କଟକ : ବଡ଼ମ୍ବା ବନବିଭାଗ ହାଜତ ମୃତ୍ୟୁ ଘଟଣାରେ ଆଠଗଡ଼ ପୁଲିସ ବଡ଼ ଅଧିକାରୀଙ୍କୁ କ୍ଲିନ୍ ଚିଟ୍ ଦେଇଛି। ଯେଉଁ ଦୁଇଜଣ ଏସିଏଫ୍ଙ୍କୁ ତଦନ୍ତ ପାଇଁ ଅଟକ ରଖାଯାଇଥିଲା ସେମାନଙ୍କ କୌଣସି ସମ୍ପୃକ୍ତି ନାହିଁ ବୋଲି ଆଠଗଡ଼ ଏସ୍ଡିପିଓ ବିଜୟ କୁମାର ବିଶି ସ୍ପଷ୍ଟ କରିଛନ୍ତି। ଫଳତଃ ବଡ଼ ଅଧିକାରୀଙ୍କୁ ହାଜତ ମୃତ୍ୟୁ ଘଟଣାରୁ ଖସାଇ ଦିଆଯାଇଥିବା ବେଳେ ୬ଜଣ ଜେଲ୍ରେ ଅଛନ୍ତି।
ଅନ୍ୟପଟେ ଗିରଫ ହୋଇ ଜେଲରେ ଥିବା ଦୁଇଜଣ ଫରେଷ୍ଟର୍ ମନୋଜ ଦାସ ଓ ଦୀପକ ସେଠୀ, ୩ ଜଣ ଫରେଷ୍ଟଗାର୍ଡ କୁନା ବେହେରା, ପ୍ରଭାତ ପ୍ରଧାନ ଓ ସୁନାୟକ ମାଝୀଙ୍କୁ ନିଲମ୍ବନ କରିଛନ୍ତି ଆଠଗଡ଼ ବନଖଣ୍ଡ ଅଧିକାରୀ। ତା ସହିତ ବଡ଼ମ୍ବା ରେଞ୍ଜର୍ ସୁବ୍ରତ ବେହେରାଙ୍କୁ ନିଲମ୍ବନ ପାଇଁ ବିଭାଗକୁ ସୁପାରିସ କରାଯାଇଥିବା ଡିଏଫ୍ଓ ଯଜ୍ଞଦତ୍ତ ପତି କହିଛନ୍ତି। ସେପଟେ, ଜେଲ୍ରେ ଥିବା ରେଞ୍ଜର୍ଙ୍କ ସମେତ ୬ଜଣଙ୍କୁ ରିମାଣ୍ଡରେ ଆଣିବାକୁ ପୁଲିସ ଯୋଜନା କରିଥିଲେ ବି କେବେ ରିମାଣ୍ଡରେ ଅଣାଯିବ ସେ ସମ୍ପର୍କରେ ପୁଲିସ ସ୍ପଷ୍ଟ କରିନି।
ସୂଚନା ଅନୁସାରେ, ଜାନୁଆରି ୩୧ ତାରିଖରେ ବଡ଼ମ୍ବା ଓ ହିନ୍ଦୋଳ ସୀମାବର୍ତ୍ତୀ ମାଣିଆବନ୍ଧ ବିଟ୍ ଅନ୍ତର୍ଗତ ହିପିଣ୍ଡା ସଂରକ୍ଷିତ ଜଙ୍ଗଲରୁ ବନବିଭାଗ ଦନ୍ତାହାତୀର ଗଳିତ ମୃତଦେହ ଉଦ୍ଧାର କରିଥିଲା। ହାତୀକୁ ଗୁଳିକରି ହତ୍ୟା ପରେ ଦାନ୍ତକୁ କାଟି ନେଇ ଦୁର୍ବୃତ୍ତ ଫେରାର ହୋଇଯାଇଥିବା ଅଭିଯୋଗ ହୋଇଥିଲା। ବନବିଭାଗ ଏହି ଘଟଣାର ତଦନ୍ତ କରି ତୁରନ୍ତ ଅଭିଯୁକ୍ତଙ୍କୁ ଗିରଫ କରିବା ପାଇଁ ଆଠଗଡ଼ ଡିଏଫ୍ଓଙ୍କ ପକ୍ଷରୁ ସ୍ବତନ୍ତ୍ର ସ୍କ୍କାଡ୍ ଗଠନ କରାଯାଇଥିଲା। ବନବିଭାଗ ହାତୀ ଶିକାର ଘଟଣାରେ ତଦନ୍ତ କରି ବଡ଼ମ୍ବା ଥାନା ଅନ୍ତର୍ଗତ ସାତଗୋଛିଆ ଗ୍ରାମର ଧନେଶ୍ୱର ବେହେରାଙ୍କ ସମେତ ୪ଜଣଙ୍କୁ ଅଟକ ରଖିଥିଲା। ଧନେଶ୍ବରଙ୍କୁ ପ୍ରଥମେ ପଚରାଉଚରା ପରେ ଛାଡ଼ି ଦେଇଥିବା ବେଳେ ପୁଣି ତାଙ୍କୁ ଉଠାଇ ଆଣି ଆଠଗଡ଼ ରେଞ୍ଜ ତିଗିରିଆ ୱାଚ୍ଟାଓ୍ୱାର୍ ନିକଟରେ ରଖି ଜେରା କରାଯିବା ସହିତ ଥାର୍ଡ ଡିଗ୍ରି ଦିଆଯାଇଥିଲା। ଏଥିରେ ଧନେଶ୍ବରଙ୍କର ମୃତ୍ୟୁ ଘଟିଥିବା ଅଭିଯୋଗ ହୋଇଥିଲା। ଘଟଣାରେ ମୃତକଙ୍କ ପରିବାର ଓ ଆହତଙ୍କ ପକ୍ଷରୁ ପୁଲିସରେ ଏତଲା ଦିଆଯାଇଥିଲା।