ଚିକିତ୍ସା ପାଇଁ ଅର୍ଥ ସାଜିଛି ବାଧକ: ଏସ୍‌ସିବିରେ ମୃତ୍ୟୁ ସହ ସଂଗ୍ରାମ କରୁଛନ୍ତି ବାଦଲ

କଟକ : ଚିକିତ୍ସା ପାଇଁ ଅର୍ଥ ସାଜିଛି ବାଧକ। ଭେଣ୍ଡିଆ ପୁଅର ଚିକିତ୍ସା ଖର୍ଚ୍ଚ ଦିନ ମଜୁରିଆ ପରିବାର ଉପରେ ଚଡ଼କ ପକାଇଛି। ଭଦ୍ରକ ଜିଲ୍ଲା ବନ୍ତ ବ୍ଲକ୍ ଓଡ଼ଙ୍ଗ ପଞ୍ଚାୟତ ସରମରା ଗ୍ରାମର ପ୍ରଫୁଲ୍ଲ ଦାସଙ୍କ ବଡ଼ପୁଅ ବାଦଲ କୁମାର ଦାସ (୨୧) କିଡନି ରୋଗରେ ଆକ୍ରାନ୍ତ ହୋଇ କଟକ ବଡ ଡାକ୍ତରଖାନାରେ ମୃତ୍ୟୁ ସହ ସଂଗ୍ରାମ କରୁଥିବା ବେଳେ ଆଗକୁ ପୁଅର ଚିକିତ୍ସା କିପରି ହେବ ସେହି ଚିନ୍ତାରେ ପଡିଛି ପରିବାର। ପ୍ରଫୁଲ୍ଲଙ୍କ ପରିବାର କହିଲେ ସ୍ତ୍ରୀ ଓ ଦୁଇ ପୁଅ। ନିଜସ୍ବ ଜମିବାଡ଼ି ନଥିବାରୁ ମୂଲ ମଜୁରି ଲାଗି ପରିବାର ଚଳୁଥିଲେ। ବଡ଼ ପୁଅ ବାଦଲ ମାଟ୍ରିକ ପାସ୍‌ କରିବା ପରେ ଅର୍ଥାଭାବରୁ ପାଠ ଛାଡି ଥିଲେ। ଗାଁର ଏକ ଟେଣ୍ଟ୍ ହାଉସ୍‌ରେ କାମ କରି ବାପାଙ୍କୁ ସହାୟତା କରୁଥିଲା ବେଳେ ସାନ ପୁଅ ଏବେ ନବମ ଶ୍ରେଣୀର ଛାତ୍ର। ବଡ ପୁଅ ବାଦଲ ପରିବାରକୁ ଆର୍ଥିକ ସହାୟତା ଯୋଗାଇ ଦେଲା ବେ‌ଳକୁ ହଠାତ ମାଡ଼ି ପଡିଛି ଦୁଃଖର ବୋଝ।

କିଛି ଦିନ ପୂର୍ବରୁ ବାଦଲଙ୍କ ବାନ୍ତିରେ ରକ୍ତ ପଡ଼ିବା ଯୋଗୁଁ ଚିକିତ୍ସା ପାଇଁ ତାଙ୍କୁ ଭଦ୍ରକ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ନିଆଯାଇଥିଲା। ସେଠାରେ ପୁଅର ଅବସ୍ଥା ପରିବର୍ତ୍ତନ ନ ହେବାରୁ ଡାକ୍ତରମାନଙ୍କ ପରାମର୍ଶ କ୍ରମେ କଟକ ବଡ ଡାକ୍ତରଖାନାକୁ ଚିକିତ୍ସା ପାଇଁ ଅଣା ଯାଇଥିଲା। ପରୀକ୍ଷାରୁ ଜଣା ପଡିଛି ଯେ ବାଦଲଙ୍କ ଗୋଟିଏ କିଡନି ସମ୍ପୂର୍ଣ୍ଣ ନଷ୍ଟ ହୋଇଯାଇଥିଲା ବେଳେ ଅନ୍ୟ ଏକ କିଡନି ଅଧା ନଷ୍ଟ ହୋଇ ଯାଇଛି। ଧାରକରଜ କରି ବାଦଲକୁ ଆଣି ପରିବାର ଲୋକ ଏସ୍‌ସିବିରେ ଭର୍ତ୍ତି କରିଥଇବା ବେଳେ ଏବେ ଡାକ୍ତର କିଡ୍‌ନି ପ୍ରତ୍ୟାରୋପଣ ପାଇଁ ପରାମର୍ଶ ଦେଇଛନ୍ତି। ପ୍ରତିରୋପଣ ପାଇଁ ୫ ଲକ୍ଷରୁ ଅଧିକ ଟଙ୍କା ଆବଶ୍ୟକ ଥିବାବେଳେ ପରିବାର ଏବେ ଥଳକୂଳ ପାଉ ନାହାନ୍ତି। ବାଦଲଙ୍କ ଜୀବନ ବଂଚାଇବା ପାଇଁ ସହୃଦୟ ବ୍ୟକ୍ତି ସହଯୋଗ ଓ ସହାୟତାର ହାତ ବଢାଇବାକୁ (ମୋବାଇଲ ନଂ-୮୪୨୯୬୮୨୩୧୧ ଓ ୮୮୯୫୭୩୭୧୩୨) ବାପା ପ୍ରଫୁଲ୍ଲ ଦାସ ଆକୁଳ ନିବେଦନ କରିଛନ୍ତି।

ସମ୍ବନ୍ଧିତ ଖବର