କଟକ/ବଡମ୍ବା: ବଡ଼ମ୍ବା ବିଜେପି ଶିବିରରେ ଲାଗି ରହିଥିବା ଟିକେଟ କଳି ଆଜି ସୀମା ଟପିଛି। ବିଜେପିର କଟକ ଲୋକସଭା ପ୍ରାର୍ଥୀ ଭର୍ତ୍ତୃହରି ମହତାବ ଓ ବଡ଼ମ୍ବା ବିଧାୟକ ପ୍ରାର୍ଥୀ ସମ୍ବିତ୍ ତ୍ରିପାଠୀଙ୍କ ରୋଡ୍ ସୋ’ ଓ ଭଟ୍ଟାରିକା ମନ୍ଦିର ଦର୍ଶନ କାର୍ଯ୍ୟକ୍ରମରେ ଦୁଇଗୋଷ୍ଠୀ ମଧ୍ୟରେ ଠେଲାପେଲା, ଧସ୍ତାଧସ୍ତି, ମାଡ଼ପିଟ୍ ହୋଇଥିବା ଦେଖିବାକୁ ମିଳିଛି।
ମିଳିଥିବା ସୂଚନା ଅନୁସାରେ, ରୋଡ୍ ସୋ’ ଚାଲିଥିବା ବେଳେ ଦଳୀୟ ଟିକେଟ ପାଇଁ ଦାବିଦାର ଥିବା ବିଜୟ ଦଳବେହେରାଙ୍କ ସମର୍ଥକମାନେ ‘ଭର୍ତ୍ତୃହରି ଜିନ୍ଦାବାଦ୍ ସ୍ଲୋଗାନ’ ଦେଇଥିଲେ ବି ‘ସମ୍ବିତ୍ ତ୍ରିପାଠୀ ମୁର୍ଦାବାଦ’ ସ୍ଲୋଗାନ ଦେଇଥିଲେ। ବିଜୟଙ୍କୁ ଟିକେଟ ମିଳିନଥିବାରୁ ଏହାର ପ୍ରତିବାଦ କରିଥିଲେ। କରଡ଼ିବନ୍ଧ ନିକଟରେ ଅଧଘଣ୍ଟା କାଳ ରୋଡ୍ସୋ’କୁ ଅଟକାଇ ସେମାନେ ଏହିଭଳି ପ୍ରତିବାଦ କରିଥିଲେ। ଫଳରେ ଦୁଇଗୋଷ୍ଠୀ ମୁହଁାମୁହିଁ ହୋଇଥିଲେ। ଉଭୟପକ୍ଷଙ୍କୁ ଅଟକାଇବାକୁ ଉଦ୍ୟମ କଲାବେଳେ ପୁଲିସ ସହ ମଧ୍ୟ ସେମାନଙ୍କର ଧସ୍ତାଧସ୍ତି ହୋଇଥିଲା।
ପରିସ୍ଥିତିକୁ ନିୟନ୍ତ୍ରଣକୁ ଆଣିବା ପାଇଁ ଭର୍ତ୍ତୃହରି ଚେଷ୍ଟା କରିଥିଲେ। ୧୮ତାରିଖ ପର୍ଯ୍ୟନ୍ତ ଅପେକ୍ଷା କରନ୍ତୁ, ଧୈର୍ଯ୍ୟ ଧରନ୍ତୁ ବୋଲି କହିଥିଲେ। ଆସନ୍ତା ୧୮ ତାରିଖରେ ତୁଙ୍ଗ ନେତୃବୃନ୍ଦଙ୍କ ଏକ ବୈଠକ ବସିବ। ୨୦ତାରିଖ ପୂର୍ବରୁ ଏହାର ସମାଧାନ ହୋଇଯିବ ବୋଲି କହିଥିଲେ। ବେଶ୍ କିଛି ସମୟ ଧରି ଏହି ପରିସ୍ଥିତି ଲାଗି ରହିବା ପରେ ପରିସ୍ଥିତି ଶାନ୍ତ ପଡ଼ିଥିଲା। ଅନ୍ୟପଟେ ଏହି ଗସ୍ତ ସମୟରେ ବିଭିନ୍ନ ସ୍ଥାନରେ ଉଭୟ ସାଂସଦ ଓ ବିଧାୟକ ପ୍ରାର୍ଥୀଙ୍କୁ ସ୍ବାଗତ ସମ୍ବର୍ଦ୍ଧନା ମଧ୍ୟ ଦିଆଯାଇଥିଲା।