଦ୍ବାରା ଜୀବନ ବଞ୍ଚିପାରିବ ବୋଲି କହି ଫେରାଇ ଦେଇଥିଲେ ହସ୍ପିଟାଲ କର୍ତ୍ତୃପକ୍ଷ। ହେଲେ, ପଶ୍ଚିମବଙ୍ଗର ଜଣେ ଯୁବକ ମୃତ୍ୟୁପୂର୍ବରୁ ଅଙ୍ଗଦାନ କରିବା ପରେ ତାଙ୍କ ହୃତ୍‌ପିଣ୍ଡ ଲଗାଇ ନୂଆ ଜୀବନ ପାଇଛନ୍ତି କେନ୍ଦୁଝର ଜିଲ୍ଲା ଘଟଗାଁ ବ୍ଲକ୍‌ ବଡ଼ଜାମୁପଶି ପଞ୍ଚାୟତ କୁଣ୍ଡାପିଠା ଗ୍ରାମର ରବୀନ୍ଦ୍ର ପଇଦାଙ୍କ ପୁଅ ବାଦଲ (୧୩)। ହାୱଡ଼ାସ୍ଥିତ ନାରାୟଣ ସୁପରସ୍ପେସାଲିଟି ହସ୍ପିଟାଲ‌ରେ ଦୀର୍ଘ ସାଢ଼େ ୪ ଘଣ୍ଟାର ଅସ୍ତ୍ରୋପଚାର ପରେ ବାଦଲ ଏବେ ନୂଆ ଜୀବନ ପାଇଛନ୍ତି।

Advertisment

ବାଦଲ ଷଷ୍ଠ ଶ୍ରେଣୀରେ ପଢ଼ୁଥିବାବେଳେ ବାପାଙ୍କ ସହ ନଦୀକୁ ଗାଧୋଇବା ପାଇଁ ଯାଇଥିଲେ। ବାପପୁଅ ଗାଧୋଇ ସାରି ଘରକୁ ଫେରୁଥିବାବେଳେ ବାଦଲ ହଠାତ୍‌ ଚେତାଶୂନ୍ୟ ହୋଇ ପଡ଼ିଯାଇଥିଲେ। ପରିବାର ଲୋକେ ତାଙ୍କୁ ପ୍ରଥମେ ଘଟଗାଁ ଡାକ୍ତରଖାନା ପରେ କେନ୍ଦୁଝର ଓ ଶେଷରେ କଟକ ବଡ଼ ଡାକ୍ତରଖାନା ନେଇଥିଲେ। ସ୍ବାସ୍ଥ୍ୟ ପରୀକ୍ଷା ପରେ ତାଙ୍କ ହୃତ୍‌ପିଣ୍ଡରେ ସମସ୍ୟା ଥିବା ଜଣାପଡ଼ିଥିଲା। ବଡ଼ ହେଲେ ସବୁକିଛି ସ୍ବାଭାବିକ ହୋଇଯିବ ବୋଲି ଡାକ୍ତର କହିଥିଲେ। କିନ୍ତୁ ତାହା ହୋଇନଥିଲା।

ଗତ ଜାନୁଆରି ମାସରେ ରାଷ୍ଟ୍ରୀୟ ବାଲ ସ୍ବାସ୍ଥ୍ୟ କାର୍ଯ୍ୟକ୍ରମ ଜରିଆରେ ବାଦଲଙ୍କୁ ଚିକିତ୍ସା ପାଇଁ ହାୱଡ଼ାସ୍ଥିତ ନାରାୟଣ ସୁପରସ୍ପେସାଲିଟି ହସ୍ପିଟାଲକୁ ପଠାଯାଇଥିଲା। ସ୍ବାସ୍ଥ୍ୟ ପରୀକ୍ଷା ପରେ କେବଳ ହୃତ୍‌ପିଣ୍ଡ ପ୍ରତିରୋପଣ ଦ୍ବାରା ସମସ୍ୟାର ସମାଧାନ ହୋଇପାରିବ ବୋଲି କହି ସେଠାକାର ଡାକ୍ତର ତାଙ୍କୁ ଫେରାଇ ଦେଇଥିଲେ। ବାଦଲ ଘରେ ଆସି ଚିକିତ୍ସିତ ହେଉଥିଲେ। ଗତ ଫେବ୍ରୁଆରି ୨୭ ତାରିଖ ରାତିରେ ଦୁର୍ଘଟଣାର ସମ୍ମୁଖୀନ ହେବାପରେ ପଶ୍ଚିମବଙ୍ଗ ମେଦିନାପୁରର ୨୧ ବର୍ଷୀୟ ଯୁବକ ବାସୁଦେବ ଦାସ ଅଧିକାରୀଙ୍କ ବ୍ରେନ୍‌ ଡେଡ୍‌ ହୋଇଯାଇଥିବା ଡାକ୍ତର ଘୋଷଣା କରିଥିଲେ। ବାସୁଦେବ ମୃତ୍ୟୁ ପୂର୍ବରୁ ଅଙ୍ଗଦାନ କରିବେ ବୋଲି ଘୋଷଣା କରିଥିଲେ। ତାଙ୍କ ଇଚ୍ଛାକୁ ପରିବାର ଲୋକେ ସମ୍ମାନ ଦେଇଥିଲେ।

ଏହି ଖବର ନାରାୟଣ ସୁପରସ୍ପେସାଲିଟି ହସ୍ପିଟାଲରେ ପହଞ୍ଚିଥିଲା। ହୃତ୍‌ପିଣ୍ଡ ଯୋଗାଡ଼ ହେବା ପରେ ହସ୍ପିଟାଲ କର୍ତ୍ତୃପକ୍ଷ କେନ୍ଦୁଝର ରାଷ୍ଟ୍ରୀୟ ବାଲ ସ୍ବାସ୍ଥ୍ୟ କାର୍ଯ୍ୟକ୍ରମର ପରିଚାଳନା ମୁଖ୍ୟ ଡାକ୍ତର ବିଜନ କୁମାର ସାହୁଙ୍କୁ ଫୋନ୍‌ କରି ଜଣାଇଥିଲେ। ଡା. ସାହୁ ଏନେଇ ଘଟଗାଁ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ଅଧିକାରୀ ଡା. ମୁକ୍ତିକାନ୍ତ ନାୟକଙ୍କୁ ଅବଗତ କରିଥିଲେ। ୧ ତାରିଖ ରାତି ୯ଟାବେଳେ ବାପା ରବୀନ୍ଦ୍ର, ମା’ ଜୟନ୍ତୀଙ୍କ ସହ ବାଦଲ ଏକ ଆମ୍ବୁଲାନ୍ସରେ କୋଲକାତା ହାୱଡ଼ା ଅଭିମୁଖେ ବାହାରି ସକାଳ ୭ଟାବେଳେ ନାରାୟଣ ସୁପରସ୍ପେସାଲିଟି ହସ୍ପିଟାଲରେ ପହଞ୍ଚିଥିଲେ। ଅପରାହ୍ଣ ୪ଟାବେଳେ ଆପଲୋ ହସ୍ପିଟାଲରୁ ବାସୁଦେବଙ୍କ ହୃତପିଣ୍ଡ ଆସି ପହଞ୍ଚିଥିଲା। ଦୀର୍ଘ ସାଢ଼େ ୪ ଘଣ୍ଟାର ଅସ୍ତ୍ରୋପଚାର ପରେ ବାଦଲଙ୍କ ଠାରେ ହୃତ୍‌ପିଣ୍ଡ ପ୍ରତିରୋପଣ ସଫଳ ହୋଇଛି। ଏବେ ସେ ସୁସ୍ଥ ‌ଥିବା ଜଣାପଡ଼ିଛି।